ପୁଲିସର ବର୍ବରତା ଘଟଣାରେ ୧୮ ଗିରଫ ଘଟଣା: ଜେଲରେ ଦଳୀୟ କର୍ମୀଙ୍କୁ ଭେଟିଲେ କଂଗ୍ରେସ ନେତା

ମାଲକାନଗିରି: ଗତ ୭ ତାରିଖ ଦିନ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ମଧ୍ୟରାତ୍ରୀରେ ବାଲିମେଳା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ଅତି ନିର୍ମମ ଭାବେ ଘରୁ ମହିଳାମାନଙ୍କୁ ଆଣି ନିର୍ଦ୍ଧୁମ ପିଟିଥିଲେ। ଏପରିକି ଗର୍ଭବତୀ ଏବଂ ବୃଦ୍ଧାମାନଙ୍କୁ ମଧ୍ୟ ଛାଡିନଥିଲେ। ଏହାର ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ତରଫରୁ ଏକ ଫେକ୍ଟ ଫାଇଡିଂ ଟିମ ଆରଏସସି-୧୩ ଗ୍ରାମରେ ପହଞ୍ଚି ରିପୋର୍ଟ ତିଆରି କରିବା ସହ ଏସପିଙ୍କୁ ଭେଟିଥିଲେ। ଏସପି ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ କଂଗ୍ରେସ ତରଫରୁ ଚିତ୍ରକୋଣ୍ଡା ବ୍ଲକ ସାମ୍ନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା।ସେହି ସଭାରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ପ୍ରମୁଖଉପସ୍ଥିତ ଥିଲେ।

ତେବେ ଏହି ନେତାମାନେ ନିଜ କର୍ମୀଙ୍କ ସହ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରୁଥିବା ବେଳେ ସେମାନଙ୍କର ୧୮ ଜଣ କର୍ମୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଯାହାକି ନିନ୍ଦନୀୟ। ଚିତ୍ରକୋଣ୍ଡା ଥାନାକୁ ଯେଉଁମାନେ ଆକ୍ରମଣ କଲେ ସେମାନଙ୍କୁ ଗିରଫ କରାଯାଉ।କିନ୍ତୁ କଂଗ୍ରେସ କର୍ମୀଙ୍କୁ ତୁରନ୍ତ ଛଡାଯାଉ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢି, ଭୀମା ବାରସେ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ସାମ୍ବାଦିକ ସମ୍ମିଳନୀ  କରିବା ପୂର୍ବରୁ କଂଗ୍ରେସର ଏକ ଟିମ ଜେଲ ଯାଇ କଂଗ୍ରେସ କର୍ମୀଙ୍କୁ ଭେଟିଥିଲେ। ତାଂକୁ ତୁରନ୍ତ ଖଲାସ କରିବା ନେଇ ବୁଝାଯାଇଥିବା ଜଣାପଡିଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଟଂକାର ଦୁଇ ପଟ ବୋଲି ବାହିନୀପତି କହିଥିଲେ। କେନ୍ଦ୍ରରେ ଇଡି ଏବଂ ରାଜ୍ୟରେ ଇଓଡବ୍ଲୁ କିପରି ଲୋକଙ୍କୁ ହଇରାଣ କରୁଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏକ ଘରୋଇ ଚ୍ୟାନଲର ସାମ୍ବାଦକଙ୍କୁ ଗିରଫ କରାଯାଇଥିବାରୁ ଏହାକୁ ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା କୁହାଯାଇଥିଲା। ସେ ରାଜ୍ୟ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏତଲା ଦାୟର କରିବା ପରେ ରାଜ୍ୟ ସରକାର ରାଗିଯାଇ ତାଂକୁ ଏଭଳି କରିଥିବା କୁହାଯାଇଛି।ତେବେ ତୁରନ୍ତ ଏହି ୧୮ ଜଣ କଂଗ୍ରେସ କର୍ମୀଙ୍କୁ ଖଲାସ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ତୀବ୍ରତର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

 

ସମ୍ବନ୍ଧିତ ଖବର