ବିଧାନସଭାର ଶୀତକାଳୀନ ଅଧିବେଶନରେ ଚାଷୀ ସମସ୍ୟା, ଜଙ୍ଗଲରାଜ୍, କୋଭିଡ୍‌ ଦୁର୍ନୀତିକୁ ପ୍ରସଙ୍ଗ କରିବ କଂଗ୍ରେସ

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କଂଗ୍ରେସ ଦଳ ତା’ର ରଣନୀତି ଆଜି ପ୍ରସ୍ତୁତ କରିଛି। ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଭାବୀ ଢଙ୍ଗରେ ଘେରିବା ପାଇଁ ବିଧାୟକମାନେ ମାନସ ମନ୍ଥନ କରିଥିଲେ। ବୈଠକରେ ଦଳର ବିଧାୟକଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ କୃଷି ଓ କୃଷକ ସମସ୍ୟା ରାଜ୍ୟରେ ଗୁରୁତର ଆକାର ଧାରଣ କରିଛି। ଧାନ କିଣା ଆରମ୍ଭ ହୋଇଥିଲେ ବି ମଣ୍ଡିରେ ଶହ ଶହ ହଜାର ହଜାର ବସ୍ତା ଧାନ ଆଣି ଚାଷୀ ରଖିଛନ୍ତି। କିନ୍ତୁ ଧାନ ଉଠୁ ନାହିଁ। ଅନ୍ୟ ପଟେ ମିଲ୍‌ ମାଲିକ, ଦଲାଲମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣୁଛନ୍ତି। ଫଳରେ ଚାଷୀ ଅଭାବୀ ବ୍ରକିି ସାମ୍ନା କରୁଛି। ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି। ଆଗରୁ ସରକାର ଖଣି ଦୁର୍ନୀତିରେ ଲିପ୍ତ ଥିଲେ। ଏବେ ପାଣି, କୋଭିଡ୍‌ ଦୁର୍ନୀତିରେ ସରକାର ପୂର୍ବର ସବୁ ଦୁର୍ନୀତିକୁ ଟପିଯାଇଛନ୍ତି। ବେକାରୀ ସମସ୍ୟା ଏତେ ଉତ୍କଟ ହେଲାଣି ଯେ ଡ୍ରଗ୍ସ ଖାଇ ବେକାର ଯୁବକ, ଯୁବତୀ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପିଇବା ପାଣି ସମସ୍ୟା ଗୁରୁତର ଆକାର ଧାରଣ କଲାଣି। ଖରାଦିନକୁ ସ୍ଥିତି ଆହୁରି ଭୟଙ୍କର ହେବ। କୋଭିଡ୍‌ ଯୋଗୁ ସ୍କୁଲ୍‌ଏ କଲେଜକୁ ବନ୍ଦ କରିଛନ୍ତି ସରକାର। ପିଲାଙ୍କ ପାଠପଢ଼ା ବିଗିଡ଼ି ଗଲାଣି। ଅଭିଭାବକ, ସାଧାରଣ ଜନତାଙ୍କ ଭିତରେ ସ୍କୁଲ୍‌ ବନ୍ଦକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହିପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ କଂଗ୍ରେସ ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବ। କୋଭିଡ୍‌ କିଟ୍‌ କିଣା ଦୁର୍ନୀତି, ହାଜତ ମୃତ୍ୟୁ ମାମଲାକୁ ମଧ୍ୟ ଦଳ ଅଗ୍ରାଧିକାର ଦେବ। କେନ୍ଦ୍ର କୃଷି ଆଇନ୍‌ କିପରି ଭାବେ କୃଷକ ବିରୋଧୀ, ସେ ପ୍ରସଙ୍ଗ ମଧ୍ୟ କଂଗ୍ରେସ ଗୃହରେ ଉଠାଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର