୭ରୁ ଆନ୍ଦୋଳନକୁ ଜୋର୍‌ଦାର କରିବ କଂଗ୍ରେସ

ନେତୃବୃନ୍ଦଙ୍କ ସହ କଥା‌ ହେଲେ ପିସିସି ପ୍ରଭାରୀ ଓ ସଭାପତି
କରୋନା ପରିଚାଳନାରେ ବିଫଳତା, ଦର ବୃଦ୍ଧି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର : କରୋନା ମହାମାରୀ ପରିଚାଳନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କରୋନା କଟକଣା ଯୋଗୁ ‌ସାଧାରଣ ଜନତା ନିଜ ଜୀବିକା ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏହି ସମୟରେ ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୭ରୁ ୧୭ ତାରିଖ ଯାଏ ବିଭିନ୍ନ ପର୍ଯ୍ୟାୟରେ ଏହି ଆନ୍ଦୋଳନ କରାଯିବ। ଓଡ଼ିଶାରେ ଏହି ଆନ୍ଦୋଳନକୁ ଜୋର୍‌ଦାର କରିବା ପାଇଁ ପିସିସି ପକ୍ଷରୁ ପ୍ରସ୍ତୁତି ଚାଲିଛି। କଂଗ୍ରେସ ପ୍ରଭାରୀ ଏ ଚେଲା କୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଦଳୀୟ ନେତାଙ୍କ ସହ ଏହି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆନ୍ଦୋଳନର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୭ ତାରିଖ ଦିନ ଦଳର ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନର କର୍ମକର୍ତ୍ତା ପୂର୍ବାହ୍ନ ୧୦ଟାରେ ସବୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖଞ୍ଜଣି ବଜାଇ ପ୍ଲାକାର୍ଡ ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି ୯ ତାରିଖ ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଳା ଅନ୍ତର୍ଗତ ପୌରପାଳିକା, ଏନ୍‌ଏସିରେ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟ, ପୂର୍ବତନ ମନ୍ତ୍ରୀ ଓ ସାଂସଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନିଷ୍ପତ୍ତିକୁ ବିରୋଧ କରି ସାଇକେଲ୍‌ରେ ପ୍ଲାକାର୍ଡ ଲଗାଇ ୫ କିଲୋମିଟର ସମୂହ ଯାତ୍ରା କରିବେ। ଏହି ସମୟରେ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ସମ୍ପର୍କରେ ଅବଗତ କରାଇବେ। ତୃତୀୟ ପର୍ଯ୍ୟାୟରେ ପିସିସି ପକ୍ଷରୁ ଏକ ସାଇକେଲ ଯାତ୍ରା ରାଜଧାନୀର ସମସ୍ତ ଅଞ୍ଚଳ ବୁଲିବ। ଏଥିରେ କଂଗ୍ରେସର ସବୁ ନେତା, ପଦାଧିକାରୀ, ଯୁବ, ଛାତ୍ର ଓ ମହିଳା ଶାଖା କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିବେ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ତୈଳଦର ବୃଦ୍ଧି ପ୍ରତିବାଦରେ ଲୋକଙ୍କୁ ସଚେତନ କରାଯିବା ସହ ଦସ୍ତଖତ କରାଯିବ। ଏହା ବାଦ୍ ମାସେ ବ୍ୟାପୀ ରାଜ୍ୟରେ ସବୁ ବ୍ଲକ୍‌ ଓ ପଞ୍ଚାୟତରେ କଂଗ୍ରେସ ନେତା ଓ କର୍ମୀ ଘର ଘର ବୁଲି କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇ ଜନଜାଗରଣ ସୃଷ୍ଟି କରିବେ। ଏହି ସମୟରେ କଂଗ୍ରେସ ନେତୃବନ୍ଦ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ। ଏହା ସହ କୃଷକମାନଙ୍କୁ ଭେଟି ସେମାନଙ୍କ ଦୁରାବସ୍ଥାର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ। କୃଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଲଢ଼େଇ ଜାରି ରଖିବ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସ ନେତୃବର୍ଗଙ୍କ ଠାରୁ ଆରମ୍ଭ କରି ସବୁ ଛାମୁଆ ସଂଗଠନ ଓ ପ୍ରକୋଷ୍ଠ କର୍ମକର୍ତ୍ତାମାନେ ସହଯୋଗ କରିବାକୁ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ। ଏହି ଭର୍ଚୁଆଲ୍‌ ବୈଠକରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ପୂର୍ବତନ ପିସିସି ସଭାପତି, ୩୩ଟି ସାଂଗଠନିକ ଜିଲ୍ଲା ସଭାପତି, ପିସିସି ପର୍ଯ୍ୟବେକ୍ଷକ, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ବ୍ଲକ ସଭାପତି, ନଗର ସଭାପତି, ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକକୁ ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଶେକ ମହାନନ୍ଦ ପରିଚାଳନା କରିଥିଲା ବେଳେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର