ମାଲକାନଗିରିରେ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କୁ ଫେରାଦ ଦେଲା କଂଗ୍ରେସ

୭ ତାରିଖ ସୁଦ୍ଧା ତଦନ୍ତର ସ୍ଥିତି ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମାଲକାନଗିରି ପୁଲିସ୍ କ୍ୟାଣ୍ଟିନ୍‌ରେ କାମ କରୁଥିବା ଜନୈକ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ପ୍ରଦେଶ କଂଗ୍ରେସ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦଳ ଫେରାଦ ଦେଇଛି। ଅବସରପ୍ରାପ୍ତ ଡିଜି ତଥା ଏଆଇସିସି ଅନୁସୂଚିତ ଜନଜାତି ବିଭାଗର ଜାତୀୟ ଉପସଭାପତି ଶ୍ୟାମସୁନ୍ଦର ହାସଁଦାଙ୍କ ନେତୃତ୍ବରେ ଏକ ୭ ଜଣିଆ ଦଳ ରାଜ୍ୟ ମାନବାଧିକାର କମିସନ୍‌ ଅଧ୍ୟକ୍ଷ ଜଷ୍ଟିସ୍ ବିପି ଦାସଙ୍କୁ ଭେଟି ଏହି ଘଟଣାରେ ସଂଶ୍ଲିଷ୍ଟ ଅପରାଧୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଏକ ଆବେଦନ ପତ୍ର ଦାୟର କରିଛନ୍ତି। ଆବେଦନ ଗ୍ରହଣ କରି ଓଏଚ୍‌ଆର୍‌ସି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଆସନ୍ତା ୭ ତାରିଖ ସୁଦ୍ଧା ତଦନ୍ତର ସ୍ଥିତି ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଥାଉକି, ଗତ ମେ’ ୭ ତାରିଖରେ ମାଲକାନଗିରି ପୁଲିସ୍ କ୍ୟାଣ୍ଟିନ୍‌ରେ ଜଣେ ମହିଳାଙ୍କୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ତାଙ୍କ ସ୍ବାମୀ ଦେଖିଥିଲେ। ପତ୍ନୀଙ୍କ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ କ୍ଷତ ହୋଇଥିବା ସେ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ପୀଡ଼ିତା ମହିଳାଙ୍କୁ ପ୍ରଥମେ ମାଲକାନଗିରି ଜିଲ୍ଲା ହସ୍ପିଟାଲ ଓ ୩ ଦିନ ପରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନିଆଯାଇଥିଲା। ତେବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍‌ସରେ ବ୍ରହ୍ମପୁର ମେଡିକାଲକୁ ଅଣାଯିବା ବେଳେ ଅଧା ବାଟରେ ରାୟଗଡ଼ାରେ ହିଁ ପୀଡ଼ିତାଙ୍କ ପ୍ରାଣହାନୀ ଘଟିଥିଲା। ଏନେଇ ପୀଡ଼ିତାଙ୍କ ସ୍ବାମୀ ମାଲକାନଗିରି ଥାନାରେ ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପ୍ରଦେଶ କଂଗ୍ରେସର ପ୍ରତିନିଧି ମଣ୍ଡଳିରେ ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ନିଶିକାନ୍ତ ମିଶ୍ର, ଜିନେଶ ଦାସ, ଶୁଭଶ୍ରୀ ପଣ୍ଡା, ଅମିତା ବିଶ୍ବାଳ, କୈଳାସ ମୁଖି, ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର