ମାର୍ଚ ୧୦ ସୁଦ୍ଧା ଟିକେଟ୍‌: ନିରଞ୍ଜନ

ଭୁବନେଶ୍ବର : ଆସନ୍ତା ମାର୍ଚ ୧୦ ତାରିଖ ସୁଦ୍ଧା କଂଗ୍ରେସ ତରଫରୁ ରାଜ୍ୟରେ ପ୍ରାର୍ଥୀମାନଙ୍କୁ ଟିକେଟ୍‌ ମିଳିବାର ସମ୍ଭାବନା ଅଧିକ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଅବଶ୍ୟ ପ୍ରାର୍ଥୀ ତାଲିକା ମନୋନୟନ ପ୍ରକ୍ରିୟା ଚୂଡ଼ାନ୍ତ କରିବ ଅଖିଳ ଭାରତ କଂଗ୍ରେସ କମିଟି ଅଧୀନ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୋଲି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ପିସିସି ପକ୍ଷରୁ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ସିଇସିକୁ ପଠାଯାଇଛି। ସେଠାରୁ କୌଣସି ଉତ୍ତର ମିଳିନି। ବର୍ତମାନ ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀ ମନୋନୟନ ସହିତ ତଥ୍ୟ ଓ ମତାମତ ସଂଗ୍ରହ କରୁଛି। ଏହି ମାସ ଶେଷ ସୁଦ୍ଧା ପ୍ରକ୍ରିୟା ସରିଲେ, ସିଇସିକୁ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ପଠାଯିବ। ତେବେ ଆସନ୍ତା ମାର୍ଚ ୫ ତାରିଖରେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୋରାପୁଟ ଗସ୍ତରେ ଆସୁଥିବାରୁ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି।

ରାଜ୍ୟ କଂଗ୍ରେସ କାହା ସହିତ ମେଣ୍ଟ କରିବ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି କହିଲେ, ଝାଡ଼ଖଣ୍ଡ ମୁକ୍ତିମୋର୍ଚା, ସିପିଆଇ ଓ ସିପିଆଇ(ଏମ୍‌) ସହିତ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ମେଣ୍ଟ ନେଇ ନିଷ୍ପତ୍ତି ହେଲେ, ଆମେ ସେମାନଙ୍କ ପାଇଁ କିଛି ସିଟ୍‌ ଛାଡ଼ିବୁ ବୋଲି ସେ କହିଥିଲେ। ସେହିପରି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଛିଡ଼ା କରାଇବା ସଂପର୍କରେ ସେ କହିଲେ, ଆମେ ଏ ଦିଗରେ ଆପ୍ରାଣ ଉଦ୍ୟମ କରୁଛୁ ଯେପରି ଅଧିକରୁ ଅଧିକ ମହିଳାଙ୍କୁ ସ୍ଥାନ ଦେଇପାରିବୁ। ସେ ଆହୁରି କହିଲେ, ବର୍ତମାନ ଉଭୟ ବିଜେଡି ଓ ବିଜେପିରୁ ଅଧିକ ସଂଖ୍ୟକ ନେତା ଓ କର୍ମୀ ଆସି କଂଗ୍ରେସ ଦଳରେ ଯୋଗ ଦେଉଛନ୍ତି। ଏଥିରୁ ଉଭୟ ଦଳ ପ୍ରତାରଣାର ଦଳ ବୋଲି ପ୍ରତିପାଦିତ ହୋଇଛି। ତେବେ ବର୍ତମାନ ପିସିସି ସଭାପତିଙ୍କ ବାସଭବନରେ ଆଶାୟୀ ପ୍ରାର୍ଥୀମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର