ଘୁ.ଉଦୟଗିରି: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥି ପାଇଁ ରଣକ୍ଷେତ୍ରକୁ ଯିବାକୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଥିବା ବେଳେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପାଞ୍ଚିଗଲାଣି, ଯେଉଁ କାରଣରୁ ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଖୋଲାଖୋଲି ଆସିପାରିନାହାନ୍ତି। ଆଜି ପର୍ଯ୍ୟନ୍ତ କଂଗ୍ରେସ ଦଳୀୟ ପ୍ରାର୍ଥୀ ପ୍ରଫୁଲ ପ୍ରଧାନଙ୍କୁ ବଦଳେଇବା ପାଇଁ ଅସନ୍ତୁଷ୍ଟ ଙ୍କ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ଅସନ୍ତୁଷ୍ଟମାନେ ରାଜ୍ୟ ସଭାପତିଙ୍କୁ ସାକ୍ଷାତ କରି ନିଜର ଅସନ୍ତୋଷ ଜାହିର କରିବା ସହ ଦଳୀୟ ପ୍ରାର୍ଥୀ ବଦଳେଇବାକୁ ଚାପ ସୃଷ୍ଟି କରିଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ବହୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଅଦଳବଦଳ ହେଲା ବାଲିଗୁଡା, କଣ୍ଟାମାଳ ଭଳି ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇ ସାରିଲାଣି କଂଗ୍ରେସ ଦଳ। ହେଲେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତୃବୃନ୍ଦ ଦଳୀୟ ଅସନ୍ତୋଷକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଦଳୀୟ ଅସନ୍ତୁଷ୍ଟ ଗୋଷ୍ଠୀ।
ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରେ ଅସନ୍ତୋଷ ଦେଖାଦେବା ସହ ପ୍ରାର୍ଥୀ ବଦଳାଇବା ନିମନ୍ତେ ଦାବି ଜୋର ଧରିଥିଲା।ବିଭିନ୍ନ ସ୍ଥାନରେ ଏକାଧିକ ବାର ବୈଠକ ପରେ ବୈଠକ କରି ଅସନ୍ତୋଷ ଜାହିର କରିବା ସହ ନେତୃତ୍ୱ ଉପରେ ଚାପ ସୃଷ୍ଟି କରିଚାଲିଥିଲେ। ହେଲେ କୌଣସି ପ୍ରକାର ଫଳ ନ ମିଳିବାରୁ ଆଜି ଶେଷ ଥର ପାଇଁ ଘୁ. ଉଦୟଗିରି ବିଧାନସଭା କ୍ଷେତ୍ରର କଂଗ୍ରେସ ର କିଛି ଅସନ୍ତୁଷ୍ଟ ନେତା କର୍ମୀ ଆଜି ସ୍ଥାନୀୟ ଏମଏମ ହାଇସ୍କୁଲ ପଛପଟ ଏକ ଆମ୍ବ ତୋଟାରେ ଏକତ୍ରିତ ହୋଇ ଏକ ବୈଠକ ଆୟୋଜନ କରି ଶେଷ ଥର ପାଇଁ ପୁଣି ସେଇ ଦଳୀୟ ପ୍ରାର୍ଥୀ ବଦଳେଇବା ନିମନ୍ତେ ଦାବି କରିଥିଲେ। ପ୍ରାର୍ଥୀ ନ ବଦଳିଲେ ଆଗାମୀ ଦିନରେ ସାମୁହିକ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ସମସ୍ତ ନେତା ଏବଂ କର୍ମୀ।
ଅନ୍ୟପକ୍ଷରେ କଂଗ୍ରେସର ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ଘୁ.ଉଦୟଗିରି ଆସି ଦଳୀୟ ନେତା ଏବଂ କର୍ମୀଙ୍କୁ ଖୋଜୁଥିବା ବେଳେ ସମସ୍ତେ ଅସନ୍ତୋଷ ପ୍ରକାଶ କରି ଗୁପ୍ତ ସ୍ଥାନରେ ବୈଠକ କରୁଥିବା ସୂଚନା ମିଳିଛି। କଂଗ୍ରେସ ଦଳର ଅସନ୍ତୋଷ ଚରମ ସିମାରେ ପହଞ୍ଚିଛି। ଏକଦା କଂଗ୍ରେସ ର ଗଡ଼ଭାବେ ପରିଚିତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଏବେ କଂଗ୍ରେସ ଦଳ ରେ ଅସନ୍ତୋଷ ପାଇଁ ସବୁ ଗଡ଼ବଡ଼ ହୋଇଯାଉଛି। ନିର୍ବାଚନ ପାଇଁ ବିଜେଡି ଜୋରସୋରରେ ନିଜ ରଣନୀତି ସ୍ଥିର କରି ନିର୍ବାଚନ ରଣ କ୍ଷେତ୍ରରେ ଆଗକୁ ବଢିଚାଲିଥିବା ବେଳେ କଂଗ୍ରେସ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ନ୍ୟାୟ ହୋଇଛି। କଂଗ୍ରେସର ଅସନ୍ତୋଷରୁ ବିଜେଡି ପୁରା ଫାଇଦା ଉଠେଇବାକୁ ଟାଙ୍କି ବସିଛି। ଆଗାମୀ ଦିନରେ କଂଗ୍ରେସର ସ୍ଥିତ କଣ ହେବ ସମୟ କହିବ ହେଲେ ବିଜେଡି କିନ୍ତୁ ଅଧିକ ଲାଭବାନ ହେବା ନେଇ ବେଶ ଆଶାବାଦୀ ଅଛି। ଇତିମଧ୍ୟରେ କଂଗ୍ରେସର ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ହାତ ଛାଡ଼ି ପଦ୍ମ ପୋଖରୀରେ ଯୋଗ ଦେଇ ପ୍ରଚାର ମୈଦାନରେ ଓଲ୍ହେଇ ସାରିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG_20240421_153244.jpg)