ମୋଦୀ ସରକାରଙ୍କ ନୀତି, ଦେଶର ସ୍ୱାର୍ଥର ପରିପନ୍ଥୀ: କଂଗ୍ରେସ

ଭୁବନେଶ୍ୱର : ୨୦୧୪ ମସିହାରୁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଆସିବା ପରଠାରୁ ଦେଶରେ ଗରିବ ଜନସାଧାରଣଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତେ ଦେଶର ଅଗଣିତ ଖଟିଖିଆ, କୃଷକ, ମଧ୍ୟବିତ୍ତଙ୍କୁ ଦୁର୍ଗତି ଭିତରକୁ ଠେଲି ଦେଇଛନ୍ତି। ସରକାରରେ ଆସିବା ଦିନଠାରୁ ମୋଦୀ ସରକାର ଯେଉଁ ନିଷ୍ପତ୍ତି ସବୁ ନେଇଛନ୍ତି ‌ତାହାର ଦେଶର ସ୍ବାର୍ଥର ପରିପନ୍ଥୀ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ବୁଧବାର କଂଗ୍ରେସ ଭବନରେ ସାଂସଦ ତଥା ଏଆଇସିସି ଜମ୍ମୁ ଓ କଶ୍ମୀର ପ୍ରଭାରୀ ରଜନୀ ପାଟିଲ କହିଲେ ଯେ ବିମୁଦ୍ରୀକରଣ ଦ୍ବାରା ଦେଶକୁ କଳାଧନ ଫେରିବା ଓ ଦେଶରେ ଅରାଜକତା ହ୍ରାସ ପାଇବ। ମାତ୍ର କଳାଧନ ତ ଆସିଲା ନାହିଁ, ବରଂ ସାଧାରଣ ଲୋକ ନିଜର ରୋଜଗାର ହରାଇଲେ। ଠିକ୍ ସେହିପରି ତରବରିଆ ଭାବେ ଜିଏସ୍‌ଟି ଲାଗୁ କରାଯିବା ଫଳରେ ଦେଶର କୋଟି କୋଟି ଛୋଟ, ସାଧାରଣ ଓ ମଧ୍ୟମ ଧରଣର ବ୍ୟବସାୟୀ, ଛୋଟ ଶିଳ୍ପ ଆଦି ବନ୍ଦ ହୋଇଗଲା। ଦେଶରେ ପ୍ରାୟ ୧୪ କୋଟିରୁ ଅଧିକ ବେରୋଜଗାର ହୋଇଗଲେ। ‌ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରିବା ଫଳରେ ଲିଟର ପିଛା ଦୁଇ ତେଲର ଦର ୧୧୦ ଟଙ୍କା ଅତିକ୍ରମ କରିବାକୁ ବସିଲାଣି। ଜାଳେଣି ଗ୍ୟାସ ହଜାର ଟଙ୍କାରୁ ଅଧିକ ହେଲାଣି। ତଥାପି ମୋଦୀ ସରକାର କହୁଛନ୍ତି ଏହା ତ ଆଚ୍ଛେଦିନ।

ସେ ଆହୁରି ମଧ୍ୟ କହିଥିଲେ ଯେ ଭାଜପା ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଦେଶର ଫ୍ୟୁଚର ଗ୍ରୁପ୍ ସହିତ ବିଦେଶୀ ଆମାଜନ କମ୍ପାନିର ଯେଉଁ ଆଇନଗତ ବିବାଦ ସୃଷ୍ଟି ହେଲା ଏହାକୁ ନେଇ ଆମାଜନ କମ୍ପାନି ଆଇନ ମନ୍ତ୍ରଣାଳୟକୁ ୮୫୪୬ କୋଟି ଟଙ୍କାର ଲିଗାଲ ଫି’ ଦାଖଲ କରିଛି। ୨୦୧୮ ମସିହାରେ ଆମାଜନ ଭାରତକୁ ଆସିବା ପରେ ଏହାର ୬ଟି କମ୍ପାନି ୮୫୪୬କୋଟି ଟଙ୍କା କାହିଁକି ଖର୍ଚ କରିଛି ତାହା ବୁଝାପଡ଼ୁ ନାହିଁ। ଦେଶରେ ଆଇନରେ ପରିବର୍ତନ କରିବା ଉଦ୍ଦେଶ୍ୟରେ ଆଇନ ମନ୍ତ୍ରଣାଳୟକୁ ଏହି ଫି’ ଦିଆଯାଇଛି କି ବୋଲି ଶ୍ରୀମତୀ ପାଟିଲ ଅଭିଯୋଗ ଆଣିଛନ୍ତି। ଦେଶରେ କୋଟି କୋଟି ବ୍ୟବସାୟୀଙ୍କ ବ୍ୟବସାୟକୁ ବନ୍ଦ କରିବା, ଅଧିକରୁ ଅଧିକ ବେରୋଜଗାର ସୃଷ୍ଟି କରିବା ଏହା ପଛର ଏକ ଚକ୍ରାନ୍ତ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ବର ବେହେରା, ମୁଖପାତ୍ର ମନୋରଂଜନ ଦାସ, ମନୋଜ ରାଉତ, ରଜନୀ ମହାନ୍ତି ଓ ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର