ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ କଂଗ୍ରେସ ସମର୍ଥନ ଦେବାର ପ୍ରଶ୍ନ ଉଠୁନି: ଶରତ

ବାରିପଦା: ରାଜନୀତିରେ ଆଗ ପାର୍ଟି, ତାପରେ ମାଟି। ତେଣୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ମୟୂରଭଞ୍ଜର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ କଂଗ୍ରେସ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ। ଶ୍ରୀମତୀ ମୁର୍ମୁ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ହେବ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ଓଡ଼ିଶା କଂଗ୍ରେସ ଆଦୌ ସମର୍ଥନ ଦେବ ନାହିଁ ବୋଲି ବାରିପଦାର ଦଳୀୟ ସମାବେଶରେ ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ସଭାପତି ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର ପାଇଁ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ତାଙ୍କର ଏହି ବୟାନ ଚର୍ଚ୍ଚାର ପ୍ରସଙ୍ଗ‌ ହୋଇଛି।

ଶ୍ରୀ ପଟ୍ଟନାୟକ ସମାବେଶରେ ଯୋଗଦେବା ପୂର୍ବରୁ ଏକ ବାଇକ୍‌ ରାଲିରେ ତାଙ୍କୁ ଶତାଧିକ କର୍ମୀ ବାରିପଦା ସହର ପରିକ୍ରମା କରାଇଥିଲେ। ଏହାପରେ ଦଳୀୟ ସମାବେଶରେ ଯୋଗ ଦେଇ ଉପରୋକ୍ତ ବକ୍ତବ୍ୟ ରଖିବା ସହ ସଂଗଠନକୁ ମଜବୁତ କରିବା ପାଇଁ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଅପରାହ୍ନରେ ସ୍ଥାନୀୟ ସ୍ବସ୍ତିକ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ତୈଳଜାତ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି। ବେକାର ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୂରଦୃଷ୍ଟିହୀନ ‘ଅଗ୍ନିପଥ’ ଯୋଜନା ଆଣି ସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିଭଳି ଓଡ଼ିଶାରେ ବିଜେଡି ସରକାରର ୨୨ ବର୍ଷ ଶାସନ ମଧ୍ୟରେ ଗୋଟିଏ ବି ନୂଅ ଶିଳ୍ପ ପ୍ରତିଷ୍ଠା ହୋଇପାରିନି। କର୍ମସଂସ୍ଥାନ ପାଇଁ ପ୍ରତିବର୍ଷ ରାଜ୍ୟର ୧୦ ଲକ୍ଷରୁ ଅଧିକ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ପ୍ରଚାରସର୍ବସ୍ବ ଏହି ସରକାରଙ୍କୁ ୨୦୨୪ରେ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବେ। କଂଗ୍ରେସ ୯୦ରୁ ଊର୍ଦ୍ଧ୍ବ ଆସନ ପାଇ ସରକାର ଗଠନ କରିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହେମନ୍ତ ଦାସ, ବିଜନ ଦାସ, ବରିଷ୍ଠ ନେତ୍ରୀ ସରସ୍ବତୀ ହେମ୍ବ୍ରମ୍‌, କିଶୋର ଜେନା, ସୁରେଶ ମହାପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ ସୁଦର୍ଶନ ଦାସ, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଅଭିଷେକ ମହାନନ୍ଦ, ଲୋକନାଥ ମହାରଥୀ, ପ୍ରଭାସ କର ମହାପାତ୍ର, ପ୍ରଦୀପ ରଥ, ନୀରୋଜ ଲୋଚନ ଦାସ, ଶାନ୍ତନୁ ପାଲ, ଅଜିତ ଜେନା, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ଜିଲ୍ଲା ଛାତ୍ର ସଭାପତି ମୋତିପ୍ରକାଶ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଲୋକନାଥ ମହାରଥୀ, ପ୍ରଦୀପ ରଥ, ଭୁବନ ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର