ଅଭିଯୁକ୍ତ, ସୁରକ୍ଷାଦାତାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି

ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ, ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସହଯୋଗୀ, ଦୁଇ ଜିଲ୍ଲାର ଏସ୍‌ପି ଓ ବିଜେଡି ସାଂଗଠନିକ ସଂପାଦକଙ୍କ ପଲିଗ୍ରାଫ ପରୀକ୍ଷା ପାଇଁ ରାଜ୍ୟ କଂଗ୍ରେସ ଦାବି କରିଛି। ମମିତା ମାମଲାରେ ବିରୋଧୀଙ୍କୁ ପ୍ରମାଣ ମଗାଯାଉଛି। ହେଲେ ଉପରୋକ୍ତ ବ୍ୟକ୍ତିମାନଙ୍କ କଲ ଡିଟେଲ୍‌ ସହ ପଲିଗ୍ରାଫ୍ ପରୀକ୍ଷା କରାଗଲେ ତଥ୍ୟ ସହ ପ୍ରମାଣ ମିଳିପାରିବ ବୋଲି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି।

ସୋମବାର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ, ପରୀ ହତ୍ୟା ଘଟଣା ଯାଞ୍ଚ ସମୟରେ ଯଦୁପୁରର ସବୁ ଲୋକ ସ୍ବେଚ୍ଛାକୃତ ଭାବେ ସାମିଲ ହେଉଥିଲେ। ପଲିଗ୍ରାଫ୍ ପରୀକ୍ଷା ପାଇଁ ରାଜି ହେଉଥିଲେ। କେବଳ ଅଭିଯୁକ୍ତଙ୍କ ପରିବାର ତଦନ୍ତରେ ସହଯୋଗ କରୁ ନ ଥିଲେ। ଠିକ୍ ସେମିତି ମମିତା ହତ୍ୟା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ ଓ ସାଂଗଠନିକ ସଂପାଦକଙ୍କ ପ୍ରତିକ୍ରିୟା, ଯଦୁପୁରରେ ଅଭିଯୁକ୍ତଙ୍କ ପରିବାରଙ୍କ ସେ ସମୟର ପ୍ରତିକ୍ରିୟା ସହିତ ମେଳ ଖାଉଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଉଭୟ ମନ୍ତ୍ରୀ ଓ ବିଜେଡି ସାଂଗଠନିକ ସଂପାଦକ ପୁଲିସ ଓ ପ୍ରଶାସନକୁ ନେଇ ଜିଲ୍ଲାର କୋଣ ଅନୁକୋଣ ବୁଲିଛନ୍ତି। ତେଣୁ ବଲାଙ୍ଗୀର ଓ କଳାହାଣ୍ଡିର ଏସ୍‌ପି, ଡିଆଇଜିଙ୍କ କଲ ରେକର୍ଡ ଯାଞ୍ଚ ସହିତ ପଲିଗ୍ରାଫ୍ ପରୀକ୍ଷା କରାଯାଉ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପରିପ୍ରେକ୍ଷୀରେ ବହୁ କ୍ୟାବିନେଟ୍ ମନ୍ତ୍ରୀ ସେ ଅଞ୍ଚଳରେ ଥିଲେ। ପୁଲିସ ଓ ପ୍ରଶାସନ ମଧ୍ୟ ତତ୍ପର ଥିଲା। ଖୋଦ୍ ଗୃହ ରାଜ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଧରି ବୁଲୁଥିଲେ। କେହି ବି ମମିତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଇ ନାହାନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଚୁପ୍ ରହିଛନ୍ତି। ଏହାର କାରଣ କ’ଣ ? ନଭେମ୍ବର ୭ତାରିଖରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏକ ଟ୍ବିଟ୍‌ କରିଥିଲେ। ଟ୍ବିଟ୍‌ ସହ ଏକ ଭିଡିଓ ଅପଲୋଡ୍ କରାଯାଇଛି। ମନ୍ତ୍ରୀ ଶ୍ରୀମତୀ ସାହୁ ମମିତାଙ୍କ ପରିବାରକୁ ଭେଟି ନାହାନ୍ତି କିମ୍ବା ସେମାନେ ମଧ୍ୟ ମନ୍ତ୍ରୀଙ୍କ ପାଖକୁ ଆସି ନାହାନ୍ତି। ତେବେ ଏହି ଭିଡିଓଟି ସେ ପାଇଲେ କେଉଁଠୁ ?

ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ଼ରୁ ସନ୍ଦେହଜନକ ଭାବେ ଫେରାର ହୋଇଗଲା। ଗୋବିନ୍ଦକୁ ଫେରାର କରିବା ପଛରେ ଗୃହ ରାଜ୍ୟମନ୍ତ୍ରୀ ଆଡ଼କୁ ଅଙ୍ଗୁଳି ଉଠୁଥିବା ବେଳେ ପୁଲିସ ମନ୍ତ୍ରୀଙ୍କ ବୋଲକରା ସାଜିଛି। ବିଜେଡି ନେତା ଅନ୍ଧାରୀ ବିଜେକରି ପୁଲିସ ଓ ପ୍ରଶାସନ ଜରିଆରେ ଝିଅକୁ ହରାଇ ଭାଙ୍ଗି ପଡ଼ିଥିବା ପିତାମାତାଙ୍କଠାରୁ ‘ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି’ ବୋଲି କହି ପ୍ରଚାର କରାଇବା ବିକୃତ ଓ ଜଘନ୍ୟ ମାନସିକତାର ପରିଚୟ। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ମନୋରଂଜନ ଦାଶ, ଅଭିଶୋକ ମହାନନ୍ଦ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର