ଭୁବନେଶ୍ବର : ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ସରକାର ଦେଶର ଜନସାଧାରଣଙ୍କୁ ‘ଅଚ୍ଛେଦିନ’ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ ‘ଅଚ୍ଛେଦିନ’ ପରିବର୍ତେ ଦେଶର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ବେକାରୀ ସଂଖ୍ୟା ବଢ଼ିବା ସହିତ ମୁଢ଼ି, ଗୁଡ଼, ଖଇ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ଲାଗୁ କରିଛନ୍ତି। ରାଜ୍ୟର ନବୀନ ସରକାର ମଧ୍ୟ ଜିଏସ୍‌ଟି ଲଗାଇବା ଉପରେ କେନ୍ଦ୍ରକୁ ସହଯୋଗ କରିଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆସନ୍ତା ୫ ତାରିଖ ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯିବ।

Advertisment

ବୁଧବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରି ସାରିଲେଣି। ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ଲଗାଇ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆୟ କରୁଛନ୍ତି। କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଉପଯୁକ୍ତ ପଦକ୍ଷେପ ନେଉନାହାନ୍ତି। ତରବରିଆ ଭାବରେ କେନ୍ଦ୍ର ସରକାର ଜିଏସଟି ଲାଗୁ କଲେ। ସ୍ୱପ୍ନ ଦେଖାଇଲେ ଯେ ଜିଏସଟି ଦ୍ୱାରା ଜିନିଷପତ୍ରର ଦରଦାମ ବହୁ ମାତ୍ରାରେ କମିଯିବ ଓ ଖାଉଟିମାନେ ଲାଭ ପାଇବେ। କିନ୍ତୁ ଶେଷରେ ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ମୁଢ଼ି, ପେନସିଲ, କଟର ଓ ଖାତା ଇତ୍ୟାଦି ଉପରେ ମଧ୍ୟ ୫ ପ୍ରତିଶତ ଜିଏସଟି ଲଗାଇଲେ। ରାଜ୍ୟର ଅର୍ଥମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଥରୁଟିଏ ପ୍ରତିବାଦ ମଧ୍ୟ ଜଣାଇଲେ ନାହିଁ।

ସେହିପରି ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାରର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବିର ୫୦ ପ୍ରତିଶତ ହ୍ରାସ କରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନି ମାଧ୍ୟମରେ ନିଯୁକ୍ତି ଦେଇ ଶିକ୍ଷିତ ଯୁବକ/ଯୁବତୀଙ୍କ ସହିତ ପ୍ରତାରଣା କରୁଛନ୍ତି। ପ୍ରତିରକ୍ଷାକୁ ଶକ୍ତିଶାଳୀ କରିବା ପରିବର୍ତେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ। ଏ ସବୁ ସମସ୍ୟାକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ଏହାସହ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ସେଲର ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।