ସାଂସଦ ଅନୁଭବଙ୍କ ବିରୋଧରେ ସାର୍ଟିଫିକେଟ ଜାଲିଆତି ଅଭିଯୋଗ

ଅଭିଯୋଗ ଆଣିଲା କଂଗ୍ରେସ, ଅଭିଯୋଗକୁ ଖଣ୍ଡନ କଲେ ସାଂସଦ

ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ବିବାଦ ପିଛା ଛାଡ଼ୁନି। କିଛି ଦିନ ତଳେ ତାଙ୍କ ବିରୋଧରେ ନିର୍ବାଚନୀ ପୋଷ୍ଟର୍‌ ବାବଦରେ ଟଙ୍କା ବକେୟା ଥିବା ନେଇ ପୁଲିସ ମାମଲା ଦରଜ କରିଥିଲା। ଆଜି ଆଉ ଏକ ଅଭିଯୋଗରେ ସାଂସଦଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ। ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ଯେ ସାଂସଦ ଶ୍ରୀ ମହାନ୍ତି ୨୦୧୪ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲା ବେଳେ ସତ୍ୟପାଠରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତା ସମ୍ପୂର୍ଣ୍ଣ ଅସତ୍ୟ। ମିରଟ୍‌ ସ୍ଥିତ ଶୋଭିତ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରୁ ଶ୍ରୀ ମହାନ୍ତି ବି.ଏ ଇନ୍‌ ଆର୍ଟ୍‌ସ, ପବ୍ଲିକ୍‌ ଆଡମିନିଷ୍ଟ୍ରେସନ୍‌ରେ ଉଚ୍ଚଶିକ୍ଷା ହାସଲ କରିଥିବା ନେଇ ଜାଲ ପ୍ରମାଣ ପତ୍ର ଦାଖଲ କରିଛନ୍ତି। ତେବେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ମହାନ୍ତି କହିଛନ୍ତି ତାଙ୍କୁ ସାଧାରଣରେ ବଦନାମ କରିବା ପାଇଁ ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ଅପପ୍ରଚାର କରାଯାଉଛି।

ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ସୂଚନା ଅଧିକାର ଆଇନ ବଳରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଜେଡି ସାଂସଦ ଶ୍ରୀ ମହାନ୍ତି ଏବେ ବି କଟକ ସ୍ଥିତ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର ଅଛନ୍ତି। ଯାହାର ରେଜିଷ୍ଟ୍ରେସନ୍‌ ନମ୍ବର ୧୪୧୦୮/୨୦୦୩। ଖାଲି ସେତିକି ନୁହେଁ, ସେହି ରେଜିଷ୍ଟ୍ରେସନ୍‌ ନମ୍ବରରେ କୌଣସି ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଇସ୍ୟୁ କରାଯାଇନାହିଁ। ୨୦୧୦ ମସିହାରେ ଭାରତ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଶୋଭିତ୍ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିର ସ୍ବୀକୃତି ପ୍ରତ୍ୟାହାର କରାଯାଇଛି ବୋଲି ଦର୍ଶାଇଥିଲେ। ବିଶ୍ବବିଦ୍ୟାଳୟରୁ ଜାଲ୍‌ ସାର୍ଟିଫିକେଟ୍‌ ନେଇଥିବା ସାଂସଦ ଦେଶର ଏବେ ଆଇନ ପ୍ରଣେତା। ସରକାର ତୁରନ୍ତ ମାମଲା ରୁଜୁ କରି ପଦକ୍ଷେପ ନିଅନ୍ତୁ। ରାଜ୍ୟ ସରକାର ଅଦାଲତର ଛାଟ ପଡ଼ିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

ତେବେ ଏକ ପ୍ରେସ ବିବୃତି ଜାରି କରି କଂଗ୍ରେସର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି ‌ଯେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ କୌଣସି ଅସତ୍ୟ ପ୍ରମାଣ ପତ୍ର ଦେଇନାହାନ୍ତି। ସାଧୁତାର ସହ ସେ ତାଙ୍କର ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ରାପଡ଼ାର ବିକାଶ ନେଇ ସେ ଗୋଟିଏ ୟୁଥ୍‌ କନ୍‌କ୍ଲେଭ କରିଥିଲେ। ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାବେଳେ ତାଙ୍କୁ ସେଥିରୁ ବିଚ୍ୟୁତ ଓ ବିଚଳିତ କରିବାପାଇଁ ମିଳିତ ଉଦ୍ୟମ କରାଯାଉଛି। ଏପରି ମନ୍ଦ ଉଦ୍ୟମ ତାଙ୍କ ଲକ୍ଷ୍ୟକୁ ଆହୁରି ଶାଣିତ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସେ କେନ୍ଦ୍ରାପଡ଼ାର ବିକାଶ ପାଇଁ ସର୍ବଦା ଚେଷ୍ଟା ଜାରି ରଖିବେ। ଜିଲ୍ଲାର ବିକାଶ ପାଇଁ ବହୁତ ଉନ୍ନୟନମୂଳକ କାର୍ଯ୍ୟ ଖୁବଶୀଘ୍ର ବାସ୍ତବ ରୂପ ନେବ। ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ କେନ୍ଦ୍ରାପଡ଼ାରେ ଶୋଚନୀୟ ଭାବେ ଖରାପ ପ୍ରଦର୍ଶନ କରିଥିଲା। ଆଗକୁ ମଧ୍ୟ ଏ ଦଳକୁ କେନ୍ଦ୍ରାପଡ଼ାବାସୀ ପ୍ରତ୍ୟାଖ୍ୟାନ କରିବେ। ଏଥିରେ ହତୋତ୍ସାହ ହୋଇ ଦଳ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛି। ରାଜ୍ୟରେ ଦଳର ସ୍ଥିତିକୁ ସୁଧାରିବା ପାଇଁ ଦଳୀୟ ନେତା ଧ୍ୟାନ ଦେବା ଦରକାର ବୋଲି ଶ୍ରୀ ମହାନ୍ତି କଂଗ୍ରେସକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର