ଭୁବନେଶ୍ବର: ରାଜ୍ୟରେ ନାରୀ ସୁରକ୍ଷା ପାଇଁ ପୂର୍ବରୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ପାଣି ଓ ରବର୍ ବୁଲେଟ୍ ମାଡ଼ କରି କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ଆଜି ମହିଳା କଂଗ୍ରେସ ପକ୍ଷରୁ ପୁଲିସ ଉପରକୁ ଫୁଲ ପକାଯାଇ ଅଭିନବ ଢାଞ୍ଚାରେ ଆନ୍ଦୋଳନ କରାଯାଇଛି।
ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରାଯାଇଥିଲା। ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା। ଏହି ସମୟରେ ଲୋୟର୍ ପିଏମ୍ଜିଠାରେ ବ୍ୟାରିକେଡ୍ ପକାଇ ପୁଲିସ ଶୋଭାଯାତ୍ରାକାରୀଙ୍କୁ ଅଟକାଇଥିଲା। ତେବେ ମହିଳା କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଭଙ୍ଗାଯାଇଥିଲା ଓ ପୁଲିସ ଉପରକୁ ଫୁଲ ପକାଯାଇଥିଲା। ମହିଳା କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରେ ପୁଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା।
ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ଯେ ବିଧାନସଭା ଘେରାଉ ମାଧ୍ୟମରେ ମହିଳା କଂଗ୍ରେସ ରାଜ୍ୟରେ ନିର୍ଯାତିତା ମହିଳାଙ୍କର ସ୍ୱର ଉଠାଇଛି। ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ। ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ମୋହନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସେ କହିଛନ୍ତି। ଏପରିକି ପୁଲିସ କାର୍ଯ୍ୟାଳୟରେ ମଧ୍ୟ ମହିଳା ପୁଲିସ କର୍ମଚାରୀ ସୁରକ୍ଷିତ ନାହାନ୍ତି। ରାଜ୍ୟରେ ୬୫ ହଜାର ମହିଳା ନିଖୋଜ ଅଛନ୍ତି। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ, ହଷ୍ଟେଲରେ ଏପରିକି ମହିଳା ଆଶ୍ରମରେ ମଧ୍ୟ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ମହିଳାମାନଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ପୀଡ଼ିତାମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଆଜିର ବିକ୍ଷୋଭରେ ରାଷ୍ଟ୍ରୀୟ ମହିଳା କଂଗ୍ରେସର ଓଡ଼ିଶା ପ୍ରଭାରୀ ତୂଳିକା କର୍ମା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ସୁରେଶ କୁମାର ରାଉତରାୟ, ଦାଶରଥୀ ଗମାଙ୍ଗୋ, ରାଜନ ଏକା, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ଅଶୋକ ଦାସ ଓ ସୋଫିଆ ଫିର୍ଦୋସ ଅଂଶଗ୍ରହଣ କରିଥିଲେ।