ଭୁବନେଶ୍ବର: ଆଜି ପୁରୀ ଗଣଦୁଷ୍କର୍ମକୁ ବିରୋଧ କରି ଓଡ଼ିଶା ରାଜ୍ୟ ଗୃହମନ୍ତ୍ରୀଙ୍କ ଘର ଉପରକୁ ଟାମାଟୋ ମାଡ଼ କରାଯାଇଛି। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର(ଏନଏସୟୁଆଇ) ସଦସ୍ୟମାନେ ମିଶି ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘର ଆଗକୁ ଯାଇ ଆନ୍ଦୋଳନ କରିବା ସହ ଟମାଟୋ ମାଡ଼ କରିଥିଲେ।
ଏନଏସୟୁଆଇର ସଦସ୍ୟମାନେ ପ୍ରଥମେ ଦଳର ପତାକା ଧରି ଦିବ୍ୟ ଶଙ୍କରଙ୍କ ଘର ସମ୍ମୁଖକୁ ଯିବା ସହ ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଦିବ୍ୟ ଶଙ୍କର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଏହା ପରେ ତାଙ୍କ ଘର ଉପରକୁ ଟମାଟୋ ଫିଙ୍ଗିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ମଧ୍ୟ ଅଣ୍ଡା ମାଡ଼ କରିବା ସହ ତାଙ୍କର ଇସ୍ତଫା ଦାବି କରିବୁ ବୋଲି ମଧ୍ୟ ଧମକ ଦେଇଥିଲେ।
ଏନଏସୟୁଆଇର ମୁଖ୍ୟ ରାଜୀବ ପଟ୍ଟନାୟକଙ୍କ କହିବା ମୁତାବକ, ଦିବ୍ୟ ଶଙ୍କର ମିଶ୍ର ପୁରୀ ଗଣଦୁଷ୍କର୍ମ ବିଷୟରେ ଜାଣି ମଧ୍ୟ ସେ ବିଷୟରେ କୌଣସି ଆଲୋଚନା ନ କରିବା ସହ ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଦେଖା କରି ନାହାନ୍ତି। କେବଳ ଦଳର ବୈଠକ ତାଙ୍କ ପାଇଁ ଗୁରୁତ୍ବ ରଖେ। ଆମେ ତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। ଆମର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆମେ ଏଭଳି ଆନ୍ଦୋଳନ ଜାରି ରଖିବୁ। ଏହି ଘଟଣା ପରେ ୧୫-୨୦ଜଣ ସଦସ୍ୟଙ୍କୁ ପୁଲିସ ହେପାଜତକୁ ନେଇଥିବା ଜଣା ପଡ଼ିଛି।