୧୪୩ କୋଟି ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ଅମିତ୍‌ ଶାହ: କଂଗ୍ରେସ

ପୋଡ଼ା ଟ୍ରାନ୍‌ସଫରମରକୁ କେବେ ଆପଣାଇଲେ
ଚିଟ୍‌ଫଣ୍ଡ୍‌ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବା ପ୍ରତିଶ୍ରୁତି କୁଆଡ଼େ ଗଲା
ଗତ ୪ ବର୍ଷ ଧରି କୋଇଲା ରୟାଲଟି କାହିଁକି ବଢ଼ିନି

ଭୁବନେଶ୍ବର : ବିଶ୍ବରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଭାରତ ପଞ୍ଚମ ଓ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ଚୀନଠୁ ଟପିଗଲାଣି। ତଥାପି କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିଦ ଭାଙ୍ଗୁନି। ୧୪୩ କୋଟି ଖର୍ଚ୍ଚ କରି ବାହାଦୁରୀ ମାରି ପ୍ରଚାର ଚଳାଇଛନ୍ତି। ବିଜେପିର ଭର୍ଚୁଆଲ୍‌ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଭିଭାଷଣକୁ ନେଇ ପ୍ରଦେଶ କଂଗ୍ରେସ ଏପରି ସମାଲୋଚନା କରିଛି। ଗତ ୩ ମାସ ଧରି ଯେତେବେଳେ ଶ୍ରମିକମାନେ ଖାଇବାକୁ ନ ପାଇ ରାସ୍ତାରେ ଚାଲି ଚାଲି ପ୍ରାଣ ହରାଉଥିଲେ ସେତେବେଳେ କେନ୍ଦ୍ରମନ୍ତ୍ରୀ କୁଆଡ଼େ ଯାଇଥିଲେ ବୋଲି ଦଳ ପ୍ରଶ୍ନ ଉଠାଇଛି।

New Indian Express

ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା କିପରି ରକ୍ଷା ହେବ ତାକୁ ଗୁରୁତ୍ବ ନ ଦେଇ କ୍ଷମତାରେ ରହିବା ପାଇଁ ନିଜ ଦଳର ପ୍ରଚାର କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଲାଗିପଡ଼ିଛନ୍ତି। ଭର୍ଚୁଆଲ୍‌ ରାଲିର ମହତ୍ତ୍ବ କଂଗ୍ରେସ ବୁଝି ନ ପାରୁ ପଛକେ ଲୋକଙ୍କ ଦୁଃଖ ଓ କଷ୍ଟକୁ ସବୁବେଳେ ଦଳ ପ୍ରାଥମିକତା ଦେଇଆସିଛି। ମହାମାରୀ ସମୟରେ କେହି ଏକାଠି ହେବେନି, ରାଜନୀତି କରିବେନି, ସାମାଜିକ ଦୂରତା ରକ୍ଷା କରିବା ଓ ସଙ୍ଗରୋଧରେ ରହିବା ଉଚିତ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି। କିନ୍ତୁ ତାଙ୍କରି ଦଳର ନେତା ଓ କର୍ମୀ ସବୁ ନିୟମକୁ ଭାଙ୍ଗୁଛନ୍ତି। ଏବେ କହିଛନ୍ତି, ତାଲାବନ୍ଦ ସମୟରେ ବିଜେପିର କର୍ମୀମାନେ ୧୧ କୋଟି ଗରିବଙ୍କୁ ଖାଦ୍ୟ ଯୋଗାଇଛନ୍ତି। ପ୍ରଥମେ ଲୋକଙ୍କୁ ନଙ୍ଗଳା କରିଦେଲେ ଏବେ କହୁଛନ୍ତି ଚଡ଼ି ପିନ୍ଧ। ପ୍ରବାସୀ ଶ୍ରମିକମାନଙ୍କ ରେଳ ଭଡ଼ା ଦେବାକୁ ମନା କଲେ, ଚାଷ ପାଇଁ ବିହନ ଦେଲେନି, ଜୁନ୍‌ ମାସ ଆସି ଅଧାହେଲାଣି ପିଲାଙ୍କ ପାଠ ପଢ଼ାନାହିଁ କି ଯୁବକମାନଙ୍କୁ ରୋଜଗାର ମିଳୁନି। ଅଥଚ ଶ୍ରୀ ଶାହ ପ୍ରଚୁର ଟଙ୍କା ଖର୍ଚ୍ଚ କରି ରାଜନୀତି କରିବାକୁ ପଛାଉନାହାନ୍ତି। ତାଙ୍କୁ କେବଳ ଜଗନ୍ନାଥ ଭରସା ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଛନ୍ତି।

କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ଓଡ଼ିଶା ସରକାର ଗୋଟିଏ ପୋଡ଼ା ଟ୍ରାନ୍‌ସ୍‌ଫର୍‌ମର୍‌ ଓ ତାକୁ ଉପାଡ଼ି ଫୋପାଡ଼ି ଦେବାକୁ ଦିନେ ଏହି ସ୍ବରାଷ୍ଟ୍ର ମନ୍ତ୍ରୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ କହିଥିଲେ। ଚିଟ୍‌ଫଣ୍ଡ୍‌ ଦୁର୍ନୀତିଖୋରଙ୍କୁ ଜେଲ୍‌ ଭିତରେ ପୂରାଇବାର ପ୍ରତିଶ୍ରୁତି ଦେଇଥିଲେ। ଏବେ ସେସବୁ ପ୍ରତିଶ୍ରୁତି ଓ ଦାବି କୁଆଡ଼େ ଗଲା। କେତେବେଳେ ପୋଡ଼ା ଟ୍ରାନ୍‌ସ୍‌ଫରମର୍‌କୁ ସେ ଆପଣାଇନେଲେ ସେ ସମ୍ପର୍କରେ ରାଜ୍ୟବାସୀଙ୍କୁ ଜଣାଇବାର ଥିଲା। ଗତ ୪ ବର୍ଷ ଧରି କୋଇଲା ରୟାଲଟି କେନ୍ଦ୍ର ସରକାର ବଢ଼ାଇନାହାନ୍ତି। ରୟାଲଟି ବୃଦ୍ଧି ହୋଇଥିଲେ ରାଜ୍ୟ ପ୍ରଚୁର ରାଜସ୍ବ ପାଇଥାନ୍ତା। ରାଜ୍ୟରେ ରେଳ ଓ୍ବାଗନ୍‌ କାରଖାନା ଓ ବିଭିନ୍ନ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି କେବଳ କଥାରେ ରହିଯାଇଛି। ଏ ବାବଦରେ ରାଜ୍ୟ ବିଜେପି ନେତୃତ୍ବ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମନେ ପକାଇଦେବା ଉଚିତ ଥିଲା। ଗତ ୭ ବର୍ଷର ଶାସନ ଭିତରେ ଓଡ଼ିଶାକୁ କେତେ କଣ କେନ୍ଦ୍ର ଦେଇଛି ତାର ହିସାବ ଦେଇଥିଲେ ଭଲ ହୋଇଥାନ୍ତା। ଗୋଟିଏ ପଟେ କୋଇଲା ରୟାଲଟି ବୃଦ୍ଧି ନ କରିବା ଫଳରେ ଦୈନିକ ଯେତିକି ରାଜ୍ୟର କ୍ଷତି ହେଉଛି ସେ ସମ୍ପର୍କରେ କଛି ପଦକ୍ଷେପ ନ ନେଇ ଅମ୍ଫାନ୍‌ ବାତ୍ୟା ପାଇଁ ୫୦୦ କୋଟି ଅଗ୍ରୀମ ଦେଇ ପ୍ରଚାର ଚଳାଇଛନ୍ତି। ତାଲାବନ୍ଦ ଯୋଗୁଁ ସାରା ଦେଶର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହେଲାଣି। ପ୍ରତ୍ୟକ୍ଷ କର ଆଦାୟ ପରିମାଣରେ ୫ରୁ ୭% ହ୍ରାସ ପାଇଛି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର