ଜଳସମ୍ପଦ ପରିଚାଳନାରେ ଓଡ଼ିଶା ବିଫଳ: କଂ‌ଗ୍ରେସ

ଭୁବନେଶ୍ବର : ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ସମନ୍ବିତ ଜଳ ପରିଚାଳନା ସାରଣୀ ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି। ୧୭ଟି ଅଣ ହିମାଳୟ ରାଜ୍ୟ ମଧ୍ୟରୁ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଖରାପ ବୋଲି ଦର୍ଶାଯାଇଛି। ଓଡ଼ିଶାର ସ୍ଥାନ ୧୪ ନମ୍ବରକୁ ଖସିଯାଇଛି। ୨୦୧୫-୧୬ ରିପୋର୍ଟରେ ରାଜ୍ୟର ସ୍ଥାନ ୯ ନମ୍ବର ଥିଲା ବେଳେ ୨୦୧୬-୧୭ରେ ୪ଟି ସ୍ଥାନ ତଳକୁ ଖସି ୧୩ ନମ୍ବରରେ ପହଞ୍ଚିଥିଲା। ୨୦୧୭-୧୮ରେ ଓଡ଼ିଶା ଆହୁରି ଗୋଟିଏ ସ୍ଥାନ ତଳକୁ ଖସି ୧୪ ନମ୍ବରରେ ପହଞ୍ଚିଛି। ଜଳ ପରିଚାଳନାରେ ଏହା ଓଡ଼ିଶାର ବିଫଳତାକୁ ସୂଚାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଲେ, ସମନ୍ବିତ ଜଳ ପରିଚାଳନା ସାରଣୀ ଏମିତି ଏକ ବ୍ୟବସ୍ଥା ଯେଉଁଥିରେ ରାଜ୍ୟଗୁଡ଼ିକରେ ଜଳସେଚନ ସ୍ଥିତି, ପାନୀୟ ଜଳ, ଜଳାଶୟଗୁଡ଼ିକର ବିକାଶ, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପର ସ୍ଥିତି, ଜଳଛାୟାର ବିକାଶ, ପାନୀୟ ଜଳ ଯୋଗାଣ, ଜଳସେଚନ ସମ୍ପର୍କିତ ନୀତି ସମ୍ପର୍କରେ ଆକଳନ କରି ହେବ। ଏହି ବ୍ୟବସ୍ଥା ଦ୍ବାରା ଦେଶରେ ଯେପରି ଭାବେ ଜଳସଙ୍କଟ ବଢ଼ିବାରେ ଲାଗିଛି ତାହାର ବାସ୍ତବ ସ୍ଥିତି ଜାଣିବା ସହ ସମାଧାନ କରାଯାଏ। ଏଥି ପାଇଁ ନୀତି ଆୟୋଗ ୨୮ଟି ପରିମାପକ ରଖିଛନ୍ତି। କିନ୍ତୁ ଏଥିରୁ ୨/୩ଟି ଛାଡ଼ିଦେଲେ ଓଡ଼ିଶା ସରକାରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ମହାନଦୀ ଓ ଜଳସମ୍ପଦର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଯେଉଁ ପ୍ରଚାର ଚଳାଇଛନ୍ତି, ତାହା କେବଳ ବିଫଳତାକୁ ଲୁଚାଇବା ପାଇଁ ବାହାସ୍ଫୋଟ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର