ବାରିପଦା: ବନ ବିଭାଗର ବିଫଳତା କାରଣରୁ ନିଆଁ ଲାଗିଛି। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲ ସୁରକ୍ଷା କମିଟିକୁ ବନ ବିଭାଗ ବିଶ୍ୱାସକୁ ନ ନେବା, ଜଙ୍ଗଲ ସୁରକ୍ଷା ସହାୟକ ନିଯୁକ୍ତିରେ ଅପରିପକ୍ୱତା, ଗୋଷ୍ଠୀ ଜଙ୍ଗଲ ଅଧିକାର ଆଇନକୁ ଠିକ୍ ଭାବେ କାର୍ଯ୍ୟକାରୀ କରା ନ ଯିବା, ଜଙ୍ଗଲ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଅସାଧୁ ମନୋଭାବ ହିଁ ଆଜି ଶିମିଳିପାଳରେ ଲାଗିଥିବା ନିଆଁର କାରଣ। ଆଜି କଂଗ୍ରେସର ଏକ ଅନୁଧ୍ୟାନକାରୀ ଦଳ ଶିମିଳିପାଳ ପରିଦର୍ଶନରେ ଯାଇ ଏପରି ମତ ରଖିଛି। ବନ ବିଭାଗର ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ଅନୁଧ୍ୟାନକାରୀ ଦଳରେ ଥିବା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ଆବାହକତ୍ବରେ ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ସତ୍ୟଶିବ ଦାସ, ମମତା କୁଣ୍ଡୁ ଓ ମହେନ୍ଦ୍ର ନାଏକ ପ୍ରମୁଖଙ୍କୁ ନେଇ ଗଠିତ ଏକ ୬ ଜଣିଆ ଅନୁଧ୍ୟାନକାରୀ ଟିମ ଆଜି ଶିମିଳିପାଳ ପରିଦର୍ଶନରେ ଯାଇ ପ୍ରଥମେ ପିଠାବଟା ରେଞ୍ଜ ଅଧୀନ ଜଙ୍ଗଲ ଓ ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧି, ଜଙ୍ଗଲ ସୁରକ୍ଷା କମିଟି, ବନ ସୁରକ୍ଷା ସମିତି, ମୟୂରଭଞ୍ଜ ଜଙ୍ଗଲ ସୁରକ୍ଷା ମଞ୍ଚ, ବୁଦ୍ଧିଜୀବୀ ଓ ପରିବେଶବିତ୍ମାନଙ୍କୁ ଭେଟି ଆଲୋଚନା କରିବା ସହିତ ସେମାନଙ୍କ ନିକଟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ବିଭାଗୀୟ ଅଧିକାରୀମାନେ ଶିମିଳିପାଳ ସୁରକ୍ଷା କ୍ଷେତ୍ରରେ ଅବହେଳା କରିଥିବା ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି। ଏହି ଟିମ୍ ଆସନ୍ତାକାଲି କରଞ୍ଜିଆ, ଯଶୀପୁର ଅଞ୍ଚଳ ଗସ୍ତରେ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ସୂଚନା ଦେଇଛନ୍ତି ।