କୋଭିଡ-୧୯ ମୁକାବିଲା ପାଇଁ ଗୋଲାପି ଚିତ୍ର ଆଙ୍କିଛନ୍ତି ପଞ୍ଚାୟତିରାଜ ସଚିବ: କଂଗ୍ରେସ

ଭୁବନେଶ୍ବର : କୋଭିଡ-୧୯ ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଘୋଷଣାକୁ କଂଗ୍ରେସ ସମାଲୋଚନା କରିଛି। ସରକାରଙ୍କ ଘୋଷଣା ବାସ୍ତବତାଠାରୁ ବହୁ ଦୂରରେ ବୋଲି ଦଳ କହିଛି। ୬ ହଜାର ୭୯୮ଟି ପଞ୍ଚାୟତରେ ୩୫ ଲକ୍ଷ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ନେଇ ଯାହା ସରକାର କହିଛନ୍ତି, ସେ ନେଇ ସନ୍ଦେହ ସୃଷ୍ଟି ହେଉଛି। ୧୦ ଜଣ କରୋନା ଆକ୍ରାନ୍ତ ରୋଗମୁକ୍ତ ହେବା ଶୁଭ ସଙ୍କେତ। ଏଥିପାଇଁ ଦିନରାତି ଏକ୍‌ କରିଦେଇଥିବା ଡାକ୍ତର, ନର୍ସ୍‌, ମେଡିକାଲ୍‌ ଓ ପ୍ରଶାସନିକ କର୍ମଚାରୀଙ୍କୁ ଦଳ କୃତଜ୍ଞତା ଜଣାଇଛି।

ଦଳୀୟ ନେତା ସୁଦର୍ଶନ ଦାସ ପ୍ରେସ୍‌ ବିବୃତି ଜାରି କରି ଜଣାଇଛନ୍ତି, ପଞ୍ଚାୟତ ସ୍ତରରେ ସଙ୍ଗରୋଧ କେନ୍ଦ୍ର ବାବଦରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାର ଘୋଷଣା କରିିଥିଲେ। ପ୍ରଦେଶ କଂଗ୍ରେସ ପକ୍ଷରୁ ଏ ନେଇ ଅନୁଧ୍ୟାନ କରିବା ପରେ ଜଣାପଡ଼ିଲା ବିଭିନ୍ନ ସ୍କୁଲ, କଲେଜ୍‌ରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ୧୦ରୁ ୨୦ ଶଯ୍ୟା ପଡ଼ିଛି। ସେଥିରେ କେନ୍ଦ୍ରଗୁଡ଼ିକର ଚୂନ ଧଉଳା, ଟଏଲେଟ୍‌ ମରାମତି, ବାଲ୍‌ଟି ଓ ମଗ୍‌ କିଣା ବାବଦରେ ଅର୍ଥ ଖର୍ଚ୍ଚ କରାଯାଇଛି। ଏସବୁ ମିଶି ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ର ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅର୍ଥ ଯେପରି ଭାବେ ଖର୍ଚ୍ଚ କରାଯାଉଛି ସେଥିରେ କୌଣସି ସ୍ବଚ୍ଛତା ଅବଲମ୍ବନ କରାଯାଉ ନ ଥିବା ପରିଲକ୍ଷିତ ହେଉଛି। କୌଣସି ବି ସ୍ଥାନରେ ସରପଞ୍ଚ କିମ୍ବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଏହି ବ୍ୟବସ୍ଥା ଭିତରେ ସାମିଲ କରାଯାଉନି। ପଞ୍ଚାୟତଵାରୀ ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ର ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେହି ତଥ୍ୟ ସାଧାରଣରେ ପ୍ରକାଶ କରିବାକୁ ଶ୍ରୀ ଦାସ ଦାବି କରିଥିଲେ।

ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏନ୍‌ଆର୍‌ଇଜିଏସ୍‌) ଜବ୍‌ କାର୍ଡ଼ଧାରୀଙ୍କୁ କୃଷି କାର୍ଯ୍ୟରେ ନିୟୋଜିତ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ତାଲାବନ୍ଦରେ କୃଷି କାର୍ଯ୍ୟ ପାଇଁ ଶ୍ରମଜୀବୀଙ୍କ ଅଭାବ ରହିଛି। ଘରୋଇ କୃଷି କ୍ଷେତ୍ରରେ ଏନ୍‌ଆର୍‌ଇଜିଏସ୍‌ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ନିୟୋଜିତ କରି ସେମାନଙ୍କ ପ୍ରାପ୍ୟ ବାବଦରେ ଏହି ଯୋଜନା ଅର୍ଥରୁ ଦିଆଯାଉ। ଫଳରେ ଏହି ତିରୋଟ ସମୟରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼ୁଥିବା କୃଷି ଶ୍ରମିକ ସମସ୍ୟା ଦୂର ହେବା ସହ ଚାଷୀ ଉପକୃତ ହୋଇପାରିବେ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର