ନୟାଗଡ଼: ନୟାଗଡ଼ ଯଦୁପୁର ଗ୍ରାମର ନାବାଳିକା ଅମ୍ରିତା ସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନୟାଗଡ଼ ଗସ୍ତରେ ଆସି ପରୀ ବାପା, ମା’ଙ୍କୁ ଭେଟିଛନ୍ତି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ପରୀ ପରିବାରକୁ ଭେଟି ଘଟଣା ବାବଦରେ ଅବଗତ ହୋଇଥିଲେ।
ପରୀ ହତ୍ୟା ତଦନ୍ତ ମାମଲାରେ ପୁଲିସର ନିଷ୍କ୍ରିୟତା ନେଇ ପରୀ ବାପା ଅଶୋକ ସାହୁ କଂଗ୍ରେସ ଟିମ୍କୁ ଜଣାଇଇଥିଲେ। ଏହି ଅବସରରେ କଂଗ୍ରେସ ଟିମ୍ ନୟାଗଡ଼ ପୁଲିସର ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିବାରୁ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଏଥିସହିତ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରାଯାଉ ନଥିବାରୁ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ହତ୍ୟାକାଣ୍ଡକୁ ଇତିମଧ୍ୟରେ ପ୍ରାୟ ୫ ମାସ ବିତଥିବା ବେଳେ, ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନାହିଁ। ଆଜିର କଂଗ୍ରେସ ପ୍ରତିନିଧ ଟିମ୍ ସହିତ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ, କାର୍ଯ୍ୟକାରୀ ସଭାପତି ମନୋଜ ସାହୁ, ହୁସେନ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2020/12/2215a6fc-c659-419b-8eac-cae66ee984be-300x138.jpg)
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା। ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା। ଏଭଳି ସ୍ଥିତିରେ ସେହି ମାସ ୨୩ରେ ପରୀ ଶବ ଉଦ୍ଧାର ହୋଇଥିଲା। ଦୀର୍ଘ ୫ ମାସ ଧରି ପୁଲିସ ଅନୁସନ୍ଧାନ କରୁଥିବା କହୁଥିଲେ ମଧ୍ୟ ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଫେଲ୍ ମାରିଥିଲା। ପରୀ ହତ୍ୟାକାଣ୍ଡରେ ତା’ର ଗ୍ରାମର ବାବୁଲି ନାୟକର ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ବାବୁଲି ବିଜେଡି ଦଳର ହୋଇଥିବାରୁ ତାଙ୍କୁ ନୟାଗଡ଼ ବିଧାୟକ ଅରୁଣ ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା। ଯେଉଁଥିପାଇଁ ପୁଲିସ ମାମଲାର ତଦନ୍ତର ନିଷ୍କ୍ରିୟତା ପ୍ରକାଶ କରିଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ପରୀର ବାପା, ମା’ ଗତ ୨୪ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସରକାର କ୍ରାଇମବ୍ରାଞ୍ଚ ପରେ ସ୍ପେସାଲ ଇନଭେଷ୍ଟିଗେସନ ଟିମ୍(ଏସ୍ଆଇଟି) ଗଠନ କରି ତଦନ୍ତ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିରୋଧୀ ଦଳ ମାମଲାକୁ ଗୁରତର ସହକାରେ ଗ୍ରହଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/9c86f9fd-c224-40c7-bf06-cad5b2cbbe90.jpg)