ଯନ୍ତରମନ୍ତରରେ ଆନ୍ଦୋଳନ କରିବ କଂଗ୍ରେସ

ସମ୍ବଲପୁର : ଆଦିବାସୀ-ଦଳିତଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ସ୍ଥିତ ଯନ୍ତରମନ୍ତରରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ପିସିସି କଂଗ୍ରେସର ଅନୁସୂଚିତ ଜନଜାତି ସେଲ ଅଧ୍ୟକ୍ଷ ପ୍ରଦୀପ ମାଝି। ୨୫ରୁ ୨୭ ତାରିଖ ମଧ୍ୟରେ ଏହା କରାଯିବ। କୁନ୍ଦୁଲି ଦୁଷ୍କର୍ମ ଘଟଣାରେ ଜଣେ ନବମ ଶ୍ରେମୀ ଛାତ୍ରୀଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି କରାଗଲା ଯେ ଶେଷରେ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲେ। ଏଥିଯୋଗୁଁ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ପାଇବାର ଆଶା ରହି ନାହିଁ। କେନ୍ଦ୍ର ସରକାରଙ୍କ ଠାରୁ ନ୍ୟାୟର ଦାବି ନେଇ ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ରହିଛି। ଏହି ଅବସରରେ ଅବିନାଶ ହାଜତ ମୃତ୍ୟୁ ମାମଲା ମଧ୍ୟ ପ୍ରସଙ୍ଗ ରହିବ।

ଅବିନାଶ ମୁଣ୍ଡା ହାଜତ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ରାଜ୍ୟ କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ଏସଟି ସେଲ ଅଧ୍ୟକ୍ଷ ପ୍ରଦୀପ ମାଝି, ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ, ପିସିସି ଏସସି ସେଲ ଅଧ୍ୟକ୍ଷ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ ସମ୍ବଲପୁର ପହଞ୍ଚିଥିଲେ। ପ୍ରଥମେ ସେମାନେ ଭାଲୁପାଲି ସ୍ଥିତ ଅବିନାଶଙ୍କ ଘରକୁ ଯାଇ ତାଙ୍କ ମା’ ଏସରାନି ଏବଂ କାକା ଆନନ୍ଦ ମୁଣ୍ଡାଙ୍କ ସହିତ ଆଲୋଚନା କରିଥିଲେ। ଉଚ୍ଚ ନ୍ୟାୟାଳୟ ବିଚାରପତି ଦ୍ୱାରା ଏହି ମାମଲାର ତଦନ୍ତ କରାଯିବା ସହିତ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ହାଜତ ପୋଡ଼ି ଘଟଣାରେ ଗାଁର କୌଣସି ବ୍ୟକ୍ତିଙ୍କ ନାଁରେ ମିଥ୍ୟା ମାମଲା ରୁଜୁ ନକରିବା ପାଇଁ ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର