ଜନସାଧାରଣଙ୍କୁ ସ୍ପଷ୍ଟ ଚିତ୍ର ଦିଅନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ବର : ବାତ୍ୟା ପରବର୍ତୀ ଅବସ୍ଥାରେ ‌େଲାକେ ଦୁଃଖ ଓ ଦୁର୍ଦଶାରେ ଦିନ କାଟୁଛନ୍ତି। ସେମାନଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯଥା: ପିଇବା ପାଣି, ରନ୍ଧାଖାଦ୍ୟ ଏବଂ ପିନ୍ଧିବା ବସ୍ତ୍ର ଯୋଗାଇ ଦେବାରେ ସରକାର ସଂପୂର୍ଣ୍ଣ ରୂପେ ବିଫଳ। ବିଜୁଳି ଯୋଗାଇ ଦେବା ନେଇ ଯେଉଁ ବାହାସ୍ଫୋଟ ମାରୁଥ‌ିଲେ, ତାହା ଏବେ ଡାହା ମିଛରେ ପରିଣତ ହୋଇଛି। ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ଆହୁରି ହନ୍ତସନ୍ତ ନ କରି ସରକାର ସେମାନଙ୍କୁ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ସରକାରଙ୍କ ବାତ୍ୟା ପରିଚାଳନାର ଚରମ ଅବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ରିଲିଫ୍ ପରିଚାଳନାରେ ସରକାରଙ୍କ ଉଦାସୀନତା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ରହିଛି। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର, କଟକ ଏବଂ ପୁରୀ ବଡ଼ଦାଣ୍ଡକୁ ବିଜୁଳି ସଂଯୋଗ ସଂପୂର୍ଣ୍ଣ ଭାବେ ଦିଆଯିବ ବୋଲି ସରକାର କହିଥିଲେ। କିନ୍ତୁ ଆଜି ଯାଏଁ ଭୁବନେଶ୍ୱର ସହରର ନୂଆପଲ୍ଲୀ, ଆଇଆରସି ଭିଲେଜ, କଳିଙ୍ଗ ନଗର, ହଂସପାଳ ଭଳି ଅନେକ ଅଂଚଳକୁ ବିଜୁଳି ସଂଯୋଗ ନାହିଁ। ସରକାର ବିଜୁଳି ଏବଂ ପାଣିକୁ ନେଇ ଯେଉଁ ସଂଖ୍ୟାର ଖେଳ ‘ପ୍ରତିଶତ’ ଆକାରରେ ପ୍ରତ୍ୟେକ ଦିନ ଗଣମାଧ୍ୟମକୁ ଦେଉଛନ୍ତି, ତାହା ସତ୍ୟ ଆଧାରିତ ନୁହେଁ।

ରିଲିଫ ସାମଗ୍ରୀ ବଣ୍ଟନରେ ସରକାରୀ ଅବହେଳା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ ବିଜୁଳି ସଂଯୋଗ ନାହିଁ, ସେଠାରେ ପିଇବାପାଣିର ଘୋର ସମସ୍ୟା ଦେଖାଦେଇଛି। ସରକାର ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଯେଉଁ ପରିମାଣର ପ୍ୟାକେଜ ଘୋଷଣା କରିଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ଏହାକୁ ବୃଦ୍ଧି କରିବାକୁ କଂଗ୍ରେସ ଦାବି କରିଛି। ସରକାରଙ୍କ ରାଜସ୍ୱ ବିଭାଗ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବା ହଜାର ହଜାର ସଂଖ୍ୟାର ଗଛ କାଟି ସଫା କରିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ପ୍ରଧାନମନ୍ତ୍ରୀଙ୍କର ପ୍ରଶସ୍ତୀପତ୍ର ନେଇ ମୁଖ୍ୟମନ୍ତ୍ରୀ ଖୁବ ଖୁସି ଥିବାରୁ ବାତ୍ୟା ପୀଡ଼ିତଙ୍କର ଦୁଃଖ ତାଙ୍କ ପାଖରେ ପହଂଚିପାରୁ ନାହିଁ ବୋଲି କଟାକ୍ଷ କରିଛି କଂଗ୍ରେସ। ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ମିଡ଼ିଆ ସଂଯୋଜକ ନରେଶ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର