ଗଜପତିଙ୍କ ବୟାନକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଆଇନ ମନ୍ତ୍ରୀ ଓ ଆଡଭୋକେଟ୍‌ ଜେନେରାଲଙ୍କ ବହିଷ୍କାର ଦାବି

ଭୁବନେଶ୍ବର : ଚଳିତବର୍ଷ ରଥଯାତ୍ରା ନେଇ ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେବା ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯେପରି ବୟାନ ରଖିଛନ୍ତି, ତାହାକୁ ନେଇ ପ୍ରଦେଶ କଂଗ୍ରେସ ସରକାରଙ୍କୁ ଟାର୍ଗେଟ୍‌ କରିଛି। ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଭିତିରିଆ ଫିକ୍ସିଂ କରି ଚଳିତବର୍ଷ ରଥଯାତ୍ରା ନ କରିବାକୁ ରାଜ୍ୟ ସରକାର ଷଡ଼୍‌ଯନ୍ତ୍ର କରିଥିବା ଦଳ ଅଭିଯୋଗ କରିଛି। ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଇନ ମନ୍ତ୍ରୀ ଓ ଆଡଭୋକେଟ୍‌ ଜେନେରାଲଙ୍କୁ ଦାୟୀ କରି ସେମାନଙ୍କ ବହିଷ୍କାର ଦାବି କରିଛନ୍ତି।

www.odishabytes.com

ଶ୍ରୀ ନାୟକ ଅଭିଯୋଗ କରି କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ହେଲେ ଗତପତି ମହାରାଜ। ନିଜେ ଗଜପତି ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେବା ଅବସରରେ ସ୍ପଷ୍ଟ କରିଛନ୍ତି ଯେ ଗତ ୧୮ ତାରିଖରେ ରଥଯାତ୍ରା ନ କରିବାକୁ ସୁପ୍ରିମକୋର୍ଟରେ ଶୁଣାଣିବେଳେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ନିଷ୍ପତ୍ତି ସମ୍ପର୍କରେ ଜଣାଇନଥିଲେ। ବରଂ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନକାରୀ ଏନ୍‌ଜିଓଙ୍କ ପକ୍ଷରୁ ଲଢ଼ୁଥିବା ଓକିଲଙ୍କ ଯୁକ୍ତି ସହ ସ୍ବର ମିଳାଇଥିଲେ। ଯାହା ସମସ୍ତଙ୍କୁ ହତବାକ୍‌ କରିଦେଇଥିଲା। ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ତାଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ଅଥଚ ରାଜ୍ୟ ସରକାର ଗଜପତିଙ୍କ ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇନାହାନ୍ତି। ଏହି ଘଟଣାକୁ ନେଇ ସରକାରଙ୍କ ଆଇନ ମନ୍ତ୍ରୀ ଓ ଆଡଭୋକେଟ୍‌ ଜେନେରାଲଙ୍କ ଭୂମିକା ସନ୍ଦେହ ଘେରରେ। ସରକାରଙ୍କ ଆଇନ ପରାମର୍ଶଦାତା ଭାବେ ଆଡଭୋକେଟ୍‌ ଜେନେରାଲ୍‌ ସୁପ୍ରିମ୍‌କୋର୍ଟରେ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଦାମୀ ଓକିଲ ଶ୍ରୀ ସାଲଭେଙ୍କୁ ଯେପରି ଧାରଣା ଦେଇଥିବେ ସେହି ଅନୁଯାୟୀ ସେ ପକ୍ଷ ରଖିଥିଲେ। ଆଡଭୋକେଟ୍‌ ଜେନେରାଲ୍‌ କାହା ପାଇଁ ସୁପ୍ରିମ୍‌କୋର୍ଟ ଯାଇଥିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ସରକାର ଦେବା ଦରକାର।

Puri Police

ଅନ୍ୟପଟେ ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ଛାଡ଼ିବା ପରେ ସରକାର ଚୁପ୍‌ ବସିଲେ କାହିଁକି? ବିନା ଭକ୍ତରେ ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବାକୁ ପ୍ରଥମରୁ ହିଁ କଂଗ୍ରେସ ଦଳ ଅନୁରୋଧ କରିଆସୁଥିଲା। ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ପୁରୀ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲେ। ସୂଚନାଯୋଗ୍ୟ ଯେ ଏକ ଘରୋଇ ଟିଭିକୁ ସାକ୍ଷାତକାର ଦେଇ ଗଜପତି କହିଥିଲେ ଯେ, ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ବୋଲି ସେ ଦୁଇ ମାସ ତଳୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ପରିଚାଳନା କମିଟିର ଭାବନା ସମ୍ପର୍କରେ ଏପ୍ରିଲ୍‌ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ରଥଯାତ୍ରା ପାଇଁ ପୁରୀରେ ୧୦ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆବେଦନକାରୀ ଓକିଲଙ୍କ ତଥ୍ୟକୁ ସମର୍ଥନ କରି ସବୁ ବିଗାଡ଼ି ଦେଇଥିଲେ। ଯେଉଁଥିପାଇଁ ସୁପ୍ରିମ୍‌କୋର୍ଟ ସେହିଦିନ ରଥଯାତ୍ରା ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର