ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦିଆଯାଇଛି। କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ଏଆଇସିସି ଜିଲ୍ଲା, ବ୍ଲକ୍‌, ମଣ୍ଡଳସ୍ତରୀୟ ଓ ବିଭିନ୍ନ ସେଲ୍‌ କମିଟିକୁ ଭଙ୍ଗ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ସବୁ ପଦାଧିକାରୀ ପଦବିରୁ ହଟିଛନ୍ତି। ତେବେ ନୂଆ କମିଟି ଗଠନ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ଦାୟିତ୍ବରେ ରହିବେ। ଅନ୍ୟପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କିଏ ସଭାପତି ହେବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

Advertisment

ବିଗତ କିଛିବର୍ଷ ଧରି ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଆସୁଛି। ଚଳିତ ନିର୍ବାଚନରେ ଯଦିଓ କଂଗ୍ରେସର ବିଧାୟକ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି, ମାତ୍ର ଭୋଟ୍‌ ହାର ହ୍ରାସ ପାଇଛି। ୨୪ବର୍ଷ ଧରି ଶାସନରେ ରହିଥିବା ବିଜୁ ଜନତା ଦଳ ବିରୋଧରେ ବ୍ୟାପକ ଜନ
ଅସନ୍ତୋଷକୁ ଭୋଟ୍‌ରେ ରୂପାନ୍ତରିତ କରିବାରେ କଂଗ୍ରେସ ଏଥର ବି ବିଫଳ ହୋଇଥିଲା। ଦଳ ଭିତରେ ଭୀଷଣ ଗୋଷ୍ଠୀ ବିବାଦ ସାଙ୍ଗକୁ ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଦଳକୁ ଆଶାତୀତ ସଫଳତା ମିଳିନାହିଁ। ନିର୍ବାଚନରେ ଦଳ କ’ଣ ପାଇଁ ଖରାପ ପ୍ରଦର୍ଶନ କଲା, ତାହାର ଅନୁଧ୍ୟାନ କରିବା ଲାଗି ଏଆଇସିସି ଦୁଇ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଥିଲା। ଅନ୍ୟ ରାଜ୍ୟ ପାଇଁ ଗଠନ ହୋଇଥିବା କମିଟି ସଂପୃକ୍ତ ରାଜ୍ୟକୁ ତଥ୍ୟ ସଂଗ୍ରହ କରିଥିଲେ ହେଁ ଓଡ଼ିଶାକୁ ଆସିଲେ ନାହିଁ। ଏବେ ସଂସଦର ଅଧିବେଶନ ଆରମ୍ଭ ହେଉଥିବାରୁ ଏହି କମିଟି ଓଡ଼ିଶା ଗସ୍ତ କରିବା ସମ୍ଭବ ନ ଥିଲା। ହେଲେ ଏହି କମିଟି ଅନୁଧ୍ୟାନ କରି କୌଣସି ରିପୋର୍ଟ ଦେବା ପୂର୍ବରୁ ଏଆଇସିସି ନିଜର ନିଷ୍ପତ୍ତି ଜଣାଇଦେଇଛି। ଅପରପକ୍ଷରେ ଦଳ ଭିତରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତୀବ୍ର ବିରୋଧ କରାଯିବା ଘଟଣା ପ୍ରଦେଶ କଂଗ୍ରେସ କମିଟି ଭାଙ୍ଗିବା ପଛର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ ଦଳୀୟ ପାଣ୍ଠି ବଣ୍ଟନକୁ ନେଇ ମଧ୍ୟ ଅନେକ ପ୍ରାର୍ଥୀ ସିଧାସଳଖ ପିସିସି ସଭାପତିଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାର କିଛିଦିନ ପରେ କଂଗ୍ରେସ ଭବନ ଭିତରେ ତାଙ୍କୁ କାଳିମାଡ଼ କରାଯିବା ସହ ଏକାଧିକ ସଦସ୍ୟଙ୍କୁ ବହିଷ୍କାର କରାଯିବା ଘଟଣା ଦଳକୁ ଅଡ଼ୁଆରେ ପକାଇଥିଲା। ଏହି ବହିଷ୍କାର ବିରୋଧରେ ଜଣେ ମହିଳା ସଦସ୍ୟ କଂଗ୍ରେସ ଭବନ ଆଗରେ ଦିନ ଦିନ ଧରି ଧାରଣା ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ବେଶ୍‌ କିଛିଦିନ ପର୍ଯ୍ୟନ୍ତ କଂଗ୍ରେସ ଭବନ ଅଚଳ ହୋଇଯାଇଥିଲା। ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଦଳ ଭିତରେ ଯେ ସବୁକିଛି ଠିକ୍ ନାହିଁ ତାହାକୁ ପଦାରେ ପକାଇଥିଲା।

ପିସିସି କମିଟି ଭାଙ୍ଗିବା ପରେ ଏବେ ନୂଆ ପିସିସି ସଭାପତି କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଆଗକୁ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବ ଓ ପରେ ୨୦୨୯ରେ ସାଧାରଣ ନିର୍ବାଚନ। ତେଣୁ ଏହା ଭିତରେ କଂଗ୍ରେସ ରାଜ୍ୟରେ ନିଜକୁ ଏକ ପ୍ରମୁଖ ବିରୋଧୀ ଦଳ ଭାବେ ଗଢ଼ିବାକୁ ଯୋଜନା କରିଛି। ଏପରିସ୍ଥଳେ ଆଜିର ନିଷ୍ପତ୍ତି ଦଳର ଭାଗ୍ୟ ବଦଳାଇପାରେ। ଦଳ ଭିତରେ ଅନେକ ବରିଷ୍ଠ ନେତା ରହିଥିବାରୁ ସମସ୍ତଙ୍କୁ ଏକାଠି ନେଇ ଚାଲି ପାରିବା ଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଏଆଇସିସି ମଙ୍ଗୁଆଳ କରିପାରେ। ତେବେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପିସିସି ସଭାପତି ତାଲିକାରେ ରହିଥିବା ନେଇ ଚର୍ଚ୍ଚା ହେଉଛି।