ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣାରେ ମହିଳା କଂଗ୍ରେସର ଚେତାବନୀ : ୨ ମନ୍ତ୍ରୀଙ୍କୁ ବହିଷ୍କାର, ୨ ସଚିବ ଓ ଜିଲ୍ଲାପାଳଙ୍କୁ ନିଲମ୍ବନ କର

୭୨ ଘଣ୍ଟାରେ ପଦକ୍ଷେପ ନନେଲେ ଧାରଣା ୧୯ରେ

ଭୁବନେଶ୍ବର: କନ୍ଧମାଳ ସେବାଶ୍ରମ ସ୍କୁଲ ଛାତ୍ରୀ ପ୍ରସବ ଘଟଣା ନେଇ ମହିଳା କଂଗ୍ରେସ ଆକ୍ରମଣାତ୍ମକ ରାସ୍ତାକୁ ଓହ୍ଳାଇଛି। ଏହି ଘଟଣାରେ ରାଜ୍ୟ ସରକାର ତଳସ୍ତରର କର୍ମଚାରୀମାନଙ୍କୁ ବଦଳି ଓ ନିଲମ୍ବନ କରିଥିଲେ ବି ଏଥିରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି। ବରଂ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର ଦାବି କରିଛନ୍ତି। ସେତିକି ନୁହେଁ, ଏହି ୨ଟି ବିଭାଗର ସଚିବ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ନିଲମ୍ବନ କରିବାକୁ ଦାବି କରିଛି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ପଦକ୍ଷେପ ନନେଲେ, ଆଗାମୀ ୧୯ ତାରିଖରେ ମହିଳା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟବ୍ୟାପୀ ଧାରଣା ଦେବାକୁ ଚେତାବନୀ ଦେଇଛି ମହିଳା କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦାରିଙ୍ଗିବାଡ଼ିର ଆଶ୍ରମ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ ପ୍ରସବ ଘଟଣା ଓ କନ୍ୟା ସନ୍ତାନ ମୃତ୍ୟୁ ଦେଶ ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ। ଏହି ଘଟଣାରେ ତଳସ୍ତରରୁ କର୍ମଚାରୀମାନଙ୍କୁ ବଦଳି ଓ ନିଲମ୍ବନ କଲେ କେବଳ ଚଳିବ ନାହିଁ। ବିଭାଗର ମନ୍ତ୍ରୀ ଶ୍ରୀ ମାଝୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜ ବିଭାଗର ଅପାରଗତାକୁ ଘୋଡ଼ାଇବା ଆଦୌ ସମୀଚୀନ ନୁହେଁ ବୋଲି ସେ କହିଥିଲେ। ଦୁଇ ମନ୍ତ୍ରୀ ଓ ଦୁଇ ବିଭାଗୀୟ ସଚିବ ମଧ୍ୟ ନିଜର କାର୍ଯ୍ୟରେ ଅବହେଳାକୁ ସ୍ବୀକାର ନକରିବା ଏବଂ ନୈତିକତା ଦୃଷ୍ଟିରୁ ଇସ୍ତଫା ନନେବା ଅତ୍ୟନ୍ତ କ୍ଷୋଭର ବିଷୟ। ଦୁଇମନ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କାର ଏବଂ ଦୁଇ ସଚିବଙ୍କ ସହିତ କନ୍ଧମାଳ ଜିଲ୍ଲାପାଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଆଗାମୀ ୭୨ଘ˚ଟା ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ମନ୍ତ୍ରୀଦ୍ବୟଙ୍କୁ ମନ୍ତ୍ରିମଣ୍ତଳରୁ ବିଦା, ୨ ସଚିବଙ୍କୁ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ନିଲମ୍ବିତ ନକରନ୍ତି, ତେବେ ଆସନ୍ତା ୧୯ ତାରିଖରେ ମହିଳା କ˚ଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଧାରଣା ଦେବାକୁ ବାଧ୍ୟ ହେବ ବୋଲି ପ୍ରଦେଶ ମହିଳା କ˚ଗ୍ରେସ ସଭାପତି ସୁମିତ୍ରା ଜେନା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କ˚ଗ୍ରେସ ଉପସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ମହିଳା କ˚ଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ଣ ୪ଟାରେ ସଭାନେତ୍ରୀଙ୍କ ନେତୃତ୍ବରେ ଶତାଧିକ ମହିଳା କ˚ଗ୍ରେସ କର୍ମକର୍ତା କ˚ଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ମନ୍ତ୍ରୀ ଶ୍ରୀ ମାଝୀ ଓ ଶ୍ରୀ ସାମଲଙ୍କ କୃଶପୁତ୍ତଳିକା ଦାହ କରିଥିଲେ।

ସମ୍ବନ୍ଧିତ ଖବର