ଭୁବନେଶ୍ବର: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟିତ ହେବ। ହେଲେ ଏହି ଉଦ୍ଘାଟନରୁ ନିଜକୁ ଦୂରେଇ ରଖିଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫୋନ୍ରେ ନିୟନ୍ତ୍ରଣ କରାଯାଇଥିଲେ ହେଁ ପିତୃ ବିୟୋଗ ପାଇଁ ସେ ଯୋଗ ଦେଇପାରିବେ ନାହିଁ। ମାତ୍ର ଅନ୍ୟ ନେତାମାନେ ମଧ୍ୟ ଏଥିରେ ସାମିଲ ହେଉ ନ ଥିବା ସୂଚନା ମିଳିଛି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ପିତୃ ବିୟୋଗ ପାଇଁ ଏବେ କୌଣସି କାର୍ଯ୍ୟରେ ଯୋଗ ଦେଇପାରୁନି। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଟେଲିଫୋନ୍ ଜରିଆରେ ମତେ ଆମନ୍ତ୍ରଣ କରାଯାଇଥିଲା। ହେଲେ ଯେଉଁଭଳି ଭାବେ ଭଗବାନ ଓ ଭକ୍ତଙ୍କ ମଝିରେ ବିଜେଡି ପାଚେରୀ ଭଳି ଠିଆ ହୋଇଛି ଏଥିପାଇଁ ପରିକ୍ରମା ପ୍ରକଳ୍ପରେ ଯୋଗ ଦେବା ଲାଗି ଦଳର କୌଣସି ନେତାଙ୍କୁ ବି ସାମିଲ ହେବାକୁ କହିନାହିଁ। ବହୁ ଦାବି କରାଯିବା ସତ୍ତ୍ବେ ରାଜ୍ୟ ସରକାର ଶ୍ରୀମନ୍ଦିରର ୪ ଦ୍ବାର କିମ୍ବା ରତ୍ନଭଣ୍ଡାର ଖୋଲୁ ନାହାନ୍ତି। ବେଦାନ୍ତକୁ ଦେଇଥିବା ଜମି ଫେରାଇ ଆଣୁନାହାନ୍ତି।
ପିତୃ ବିୟୋଗ ପାଇଁ ଯୋଗ ଦେବେନି ପିସିସି ସଭାପତି
ଜଗନ୍ନାଥଙ୍କ ଡୋରି ଲାଗୁନି, କିପରି ପୁରୀ ଯିବି : ସୁର
ଗୋ ମାଂସ ଭକ୍ଷଣକାରୀଙ୍କ ଜରିଆରେ ଆଣି ମହାପ୍ରସାଦର ପ୍ରଚାର ପ୍ରସାର କରାଗଲା। ୨୪ବର୍ଷ ପରେ ରାଜ୍ୟ ସରକାରଙ୍କ କାହିଁକି ଜଗନ୍ନାଥ ପ୍ରେମ ଜାଗ୍ରତ ହେଲା। ବିଜେଡି-ବିଜେପି ମିଳିତଭାବେ ସରକାରରେ ଥିବା ସମୟରେ କାହିଁକି ଏହି ପଦକ୍ଷେପ ନିଆଗଲା ନାହିଁ। ଏବେ ଭୋଟ୍ ରାଜନୀତି ପାଇଁ ସରକାର ଜଗନ୍ନାଥଙ୍କ କଥା କହୁଛନ୍ତି। ଏଭଳି ପରିସ୍ଥିତିରେ କୌଣସି ବ୍ୟକ୍ତି କିଭଳି ପରିକ୍ରମା ପ୍ରକଳ୍ପର ଉଦ୍ଘାଟନରେ ନିଜକୁ ସାମିଲ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ‘ସମ୍ବାଦ’କୁ କହିଛନ୍ତି। ଅପରପକ୍ଷରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଜଗନ୍ନାଥଙ୍କ ଡୋରି ଲାଗୁନି। ପୁରୀ କିଭଳି ଯିବି। ମହାପ୍ରଭୁ ଭାବନାରେ ଆସି କହିଥିଲେ କାହିଁକି ମିଛରେ ପୁରୀ ଯିବୁ ? ହେତୁ ପାଇଲା ଦିନଠୁ ପ୍ରତ୍ୟେକ ରଥଯାତ୍ରା ଓ ଯାନିଯାତ୍ରାରେ ପୁରୀ ଯାଇଛି। କୋଭିଡ ସମୟରେ ମଧ୍ୟ କଟକଣା ସତ୍ତ୍ବେ ପୁରୀ ଯାଇଛି। କାହିଁକି ମୋର ଡୋରି ଲାଗୁନାହିଁ ଜାଣିନି ବୋଲି ଶ୍ରୀ ରାଉତରାୟ କହିଛନ୍ତି।