ଭୁବନେଶ୍ୱର : ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଭାବେ ଜିଏସ୍ଟି ଆଇନ୍ ଲାଗୁ ଯୋଗୁଁ ଦେଶର ଅଭିବୃଦ୍ଧି ଲଗାତାର ଭାବେ ହ୍ରାସ ପାଇଛି। ମୋଦୀ ସରକାରଙ୍କ ୬ ବର୍ଷର ଶାସନରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରି ୪୫ ବର୍ଷର ରେକର୍ଡ଼ ଭାଙ୍ଗିଛି। କରୋନା ପାଇଁ ତତ୍କାଳ ତାଲାବନ୍ଦ ଯୋଗୁଁ ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶର ଏପରି ପରିସ୍ଥିତି ପାଇଁ କେନ୍ଦ୍ରରେ ଥିବା ମୋଦୀ ସରକାର ଦାୟୀ। ଦେଶବାସୀଙ୍କ ଆଗରେ ଏହି ବାସ୍ତବ କଥାକୁ ଉପସ୍ଥାପନ ନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏନ୍ଡିଏ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତ ଦୁଇ ଦିନ ଧରି ଖାଲି କାଳ୍ପନିକ ଛବି ଆଙ୍କୁଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ମୋଦୀ ସରକାରଙ୍କୁ ସବୁ ସମୟରେ ସମର୍ଥନ ଦେଇଆସିଥିବା ରାଜ୍ୟର ବିଜେଡି ସରକାରକୁ ବି ଶ୍ରୀ ପଟ୍ଟନାୟକ ଟାର୍ଗେଟ୍ କରିଛନ୍ତି।
ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି, କୋଭିଡ୍ ପ୍ରତିହତ ପାଇଁ ହଠାତ୍ ତାଲାବନ୍ଦ ଘୋଷଣା କରିବା ଭୁଲ ନିଷ୍ପତ୍ତି। ଏପରି କରି କୋଟି କୋଟି ପ୍ରବାସୀ ଶ୍ରମିକମାନଙ୍କ ଜୀବନକୁ ବିପନ୍ନ କରାଯାଇଛି। କ୍ଷୁଧାର ଜ୍ବାଳାରେ ଆଜି ସେମାନେ ଜର୍ଜରିତ। ଭୋକ ଉପାସରେ ରାସ୍ତାରେ ଚାଲିଚାଲି ଶ୍ରମିକ ପ୍ରାଣ ହରାଉଛି। ଏହି ପାପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଣ୍ଡରେ ଯିବ। ଦେଶର ଅର୍ଥନୀତିକୁ ମୋଦୀ ସରକାର ରସାତଳଗାମୀ କରିସାରିଲେଣି। ୨୦୧୮-୧୯ ବର୍ଷରେ ଅଭିବୃଦ୍ଧି ହାର ୫.୭% ଥିବାବେଳେ ୨୦୧୯-୨୦ର ଶେଷ ତ୍ରୟମାସିକରେ ଏହି ହାର ଖସି ଆସି ୩.୧%ରେ ପହଞ୍ଚିଛି। କୋଭିଡ୍ ପୂର୍ବର ଏହି ଆର୍ଥିକ ସ୍ଥିତି ଆହୁରି ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିର ସ୍ବପ୍ନ ବାଣ୍ଟୁଥିବା ମୋଦୀ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଆର୍ଥିକ ନୀତି ଯୋଗୁଁ ଦେଶର ସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଯାଉଛି ସିନା ସୁଧୁରିବାର କିଛି ସଂକେତ ଦେଖାଯାଉନି।
ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କୋଭିଡ୍-୧୯ ଲକ୍ଡାଉନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପାରିବାପଣିଆକୁ ପଦାରେ ପକାଇ ଦେଇଛି । ରାଜ୍ୟରେ କାମଧନ୍ଦା ନପାଇ ପେଟ ଚାଖଣ୍ଡକ ପାଇଁ ବାହାର ରାଜ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ କଠିନ ତଥା ଅସ୍ୱାସ୍ଥ୍ୟକର ପରିବେଶରେ କିପରି ଦିନକୁ ୧୨ରୁ ୧୮ ଘଣ୍ଟା କାମ କରୁଥିଲେ ସେହି ନିଷ୍ଠୁର ସତ୍ୟ ଏବେ ସାମାନାକୁ ଆସିଛି। ଗତ ଏପ୍ରିଲ ୧୯ ତାରିଖରେ ଲୋକଦେଖାଣିଆ ଭାବେ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଦେଲେ। କିନ୍ତୁ ବାସ୍ତବରେ ଏହା ଏକ ପ୍ରବଞ୍ଛନା ଛଡ଼ା ଆଉ କିଛି ନୁହଁ। ପ୍ରତ୍ୟେକ ପଂଚାୟତରେ ସଙ୍ଗରୋଧ ଗୃହରେ ହେଉଥିବା ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚମାନଙ୍କର ରିମୋର୍ଟ୍ ବିଡିଓଙ୍କ ହାତରେ ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ଘୋଷଣା ହୋଇଥିବା ପ୍ରୋତ୍ସାହନ ଅର୍ଥ ଏବେସୁଦ୍ଧା ପଞ୍ଚାୟତକୁ ଦିଆଯାଇନି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କେୟାର୍ ପାଣ୍ଠିକୁ କେଉଁଠୁ ଅର୍ଥ ଆସୁଛି ଓ କେଉଁ ବାବଦରେ କେତେ ଖର୍ଚ୍ଚ ହେଉଛି ସେ ନେଇ ସ୍ପଷ୍ଟ ହେବା ଦରକାର। କୋଭିଡ୍ ସମୟରେ ରାଜ୍ୟରୁ ଉତ୍ପାଦନ ହେଉଥିବା କୋଇଲା ଉପରେ ସେସ୍ ବାବଦରେ ଟନ୍ ପିଛା ୪୦୦ ଟଙ୍କା ଆଦାୟ କରାଯାଉଛି। କୋଇଲା ରୟାଲଟି ବାବଦରେ ଓଡ଼ିଶାରୁ କେନ୍ଦ୍ର ବର୍ଷକୁ ୮ ହଜାର କୋଟି ଟଙ୍କା ନେଉଛି। ପ୍ରତିବଦଳରେ ରାଜ୍ୟକୁ ତାର ପ୍ରାପ୍ୟ ପ୍ରଦାନ କରାଯାଉନି। ସେହିପରି ସାମାଜିକ ଦାୟିତ୍ବବୋଧ ପାଣ୍ଠି ବାବଦରେ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଏହି ଅର୍ଥରୁ ଓଡ଼ିଶାକୁ ମୋଦୀ ସରକାର କେତେ ଦେଇଛନ୍ତି ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଜଣାଇବା ଦରକାର। ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ୍ ଭଡ଼ା ବାବଦରେ ରାଜ୍ୟ ସରକାର ୧୫% ଓ କେନ୍ଦ୍ର ସରକାର ୮୫% ଅର୍ଥ ପ୍ରଦାନ ନେଇ ଘୋଷଣା ହୋଇଥିଲା। ଟ୍ରେନ୍ ଭଡ଼ା ବାବଦରେ ରାଜ୍ୟ ସରକାର ସାଢ଼େ ୫ କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ କେନ୍ଦ୍ର ସରକାର ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବାବଦରେ ଟଙ୍କାଟିଏ ବି ଏଯାଏଁ ଦେଇନାହାନ୍ତି। ଏ କଥା ଖୋଦ୍ ସଲିସିଟିର ଜେନେରାଲ ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ଏବେ ରାଜ୍ୟ ସରକାର ଶ୍ରମିକମାନଙ୍କ ଟ୍ରେନ୍ ଭଡ଼ା ବାବଦରେ୧୫% ଅର୍ଥ ପ୍ରଦାନ କରିଛନ୍ତି ନା ସମ୍ପୂର୍ଣ୍ଣ ଭଡ଼ା ସେ ସମ୍ପର୍କରେ କେହି ଜାଣିପାରୁନାହାନ୍ତି ବୋଲି ସେ ମତ ରଖିଛନ୍ତି।