‘କେନ୍ଦ୍ରକୁ ଅକୁଣ୍ଠିତ ସମର୍ଥନର ଫଳ ଭୋଗୁଛି ଓଡ଼ିଶା’, ୬ ବର୍ଷରେ ରାଜ୍ୟ ହରାଇଛି ୭୨ ହଜାର କୋଟି
ମୋଦୀ-ନବୀନ ଅଘୋଷିତ ମେଣ୍ଟ ନେଇ ଗର୍ଜିଲା କଂଗ୍ରେସ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ମୋଦୀ ସରକାରଙ୍କୁ ଅକୁଣ୍ଠିତ ସମର୍ଥନ ଦେଇଚାଲିଛନ୍ତି। ରାଜ୍ୟ ହଜାର ହଜାର କୋଟି କ୍ଷତି ସହୁଛି। ତଥାପି କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ବିଗତ ୬ ବର୍ଷ ଭିତରେ ରାଜ୍ୟ ୭୨ ହଜାର କୋଟି ହରାଇଲାଣି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ। ଅଭିଯୋଗ କରିଛନ୍ତି କି ଉଭୟ ନବୀନ-ମୋଦୀ (ନମୋ) ମିଳିମିଶି ରାଜ୍ୟକୁ ଶୋଷିଚାଲିଛନ୍ତି।
ଶ୍ରୀ କାନୁନଗୋ କହିଛନ୍ତି, ବିଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରତ୍ୟେକ ନିଷ୍ପତ୍ତି ଯେତେ କ୍ଷତିକାରକ ଓ ଲୋକବିରୋଧୀ ହେଲେ ମଧ୍ୟ ନବୀନ ବାବୁ ଓ ତାଙ୍କ ଦଳ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ବିମୁଦ୍ରୀକରଣ, ଜିଏସ୍ଟି, କୃଷି ଆଇନ, କୋଇଲା ନିଲାମ, ସିଏଏ ଆଇନ ସବୁଥିରେ ନବୀନ-ମୋଦୀଙ୍କ ଡବଲ୍ ଇଞ୍ଜିନ୍ର ସରକାର ଏକାଠି କାର୍ଯ୍ୟ କରୁଛନ୍ତି। ଓଡ଼ିଶାରୁ ବିଜେପି ନେତାଙ୍କୁ ରାଜ୍ୟସଭାକୁ ପଠାଇବାରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ସାରା ଓଡ଼ିଶା ଦେଖିଛି। ରାଜ୍ୟର ଋଣଭାର ୧ ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଲାଣି। ଆଳୁ, ପିଆଜ ଓ ପେଟ୍ରୋଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ାଚାଲିଛି। ଆର୍ଥିକ ଚାପରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। କେବିକେ ଯୋଜନା ବନ୍ଦ ହେଲା। ରାଜ୍ୟର କିରାସିନି କୋଟାକୁ କେନ୍ଦ୍ର କମାଇଲା। ତଥାପି ରାଜ୍ୟ ସରକାର ଚୁପ୍। ଶିକ୍ଷିତ ଯୁବକଯୁବତୀ ବ୍ୟାଙ୍କରୁ ଆଣିଥିବା ଋଣ ଶୁଝିବାକୁ ଅକ୍ଷମ। ବେକାରୀ ହାର ଉତ୍କଟ ରୂପ ଧାରଣ କଲାଣି। ଦାରିଦ୍ର ଯୋଗୁଁ ଚାଷୀ ବ୍ୟାଙ୍କ ଋଣ ବି ଶୁଝିପାରୁନାହାନ୍ତି। ଯାହାକି ବ୍ୟାଙ୍କର ମୋଟ୍ ଏନ୍ପିଏର ୧୪%।
ଓଡ଼ିଶାର ଜିଏସ୍ଟି କ୍ଷତିପୂରଣ ବାବଦରେ ୨୦୧୯-୨୦ ମସିହା ପାଇଁ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ। ୨୦୨୦-୨୧ ମସିହା ପାଇଁ ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସ୍ଟି ବାବଦକୁ ୩୬୪୭ କୋଟି ଟଙ୍କା ଓଡ଼ିଶା କେନ୍ଦ୍ର ଠାରୁ ପାଇବାର ଅଛି। ଏତେସବୁ ପରେ ବି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଗରେ କୌଣସି ଦାବି ରଖୁନାହାନ୍ତି। ଅଥଚ ପୁଣି ଥରେ ଋଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସମଗ୍ର ଦେଶ ପାଇଁ ଜିଏସ୍ଟି ବାବଦରେ ୩୬ ହଜାର ୪୦୦ କୋଟି ଟଙ୍କାରୁ ଓଡ଼ିଶାକୁ କେତେ ମିଳିଛି ତାକୁ ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବାକୁ ଶ୍ରୀ କାନୁନଗୋ ଆହ୍ବାନ ଦେଇଛନ୍ତି। ସେ ଆହୁରି ଦର୍ଶାଇଛନ୍ତି, ଗତ ୬ ବର୍ଷ ଧରି ଲୁହାପଥର ରୟାଲଟି ବୃଦ୍ଧି କରାନଯିବାରୁ ରାଜ୍ୟର ୪ ହଜାର କୋଟି ହରାଇଛି। ସେହିପରି କୋଇଲା ରୟାଲଟି ପୁନଃ ନିର୍ଦ୍ଧାରଣ ନ ହେବାରୁ ଓଡ଼ିଶା ୧୨ ହଜାର କୋଟି କ୍ଷତି ସହିଛି। ନ୍ୟାସ୍ନାଲ୍ କ୍ଲିନ୍ ଏନର୍ଜି ପାଣ୍ଠି ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି, ସେଥିରେ ଓଡ଼ିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ପାଉନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସମଦୂରତା କଥା କହୁଥିବା ମୁଖ୍ୟମନ୍ତ୍ରୀ ନିଜ ଦଳୀୟ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସମ୍ମୁଖରେ ଓଡ଼ିଶାର ନ୍ୟାଯ୍ୟ ଦାବି ଓ ହକ୍କୁ ଉତ୍ଥାପନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।