ଭୁବନେଶ୍ବର : ରାଜ୍ୟରେ ନବୀନ ସରକାର ଅମଳରେ ୮ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ଜିଲ୍ଲାପାଳମାନେ ରାଜ୍ୟରେ ଜଣେ ହେଲେ ବି ଚାଷୀ ଆତ୍ମହତ୍ୟା କରି ନ ଥିବା ରିପୋର୍ଟ ଦେଇଛନ୍ତି। ସେହିପରି ମୋଦୀ ସରକାର ଚାଷୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇ ୩ଟି କଳା କୃଷି ଆଇନ ପ୍ରଣୟନ କରିଛନ୍ତି। କଳା କୃଷି ଆଇନରେ ମୋଦୀଙ୍କ କର୍ପୋରେଟ୍ ବନ୍ଧୁ ଲାଭବାନ ହେବେ ଓ ଚାଷୀ ରସାତଳକୁ ଯିବେ। ତେଣୁ ନବୀନ ଓ ମୋଦୀଙ୍କ ଶାସନରେ ଚାଷୀମାନେ ଉପେକ୍ଷିତ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳୀନରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଲେ, ଦୀର୍ଘ ୨୧ବର୍ଷ ଧରି ନବୀନ ସରକାର ରାଜ୍ୟର ଚାଷୀଙ୍କୁ ପ୍ରତାରିତ କରି ଆସିଛନ୍ତି। ଚାଷୀ ଆତ୍ମହତ୍ୟା ମାନିବାକୁ ରାଜ୍ୟ ସରକାର ନାରାଜ। ଚାଷୀ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚାଷୀଙ୍କ ଉପରୁ ୭୦ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିଲେ। ହେଲେ ନବୀନ ସରକାର ଚାଷୀଙ୍କ ଭୋଟକୁ ହାତେଇବା ପାଇଁ ଯେଉଁ ଯୋଜନା କରିଛନ୍ତି କେବଳ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ। ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଯୋଜନାକୁ ହଡ଼ପ କରିଛନ୍ତି। କୃଷି ମନ୍ତ୍ରୀ ୨୦୧୯ ମସିହାରେ ରାଜ୍ୟରେ ୩.୪୧ଲକ୍ଷ ହିତାଧିକାରୀ ଅଯୋଗ୍ୟ ବୋଲି ଦର୍ଶାଇଥିବା ବେଳେ ବିଜେଡି ମୁଖପାତ୍ର ମାତ୍ର ୩୨ହଜାର ଅଯୋଗ୍ୟ ହିତାଧିକାରୀ ରହିଥିବା କହିଥିଲେ। ଏଭଳି ଭାବେ ଲୋକଙ୍କ ଟିକସରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ହରିଲୁଟ୍ କରାଯାଉଛି। ସେହିପରି ବିଜୁ କୃଷକ କଲ୍ୟାଣ ଯୋଜନାରେ ଟଙ୍କା ପଇଠ ପରେ ବି ଚାଷୀଙ୍କୁ ବୋରୱେଲ ମିଳୁନାହିଁ। ୨୦୦୫/୦୬ରେ ରାଜ୍ୟ ସରକାର ୩୧୪ ବ୍ଲକ୍ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା ପାଇଁ ଘୋଷଣା କରିଥିଲେ। ହେଲେ ୨୦୧୯ ସୁଦ୍ଧା ବାକି ୭୨ ବ୍ଲକ୍ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ ହୋଇପାରି ନାହିଁ।
ରାଜ୍ୟରେ କୋଲ୍ଡ ଷ୍ଟୋରେଜ୍ ସୁବିଧା ନ ଥିବାରୁ ପ୍ରତିବର୍ଷ ୧.୪୫ଲକ୍ଷ ମେଟ୍ରିକ ଟନ୍ ଫଳ ଓ ୪-୫ଲକ୍ଷ ମେଟ୍ରିକ ଟନ୍ ପରିବା ନଷ୍ଟ ହେଉଛି। ୨୦୧୮ ମସିହାରେ ୧୫୦ଟି ନୂଆ କୋଲ୍ଡ ଷ୍ଟୋରେଜ୍ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ରାଜ୍ୟର ଚାଷୀ ଏବେ ବି ଚାହିଁ ବସିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାସ ଉପସ୍ଥିତ ଥିଲେ।