ରାଜ୍ୟ ବଜେଟ୍‌କୁ ନେଇ ଗର୍ଜିଲା କଂଗ୍ରେସ

ରାଜ୍ୟକୁ ଦେବାଳିଆ ସ୍ଥିତିକୁ ଠେଲିଦେବାକୁ ବ୍ୟବସ୍ଥା ହୋଇଛି: ପଞ୍ଚାନନ

ଭୁବନେଶ୍ବର : ୨୦୨୦-୨୧ ରାଜ୍ୟ ବଜେଟ୍‌ରେ ଯେପରି ବ୍ୟବସ୍ଥା ହୋଇଛି ତାହା କେବଳ ପ୍ରଗତି କରିବା ପରିବର୍ତ୍ତେ ଓଡ଼ିଶାକୁ ଅନଗ୍ରସର, ବେକାରି ବୃଦ୍ଧି ଓ ଋଣ ବୃଦ୍ଧି କରିବାରେ ସହାୟକ ହେବ। ଏପରିକି ରାଜ୍ୟର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇ ଦେବାଳିଆ ସ୍ଥିତି ଆଡ଼କୁ ଠେଲି ହୋଇଯିବ। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଏପରି ପୁଳା ପୁଳା ଅଭିଯୋଗ ଆଣିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ। କହିଛନ୍ତି, ରାଜ୍ୟ ସରକାର ନିଜସ୍ବ ସମ୍ବଳ ସଂଗ୍ରହ ଉପରେ ଗୁରୁତ୍ବ ନ ଦେଇ କେବଳ ଲୋକଦେଖାଣିଆ ଭାବେ ଚାଷୀ ଓ ଯୁବକଯୁବତୀଙ୍କୁ ଭଣ୍ଡାଇବାକୁ ଉଦ୍ୟମ କରିଛନ୍ତି।

ଶ୍ରୀ କାନୁନ୍‌ଗୋ ଅଭିଯୋଗ କରି କହିଥିଲେ, ଏହି ବଜେଟ୍‌ରେ କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ମୌଳିକ ଆବଶ୍ୟକତା ପ୍ରତି ଅଣଦେଖା କରାଯାଇଛି। ମଦବିକ୍ରୀ ରାଜସ୍ବ ଉପରେ ଗୁରୁତ୍ବେ ଦେବା ସହ ଖଣିଜ ସମ୍ପଦ ବିକ୍ରୀରୁ ଅଧିକ ଆଦାୟ କରିବାକୁ ଉଦ୍ୟମ କରାଯାଇଛି। ବଜେଟ୍‌ରେ ପୁଞ୍ଜି ଲଗାଣ ଉପରେ ଗୁରୁତ୍ବ ଦିଆଯାଇନି। ଗୋଟିଏପଟେ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ସରକାର ଅସମର୍ଥ ଥିବାବେଳେ କାଳିଆ ପରି ଯୋଜନା କରି ଚାଷୀଙ୍କୁ ଠକିବାକୁ ବ୍ୟବସ୍ଥା କରିଛନ୍ତି। ପର୍ଯ୍ୟଟନକୁ ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦେଇନଥିବା ନବୀନ ବାବୁଙ୍କ ସରକାର ହଠାତ ମନ୍ଦିରଗୁଡ଼ିକ ସୋନ୍ଦର୍ଯ୍ୟୀକରଣ କରି ଅତି ଚତୁରତାର ସହ ବେକାରୀ ସମସ୍ୟା ଓ ଆର୍ଥିକ ବିକାଶ ଦିଗକୁ ଟାଳିବାର ଅଭିନବ ପ୍ରୟାକ ଚଳାଇଛନ୍ତି। ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍‌ରେ ୯ ହଜାର ୫୦୯ କୋଟି ଟଙ୍କାର ଯେଉଁ ରାଜସ୍ବ ବଳକା ବଜେଟ୍‌ ବୋଲି ଉଲ୍ଲେଖ ରଖାଯାଇଛି, ତାହା ସମ୍ପୂର୍ଣ୍ଣ ଓଲଟା। ଏହା ରାଜସ୍ବ ବଳକା ନୁହଁ ରାଜସ୍ବ ନିଅଣ୍ଟିଆ ବଜେଟ୍‌। କର୍ମଚାରୀଙ୍କ ବକେୟା ଦରମା ଓ ମହଙ୍ଗାଭତ୍ତା ମିଶିଲେ ୧୨ ହଜାର କୋଟି ଟଙ୍କା ହେବ। ଏହିବର୍ଷର ମିଶିଲେ ରାଜସ୍ବ ନିଅଣ୍ଟ ପ୍ରାୟ ୩ ହଜାର କୋଟି ହେବ। ଆର୍ଥିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ଶ୍ରୀ କାନୁନ୍‌ଗୋ କହିଥିଲେ, ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ। ୨୦୧୪-୧୫ରେ ମୋଟ ରାଜ୍ୟ ଘରୋଇ ଉତ୍ପାଦରେ କୃଷିରୁ ୧୮.୪୧% ମିଳିଥିଲା। ୨୦୧୯-୨୦ରେ ଏହା ଖସିଆସି ୧୪.୦୧%ରେ ପହଞ୍ଚିଲା। ସେହିପରି ୨୦୧୪-୧୫ରେ ମାନୁଫାକ୍‌ଚରିଙ୍ଗ୍‌ ଶିଳ୍ପରୁ ଆୟ ୧୭.୧୦% ମିଳିଥିବାବେଳେ ଏହା ୨୦୧୯-୨୦ ସୁଦ୍ଧା ୨୧% ହୋଇପାରେ। ସେହିପରି ଅନ୍ୟାନ୍ୟ କ୍ଷେତ୍ର ଯଥା, ପରିବହନ, ହୋଟେଲ କାରବାର, ରିୟଲ୍‌ ଇଷ୍ଟେଟ୍‌ କାରବାର ମଧ୍ୟ ହ୍ରାସ ପାଇଛି। ଅନ୍ୟପଟେ ରାଜ୍ୟରେ ବେକାରୀ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କଲାଣି। ବେକାରୀ ହାର ୭.୮%ରେ ପହଞ୍ଚିଛି। ନିଯୁକ୍ତିକୁ ସମ୍ପୂର୍ଣ୍ଣ ଭାବେ ସଂକୋଚନ କରାଯାଇଛି। ପୂର୍ବରୁ କାଳିଆ ଯୋଜନାରେ ୫୧ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସରକାର କହୁଥିଲେ ଏବେ ୪୩ ଲକ୍ଷ ଚାଷୀ ବୋଲି ମନ୍ତ୍ରୀ କହିଛନ୍ତି। ଏହି ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଦେବା ପାଇଁ ୪ ହଜାର ୫୦୦ କୋଟି ଆବଶ୍ୟକ ପଡ଼ୁଥିବାବେଳେ ବଜେଟ୍‌ରେ ମାତ୍ର ୩ ହଜାର ୧୦୦ କୋଟି ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର