ଅମିତ ଶାହଙ୍କ ‘ଓଡ଼ିଶାର ଗାନ୍ଧୀ’ ମନ୍ତବ୍ୟକୁ ନିନ୍ଦା କଲା କଂଗ୍ରେସ

ରାମେଶ୍ବର ଓରାଉଁଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନକୁ ଡାକିଲେନି କାହିଁକି
ଗଡ଼ସେମାନଙ୍କୁ ଗାନ୍ଧୀଙ୍କ ଛାଲ ପିନ୍ଧାଇବାକୁ ଚେଷ୍ଟା: ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି

ଭୁବନେଶ୍ବର : ସିଏଏ ଓ ଏନ୍‌ଆରସିକୁ ନେଇ ଭୁବନେଶ୍ବରରେ ଅନୁଷ୍ଠିତ ବିଜେପିର ବିଶାଳ ସମାବେଶରେ ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି ସମ୍ବୋଧନ କରିବା ନେଇ ରାଜନୀତି ଜୋର୍‌ ଧରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ନିନ୍ଦା କରିବା ସହ ଭାରତର ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟକୁ କିଭଳି ଇତିହାସ ପୃଷ୍ଠାରୁ ଲିଭାଯାଇ ପାରିବ ସେଥିପାଇଁ ବିଜେପି ଉଦ୍ୟମ କରୁଛି ବୋଲି କହିଛନ୍ତି। ଏହାସହିତ ଗତକାଲି ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବାକୁ ଆସିଥିବା ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାମେଶ୍ବର ଓରାଉଁଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ନ ଡାକିବା ଓଡ଼ିଶା ସଂସ୍କୃତି ଓ ପରମ୍ପରା ପ୍ରତି ଅପମାନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ମଧ୍ୟ ଏକ ପ୍ରେସ୍‌ ଇସ୍ତାହାର ଜାରି କରାଯାଇ ଶ୍ରୀ ଶାହ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରାଯାଇଛି। ଗଡ଼ସେମାନଙ୍କୁ ଗାନ୍ଧୀଙ୍କ ଛାଲ ପିନ୍ଧାଇବାକୁ ଦଳ ଅପଚେଷ୍ଟା ଚଳାଇଥିବା ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଫାଦର୍‌ ଅଫ୍‌ ଇଣ୍ଡିଆ (ଭାରତର ପିତା) ବୋଲି କହିଥିଲେ। ସେତେବେଳେ ସୌଜନ୍ୟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀ ଅହିଂସାର ପୂଜାରୀ ଓ ଜାତିର ପିତା ମହାତ୍ମା ଗାନ୍ଧୀ ଅଦ୍ବିତୀୟ ଏବଂ ଟ୍ରମ୍ପ୍‌ଙ୍କ ଟିପ୍ପଣୀ ମହାତ୍ମାଙ୍କ ପ୍ରତି ଅପମାନସୂଚକ ବୋଲି କହିପାରିଥାନ୍ତେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଏହାକୁ ହସି ହସି ସ୍ବୀକାର କରିଥିଲେ। ସେହିପରି ଗତକାଲି ଗୃହମନ୍ତ୍ରୀ ଶ୍ରୀ ଶାହ ପୂର୍ବାଞ୍ଚଳ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବାକୁ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବାବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ନୀତି ବିରୁଦ୍ଧ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହାସହିତ ସେ ଦର୍ଶାଇଛନ୍ତି, ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ବିଜେପି ସମାବେଶରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ‘ଓଡ଼ିଶାରେ ମଧ୍ୟ ଜଣେ ଗାନ୍ଧୀ ଅଛନ୍ତି’ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ସମ୍ବୋଧନ କଲେ। ଖାଲି ସେତିକି ନୁହେଁ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ପାତ୍ର ଆଉ ପାଦେ ଆଗେଇ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭାରତର ସର୍ଦ୍ଦାର ପଟେଲ ବୋଲି ସମ୍ବୋଧନ କରିଥିଲେ। ଦଙ୍ଗାରେ ଦିଲ୍ଲୀ ଜଳୁଛି ଏବଂ ୪୨ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏଭଳି ସ୍ଥିତିରେ ଥରୁଟିଏ ଦଙ୍ଗା ପୀଡ଼ିତଙ୍କୁ ଭେଟି ନଥିବା ଶ୍ରୀ ଶାହଙ୍କୁ ଲୌହମାନବ ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରିବା ଘୋର ପରିତାପର ବିଷୟ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆତିଥେୟତା ଉପରେ ପ୍ରଶ୍ନ ଉଠାଇ ପିସିସି ସଭାପତି କହିଛନ୍ତି, ପୂର୍ବାଞ୍ଚଳ ପରିଷଦ ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ଅର୍ଥମନ୍ତ୍ରୀ ରାମେଶ୍ବର ଓରାଉଁ ପ୍ରତିନିଧିତ୍ବ କରିଥିଲେ। ବୈଠକ ପରେ ନବୀନ ନିବାସରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବିହାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ। କିନ୍ତୁ ଶ୍ରୀ ଓରାଉଁଙ୍କୁ ନିମନ୍ତ୍ରଣ କଲେନି। ଜଣେ କେନ୍ଦ୍ରମନ୍ତ୍ରୀ ନବୀନ ନିବାସରେ ଭୋଜନ କରୁଥିବା ଦେଖାଯାଇଥିଲା। ମନ୍ତ୍ରୀ ଶ୍ରୀ ଓରାଉଁ ଜଣେ ଆଦିବାସୀ ହୋଇଥିବାରୁ ଜାଣିଶୁଣି ମୁଖ୍ୟମନ୍ତ୍ରୀ ତାଙ୍କୁ ଭୋଜନ ପାଇଁ ଡାକିଲେ ନାହିଁ ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଅଭିଯୋଗ କରିଛି ଯେ, ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି କହିଲେ, ସେ ବ୍ୟକ୍ତି ଅତୀତରେ ବଜରଙ୍ଗ ଦଳର ଓଡ଼ିଶା ମୁଖ୍ୟ ଥିଲେ। ତାଙ୍କ ନେତୃତ୍ବରେ ସଂଘଟିତ ସାମ୍ପ୍ରଦାୟିକ ହିଂସା ଘଟଣା ଦେଶବିଦେଶରେ ଚହଳ ସୃଷ୍ଟି କରିଥିଲା। ୨୦୦୪ରେ ତାଙ୍କ ନିଜ ଗାଁ ଗୋପୀନାଥପୁରରେ ଆଦିବାସୀମାନଙ୍କ ଉପାସନାପୀଠଗୁଡ଼ିକୁ ଭାଙ୍ଗି ଜଳାଇଥିବା ଘଟଣାରେ ସେ ଅଭିଯୁକ୍ତ ଥିଲେ। ୨୦୧୧ ମସିହା ବାଲେଶ୍ବର ନୀଳଗିରିଠାରେ ଆଦିବାସୀମାନଙ୍କୁ ଅସଦ୍‌ ବ୍ୟବହାର ଘଟଣାରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଗଣତନ୍ତ୍ରର ମନ୍ଦିର ଓଡ଼ିଶା ବିଧାନସଭାରେ ଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଶ୍ବ ହିନ୍ଦୁ ପରିଷଦର କର୍ମୀମାନେ ଧସେଇ ପଶିଥିଲେ। ଏପରି ବ୍ୟକ୍ତିଙ୍କୁ କେବଳ ଓଡ଼ିଶାର ଗଡ଼୍‌ସେ ବୋଲି କୁହାଯାଇ ପାରିବ ବୋଲି ଗାନ୍ଧୀ ସ୍ମାରକ ନିଧି ଅନୁଷ୍ଠାନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର