ସ୍ଥାଣୁ ପାଲଟିଛି ଯୋଜନା ଓ ସଂଯୋଜନ ବିଭାଗ: କଂଗ୍ରେସ

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବୃଦ୍ଧି ନେଇ ଗୃହରେ ଦାବି, ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ଖର୍ଚ୍ଚ ଦାବି ଗୃହୀତ, ୧,୦୯୫ କୋଟି ଟଙ୍କାର ଖର୍ଚ୍ଚ ଦାବିକୁ ଅନୁମୋଦନ

ଭୁବନେଶ୍ବର, : ପ୍ଲାନିଂ ଓ କନଭରଜେନ୍ସ (ଯୋଜନା ଓ ସଂଯୋଜନ) ବିଭାଗ ନୁହେଁ ପାରାଲିସିସ୍ ଓ କୋମା ବିଭାଗ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦିଗହରା। ଯୋଜନା ଓ ସଂଯୋଜନ ବିଭାଗ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ କଣ କାମ କରୁଛି ତାହା ବୁଝାପଡ଼ୁନି। ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗକୁ ଏପରି ଚିତ୍ରଣ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅନ୍ୟପକ୍ଷରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ ଦଳମତ ନିର୍ବିଶେଷରେ ଆଲୋଚନାରେ ଭାଗ ନେଇଥିବା ସବୁ ବିଧାୟକମାନେ ଦାବି କରିଛନ୍ତି।

ଗୁରୁବାର ଯୋଜନା ଓ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ନରସିଂହ ମିଶ୍ର କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ କଂଗ୍ରେସ ସରକାର ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଇନ ହୋଇଥିଲା। ସାଢ଼େ ୧୦ଟି ଜିଲ୍ଲାକୁ ନେଇ ଏହି ବିକାଶ ପରିଷଦ ଆଜି କେବଳ ସାଇନ ବୋର୍ଡ଼ରେ ସୀମିତ ରହିଛି। ବିଜେଡି ସରକାରଙ୍କ ଦୀର୍ଘ ୨୦ ବର୍ଷର ସ୍ଥିର ସରକାର ସମୟରେ ବଲାଙ୍ଗୀର ଜିଲ୍ଲାରେ ପିଇବା ପାଣି ତ ଦୂର କଥା ଶୌଚ ହେବାକୁ ପାଣି ମିଳେନି। ଅପହଞ୍ଚ ଇଲାକା ଓ ଅନେକ ଅଞ୍ଚଳରେ ଅନାହାର ପରିସ୍ଥିତି ଏବେ ବି ଦେଖିବାକୁ ମିଳୁଛି। ଗତ ୩ ବର୍ଷ ଧରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ୧ ହଜାର କୋଟି କରିବାକୁ ଏ ଗୃହରେ ଦାବି କରିଆସୁଥିଲେ ବି ସରକାର କିମ୍ବା ମୁଖ୍ୟମନ୍ତ୍ରୀ ଅର୍ଥ ବୃଦ୍ଧି କରୁନାହାନ୍ତି। ବଲାଙ୍ଗୀରରେ ମାତ୍ର ୩% ଜଳସେଚନ ହୋଇଥିବାବେଳେ ମନ୍ତ୍ରୀ ୩୩% ହୋଇଥିବା ନେଇ ଭୁଲ ତଥ୍ୟ ଗୃହରେ ରଖୁଛନ୍ତି। ସବୁ ବ୍ଲକ୍‌କୁ ୩୫% ଜଳସେଚନ ଓ ଚାଷୀଙ୍କୁ ମାଗଣା ବିଜୁଳି କେବଳ ଘୋଷଣାରେ ରହିଛି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ନେଇ ଶ୍ରୀ ମିଶ୍ର କହିଥିଲେ ବିକାଶ ପରିଷଦ ଆଇନରେ ଉଲ୍ଲେଖ ରହିଛି, ମୁଖ୍ୟାଳୟ ସମ୍ପୃକ୍ତ ଜିଲ୍ଲା ଭିତରେ କରିବାକୁ। କିନ୍ତୁ ନବୀନ ବାବୁଙ୍କ ଦୀର୍ଘ ୨୦ ବର୍ଷ ଶାସନ କାଳ ଭିତରେ ତାହା ସମ୍ଭବ ହେଲାନାହିଁ। ସେ ନିଜେ ଅଧ୍ୟକ୍ଷ ଥିବାବେଳେ ୧ କୋଟି ଟଙ୍କାରେ କାମ ଆରମ୍ଭ କରି ପରେ ୩ କୋଟି ଟଙ୍କାରେ ପହଞ୍ଚାଇଥିଲେ। ୨୦୦୧-୦୨ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୫୦ କୋଟି ଟଙ୍କା ଦେବାକୁ ସରକାର ସ୍ଥିର କଲେ। ମୂଳ ବଜେଟରେ ୩୦ କୋଟି ଓ ଅତିରିକ୍ତ ବଜେଟରେ ୨୦ କୋଟି କରି ଦେଲେ। ଏବେ ସେ ଅର୍ଥ ୧୫୦ କୋଟିରେ ପହଞ୍ଚିଛି। ହେଲେ ଏତିକି ଅର୍ଥ ରାଜ୍ୟର ଏକ ଚତୁର୍ଥାଂଶ ଲୋକଙ୍କ ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିକାଶ ପରିଷଦ ତରଫରୁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାକୁ ଆବଶ୍ୟକତା ଅନୁଯାୟୀ ଅର୍ଥ ମଞ୍ଜୁର କରାଯାଉନି। ଗତ ୧୦ ବର୍ଷ ଭିତରେ ଆବଣ୍ଟିତ ହୋଇଥିବା ଅର୍ଥର ହିସାବ ଦେଇ ଶ୍ରୀ ମିଶ୍ର କହିଥିଲେ ବଲାଙ୍ଗୀରକୁ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ପ୍ରାୟ ୧୨୩ କୋଟି ଟଙ୍କା ମିଳିଥିବାବେଳେ ସମ୍ବଲପୁର ପାଇଁ ୧୩୫ କୋଟି ପ୍ରଦାନ କରାଯାଇଛି। ସେହିପରି ବରଗଡ଼ ପାଇଁ ପ୍ରାୟ ୧୪୪ କୋଟି ଟଙ୍କା ମିଳିଛି। ସେହିପରି ସୁନ୍ଦରଗଡ଼ ପାଇଁ ପ୍ରାୟ ୧୯୭ କୋଟି ପ୍ରଦାନ କରାଯାଇଛି। ଗତ ଆର୍ଥିକ ବର୍ଷରେ ଆବଣ୍ଟିତ ଅର୍ଥ ଏ ଯାଏ ମିଳିନି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ବିକାଶ ହେବତ କେମିତି? ଯୋଜନା ପ୍ରସ୍ତୁତ ନ ହୋଇ ବିଭାଗ ଅର୍ଥ ବ୍ୟୟ ବରାଦ କରୁଛି। ଯେଉଁଠି ଦରକାର ସେଥିପାଇଁ ଅର୍ଥ ଦିଆଯାଉନି। ବୈଷମ୍ୟ କେମିତି ଦୂର ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୧ କୋଟିରୁ ୫ କୋଟି କରିବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

ବିଜେଡି ବିଧାୟକ ନୃସିଂହ ସାହୁ କହିଥିଲେ, ବିକାଶ କିଛି ହୋଇନି ବୋଲି କହିବା ଠିକ୍ ନୁହେଁ, ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ପ୍ରକଳ୍ପର ବିକାଶ ବିଜେଡି ସରକାର ସମୟରେ ସମ୍ଭବ ହୋଇଛି। କିନ୍ତୁ ବିଧାୟକମାନଙ୍କୁ ମିଳୁଥିବା ହାତ ପାଣ୍ଠି କମ୍‌ ହେଉଛି। ଏହାକୁ ବୃଦ୍ଧି କରାଯିବା ଦରକାର। ଶ୍ରୀ ସାହୁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ କହିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଦେବା ପରିବର୍ତ୍ତେ ଯୋଜନା ଓ ସଂଯୋଜନ ବିଭାଗକୁ ଦିଆଯାଉ। ଏହା ଫଳରେ ଅଧିକ ସୁଫଳ ମିଳିବ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି, ବିଜୁ କେବିକେ ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା, ସ୍ବତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ଓ ସ୍ବତନ୍ତ୍ର ସମସ୍ୟାଜନିତ ପାଣ୍ଠି ଅର୍ଥ ବୃଦ୍ଧି କରିବାକୁ ଶ୍ରୀ ସାହୁ ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଏଣ୍ଟ ଅଫ ଅର୍ଡର ଜରିଆରେ କେତେଟି ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ନଗଡ଼ା ଭଳି ସ୍ଥିତି ଆଜି ବି କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳୁଛି। ସେସବୁ ଅଞ୍ଚଳରେ ପାହାଡ଼ ଉପରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା, ଜଳ ବ୍ୟବସ୍ଥା ସହିତ ମୋ କୁଡ଼ିଆ ଯୋଗାଇ ଦେଲେ ଅବସ୍ଥା ସୁଧୁରିଯାନ୍ତା। ଏହା ସହିତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୧ କୋଟିରୁ ୫ କୋଟି କରିବାକୁ ଶ୍ରୀ ବାହିନୀପତି ମଧ୍ୟ ଦାବି କରିଥିଲେ। ଆଲୋଚନା ଶେଷରେ ଉତ୍ତର ରଖି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଲିଖିତ ଉତ୍ତର ପାଠ କରିଥିଲେ। ଯେଉଁଥିରେ କି ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥ ନେଇ ଉଲ୍ଲେଖ ଥିଲା। ମନ୍ତ୍ରୀଙ୍କ ଉତ୍ତର ପରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ହଜାର ୯୫ କୋଟି ୩୫ ଲକ୍ଷ ୮୬ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଥିଲା। ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ସଦସ୍ୟମାନେ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସପିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ କକ୍ଷତ୍ୟାଗ କରି ଚାଲିଯାଇଥିଲେ।

ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ପ୍ରଫୁଲ୍ଲ ସାମଲ, ପ୍ରମୋଦ ମଲ୍ଲିକ, ସନ୍ତୋଷ ସିଂହ ସାଲୁଜା, ଅନନ୍ତ ଦାସ, ମୀନା‌କ୍ଷି ମହନ୍ତ, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର