ବୈଷ୍ଣବଙ୍କ ପ୍ରାର୍ଥିତ୍ବ ନେଇ ବର୍ଷିଲା କଂଗ୍ରେସ

ଓଡ଼ିଶା ସ୍ବାର୍ଥ ହାନି କରିଛି ବିଜେଡି: ନରସିଂହ, ବିଜେପି ପ୍ରମୁଖ ବିରୋଧୀ ଦଳର ନୈତିକତା ହରାଇଛି: ପିସିସି

ଭୁବନେଶ୍ବର : ବିଜୁ ଜନତା ଦଳ(ବିଜେଡି) ରାଜ୍ୟର ଆଞ୍ଚଳିକ ରାଜନୈତିକ ଦଳ। କଂଗ୍ରେସ କି ବିଜେପି ଭଳି ଜାତୀୟ ଦଳ ନୁହେଁ। ରାଜ୍ୟ ସ୍ବାର୍ଥ ରକ୍ଷା କରିବା ହେଉଛି ବିଜେଡିର ପ୍ରମୁଖ ଦାୟିତ୍ବ। ସେଥିପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବେ ରାଜ୍ୟର ଯେ କୌଣସି ଓଡ଼ିଆଙ୍କୁ ଛିଡ଼ା କରିବାର ଥିଲା। କିନ୍ତୁ ଓଡ଼ିଶା କୋଟାରୁ ପ୍ରାର୍ଥୀ ଭାବେ ଓଡ଼ିଶା ବାହାରର ଜଣେ ବ୍ୟକ୍ତି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିବା ଫଳରେ ଓଡ଼ିଶାର ସ୍ବାର୍ଥ ହାନି ଘଟିଛି। ଏହା ରାଜ୍ୟବାସୀଙ୍କ ପ୍ରତି ମସ୍ତବଡ଼ ଅପମାନ ବୋଲି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି।

ଆଜି ଏହି ପ୍ରସଙ୍ଗରେ ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ କହିଲେ ଯେ ପୂର୍ବରୁ ଆମେ ବିଜେଡି-ବିଜେପି ସଂପର୍କକୁ ନେଇ କହୁଥିଲୁ ଯେ ବାହାରେ କଳି, ଭିତରେ କୋଳାକୋଳି। ଏହା ଆଜି ପ୍ରମାଣିତ ହୋଇଛି। ବିଧାନସଭାରେ ବିଜେଡିର ଯେତେ ସଂଖ୍ୟା ଅଛି, ସେଥିରେ ୩ଜଣଙ୍କୁ ରାଜ୍ୟସଭାକୁ ପଠାଇବାରେ କିଛି ଅସୁବିଧା ନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ବୀକାର କରିଛନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସାହାଯ୍ୟ ମାଗିଲେ, ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କଲେ। ସେଥିରେ ସେ ହଁ କରି ଆସିଛନ୍ତି। ଏହା ଓଡ଼ିଶାବାସୀଙ୍କ ପ୍ରତି ମସ୍ତବଡ଼ ଅପମାନ ବୋଲି ସେ କ୍ଷୋଭ ପ୍ରକାଶ କରି କହିଥିଲେ।

ଏହି ପ୍ରସଙ୍ଗ ନେଇ ମନରେ ସ୍ବତଃପ୍ରବୃତ୍ତ ଭାବେ ଆଶଙ୍କା ଆସୁଛି ଏବଂ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ। ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ରାଜନୈତିକ ଦଳ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦୀ ସରକାର ବିଭିନ୍ନ ଆଳରେ ହଇରାଣ ହରକତ କରୁଛନ୍ତି। ଓଡ଼ିଶାରେ ସେଭଳି ହେବ ନାହିଁ ତ? ଏଭଳି ଚିନ୍ତା ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରାନ୍ତ କରିଛି। ବୋଲକରା ମୁଖ୍ୟମନ୍ତ୍ରୀ ହେଲେ ସମ୍ଭବତଃ ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ ଭାବୁଛନ୍ତି। କିନ୍ତୁ ଏଭଳି ଚିନ୍ତା ସଂପୂର୍ଣ୍ଣ ଭୁଲ୍‌। ବିଜେପି ଯାହା କୁହେ, ତାହା କରେ ନାହିଁ। ଯାହା କରେ ତାହା କୁହେ ନାହିଁ। ଏଣୁ ବିଜେପିକୁ ଭରସା ନ କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ବୋଲି ଏହି ବରିଷ୍ଠ ନେତା ପରାମର୍ଶ ଦେଇଥିଲେ।

ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏହି ପ୍ରସଙ୍ଗ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏହାର ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ। ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବ ବିବାଦ ବିଜେଡି-ବିଜେପି ଭିତରେ ଥିବା ଅସାଧୁ ମେଣ୍ଟକୁ ପଦାରେ ପକାଇ ଦେଇଛି। ବିଧାନସଭାରେ ସଂଖ୍ୟା ନ ଥିବା ବିଜେପିର ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଘୋଷଣା ‘ସିଟ୍ ଫର୍‌ ସପୋର୍ଟ’ ଡିଲ୍‌କୁ ଧରା ପକାଇ ଦେଇଛି।
ଅଶ୍ୱିନୀଙ୍କର ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି କ’ଣ ଅବଦାନ ରହିଛି ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷରେ ବିଜେଡିଠାରୁ ସମର୍ଥନ ନେଇ ବିଜେପି ବିଧାନସଭାରେ ପ୍ରମୁଖ ବିରୋଧୀ ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି। । ନିଜ ଦଳର ବହୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ବିଜେପି ପ୍ରାର୍ଥୀକୁ ସମର୍ଥନ ଦେବା ପଛରେ ନବୀନବାବୁ ବିଜେପି ସହିତ ଡିଲ୍ କରିଛନ୍ତି। ଚିଟ୍ ଫଣ୍ଡ ସ୍କାମ୍, ବ୍ଲାକ୍‌ ରୋଜ୍‌ ସ୍କାମ୍‌ ଭଳି ବିଭିନ୍ନ ଅଭିଯୋଗର ତଦନ୍ତରୁ ସିବିଆଇଠାରୁ ବଞ୍ଚିିବା ପାଇଁ ବିଜେପି ପାଖରେ ନବୀନ ବାବୁ ଆତ୍ମସମର୍ପଣ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର