କୋଡ଼ିଏ ବର୍ଷ ଶାସନ ପରେ ବି ବିକାଶ କାହିଁ : ନିରଂଜନ

ବାଲେଶ୍ୱର : ଓଡ଼ିଶାର ଏବେ ଦୁଃସ୍ଥିତି ଦେଇ ଗତି କରୁଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଆଇନ୍‌ ବ୍ୟବସ୍ଥା ସବୁ ବିପର୍ଯ୍ୟସ୍ତ। ଓକିଲ-ପୁଲିସ ବିବାଦ ନେଇ ଦେଢ଼ମାସ ହେଲା ହାଇକୋର୍ଟ ବନ୍ଦ, ଶିକ୍ଷକ-ଅଧ୍ୟାପକଙ୍କ ଧାରଣାକୁ ନେଇ ସ୍କୁଲ୍‌ କଲେଜ ବନ୍ଦ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ନାହାନ୍ତି। ରାଜ୍ୟରେ ଶାସକ ଓ ଶାସନ କଳ ଅଛି ନା ନାହିଁ ବୋଲି ଆଜି କଂଗ୍ରେସ ପକ୍ଷରୁ ବାଲେଶ୍ବରରୁ ଆରମ୍ଭ ହୋଇଥିବା ଓଡ଼ିଶା ଜନ ଜାଗରଣ ଯାତ୍ରା ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଦୁର୍ଗା କଲ୍ୟାଣ ମଣ୍ଡପରେ ଆୟୋଜିତ ‘ଖୋଲାମଞ୍ଚ’ କାର୍ଯ୍ୟକ୍ରମରେ ପ୍ରଶ୍ନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଂଜନ ପଟ୍ଟନାୟକ।

ଓଡ଼ିଶା ପିସିସିର ମିଡିଆ ହେଡ୍‌ ସତ୍ୟପ୍ରକାଶ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ‘ଖୋଲାମଞ୍ଚ’ରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆହୁରି ମଧ୍ୟ କହିଲେ ଯେ କଂଗ୍ରେସ ଯେତେବେଳେ ‌ସରକାରରେ ରହିଛି ସେତେବେଳେ ଲୋକଙ୍କ ପାଖକୁ ଯାଇଛି। ସବୁ ସ୍ତରରେ ବିକାଶ କରିଛି। କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ପାଇଁ ଜନତାଙ୍କ ବିଶ୍ୱାସଭାଜନ ହୋଇନପାରି କ୍ଷମତା ହରାଇବାକୁ ପଡ଼ିଛି। ତେବେ ରାଜ୍ୟର ବିକାଶ ଲାଗି ୧୦ ବର୍ଷ ଯଥେଷ୍ଟ ହୋଇଥିବା ବେଳେ ୨୦ ବର୍ଷ ଶାସନ ହାତେଇ ବି ନବୀନ ସରକାର ବିଫଳ ହେବା ଦୁଭାର୍ଗ୍ୟଜନକ ବୋଲି ସେ କହିଛନ୍ତି। କଂଗ୍ରେସ ସରକାରରେ ବାଲେଶ୍ବର ଜିଲ୍ଲାର ବିକାଶକୁ ଯେପରି ଗୁରୁତ୍ବ ଦିଆଯାଇଥିଲା ତାହାର ସ୍ଥିତି ଏବେ ନ କହିବା ଭଲ। ରାଜ୍ୟରେ ୬୦ ଲକ୍ଷ ଯୁବକ ବେକାରୀ ଥିବା ବେଳେ ୩୮ଲକ୍ଷ ‌ବେକାରୀ ଯୁବକ ପଜ୍ଞୀକୃତ ହୋଇଛନ୍ତି। ଅନ୍ୟପକ୍ଷରେ ଏକ ଲକ୍ଷ ୮୦ ହଜାର ସରକାରୀ ନିଯୁକ୍ତି ଫାଙ୍କା ପଡ଼ିଥିବା ବେଳେ ବିଜୁ ଯୁବ ବାହିନୀ ଗଢ଼ି ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।

ଏହି କାର୍ଯ୍ୟକ୍ରମରେ ପିସିସିର କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଏଆଇସିସି ସଂପାଦକ ରୁଦ୍ର ରାଜୁ, ପିସିସି ଉପ-ସଭାପତି ଦେବାଶିଷ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେହିପରି ବାଲେଶ୍ୱରର ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସାମାଜିକ ସଂଗଠନର ସଦସ୍ୟ ଉପ‌ସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର