ଭୁବନେଶ୍ବର : ଆସନ୍ତା ୨୯ ତାରିଖରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ମତଦାନ ନ ସରୁଣୁ ବିଜେଡି ଏବଂ ବିଜେପି ଘୋଷଣା କଲେଣି ଯେ ସେମାନେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ତଥା ଲୋକସଭାରେ ଆଶାତୀତ ସଫଳତା ପାଇସାରିଲେଣି। ତେବେ ସେମାନେ ମତଦାନ କେନ୍ଦ୍ର କବ୍‌ଜା, ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଓ ବାହୁବଳ ବା ଭୋଟିଂ ମେସିନ୍‌ର କରାମତି ବଳରେ ଏଭଳି ଦାବି କରୁଥିବା ନେଇ ସିଧାସଳଖ ଅଭିଯୋଗ କରିନଥିଲେ ବି ପ୍ରଶ୍ନ କରିଛି ଓଡ଼ିଶା କଂଗ୍ରେସ ଦଳ। ବରଂ ସେମାନଙ୍କର ଆସ୍ଫାଳନକୁ ନାପସନ୍ଦ କରିଛି ଦଳ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ମୁଖପାତ୍ର ଯଜ୍ଞେଶ୍ୱର ବାବୁ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଛନ୍ତି ଯେ, ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ଏକ ଲୋକାଭିମୁଖୀ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଶେଷ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଜନସାଧାରଣଙ୍କ ଆଶୀର୍ବାଦ କାମନା କରିବା ସହିତ ସେମାନଙ୍କର ଭୋଟ ହିଁ ନିର୍ଣ୍ଣାୟକ ହେବ ‌େବାଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶିବାନନ୍ଦ ରାୟ, ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ବିଧାୟିକା ପ୍ରାର୍ଥୀ ରଶ୍ମୀ ମହାପାତ୍ର ଉପସ୍ଥିତ ଥିଲେ।