ମାଲକାନଗିରି: ମାଲକାନଗିରିସ୍ଥିତ ବିମାନବନ୍ଦରର ନିମ୍ନମାନର ପାଚେରୀକୁ ନେଇ ପୁଣି ଗର୍ଜିଛି କଂଗ୍ରେସ। ଆଜି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ କରି ବିମାନ ବନ୍ଦରର ପାଚେରୀକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଗତ ଜୁନ ୮ ତାରିଖରେ ସାମାନ୍ୟ ବର୍ଷାରେ ବିମାନବନ୍ଦରର ପାଚେରୀ ଭୁଷୁଡ଼ିବା ଅତି ସଂବେଦନଶୀଳ ବିଷୟ ବୋଲି କଂଗ୍ରେସ କହିଛି।
ଗତବର୍ଷ ଜୁନ ୧ ତାରିଖରେ ପାଚେରୀ ଭୁଶୁଡ଼ିବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ପୁଣି ଭୁଶୁଡିବା ପରେ କଂଗ୍ରେସ ତରଫରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏବେ ପୁଣି ଭୁଶୁଡିବା ପରେ ପାଚେରୀକୁ ପୁନଃ ନିର୍ମାଣ କରାନଯାଇ ତାକୁ ମରାମତି କରାଯିବା କେତେ ଯୁକ୍ତିଯୁକ୍ତ ବୋଲି କଂଗ୍ରେସ କହିଛି। ଏଥିରେ ଜଳଜଳ ଦିଶୁଛି ଯେ ନିର୍ବାହୀ ଯନ୍ତ୍ରୀ, ଏସଡିଓ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା। ଏହି ବିମାନବନ୍ଦର ପାଇଁ ୨୩୩ ଏକର ଜମିରେ ୭୦ କୋଟି ଟଂକା ଖର୍ଚ୍ଚ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମିଳିମିଶି ଅତି ତରବରିଆ ଭାବେ ନିମ୍ନମାନର କାମ କରି ମାଲମାଲ ହୋଇଛନ୍ତି। ବାରମ୍ବାର ପାଚେରୀ ଭୁଶୁଡ଼ିବା ଘଟଣା ସାମାନ୍ୟ ନୁହେଁ ଏଥିରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ଏହାର ଭିଜିଲାନସ ତଦନ୍ତ ହେଲେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି।
ବିଭାଗୀୟ ଅଧିକାରୀ ଓ ଠିକାଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଉଚିତ ଶିକ୍ଷା ହେବ। ନଚେତ ଆଗାମୀ ଦିନରେ ଜିଲ୍ଲାରେ ଏଭଳି କୋଟିକୋଟି ଟଂକାର କାମ ନିମ୍ନମାନର କରାଯାଇ ଠିକାଦାର ସମେତ ଯନ୍ତ୍ରୀମାନେ ମାଲାମାଲ ହେବେ ବୋଲି କୁହାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଜିଲ୍ଲା ବନ୍ଦ କରାଯିବ ବୋଲି କଂଗ୍ରେସ ଆଜି ଚେତାବନୀ ଦେଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜି.ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, କେଶୁ ରାଓ, ଇସାକ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ।