ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଭବନରେ ତାଲା ପକାଇ ଧାରଣା ଦେବା ବେଳେ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟଣାଓଟରା, ଅସଦାଚରଣ ଘଟଣା ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ତଦନ୍ତ ନିର୍ଦେଶ ପରେ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଧାରଣାରୁ ଉଠିଛନ୍ତି ସଭାନେତ୍ରୀ।
ଗତକାଲି ଦଳୀୟ ଟିକେଟ୍ ବଣ୍ଟନ ପ୍ରତିବାଦରେ ସଭାନେତ୍ରୀ ସୁମିତ୍ରା ଜେନା ତାଙ୍କ ସମର୍ଥକମାନଙ୍କ ସହିତ କଂଗ୍ରେସ ଭବନ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଯାଇଥିଲେ। କିନ୍ତୁ ଭଦ୍ରକ ଅଞ୍ଚଳର କିଛି କର୍ମୀ ଆସି ଫାଟକର ତାଲା ଖୋଲିବା ସହିତ ସେମାନଙ୍କୁ ଟଣାଓଟରା କରିଥିଲେ। ଏ ନେଇ ସୁମିତ୍ରା ଜେନା କହିଛନ୍ତି ଯେ କଂଗ୍ରେସ ଭବନରେ ଏଭଳି ଗୁଣ୍ଡାଗିରି ବିରୋଧରେ ସେ କ୍ୟାପିଟାଲ୍ ପୁଲିସ୍ ଥାନାରେ ୪ଜଣଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏତଲା ଦେବା ସଙ୍ଗେ ସଙ୍ଗେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସାମୟିକ ଓଡ଼ିଶା ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କୁ ମଧ୍ୟ ଅବଗତ କରିଛନ୍ତିି। ଯଦି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହାହେଲେ ସେ ପରବର୍ତୀ ପଦକ୍ଷେପ କ’ଣ ନେବେ ଖୁବଶୀଘ୍ର ସ୍ଥିର କରିବେ ବୋଲି କହିଛନ୍ତି।
ତେବେ ତାଙ୍କ ଅଭିଯୋଗ ପାଇବା ପରେ ପିସିସି ସଭାପତି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ସେ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ, ଚିରଞ୍ଜୀବ ବିଶ୍ବାଳ ଓ ମାନସ ଚୌଧୁରୀଙ୍କୁ ନେଇ ଏକ ତିନିଜଣିଆ କମିଟି ବି ଗଠନ କରିଛନ୍ତି। ତଦନ୍ତ ନିର୍ଦେଶ ପରେ ମହିଳା କଂଗ୍ରେସ ସଭାନେତ୍ରୀ ଧାରଣାରୁ ନିବୃତ୍ତ ହୋଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/congress-bhawan-dharana-1.jpg)