ସମ୍ବଲପୁରରେ କଂଗ୍ରେସକୁ ପୁଣି ଏକ ଝଟ୍‌କା: ବିଜେଡିରେ ଯୋଗଦେଲେ କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥିନୀ ସୁଜାତା ବାଦୀ

ସମ୍ବଲପୁର : କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ଜଣେ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି। ତେବେ, ନୂଆ ଘଟଣାକ୍ରମରେ ଶନିବାର ଦିନ ମାନେଶ୍ବର ଜୋନ୍-୨ କଂଗ୍ରେସ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥିନୀ ସୁଜାତା ବାଦୀ କେବଳ ନିର୍ବାଚନୀ ମଇଦାନ ଛାଡ଼ିନାହାନ୍ତି, ସେ ଦଳ ମଧ୍ୟ ଛାଡ଼ିଛନ୍ତି। ସେ ଶନିବାର ରାତି ୯ଟାରେ ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କ ସମ୍ବଲପୁର ସାକ୍ଷୀପଡ଼ାସ୍ଥିତ ବାସଭବନକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି।

ସୁଜାତା ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଦଳ ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦେଲା କିନ୍ତୁ ଏହା ବ୍ୟତୀତ ଆଉ କୌଣସି ସାହାଯ୍ୟ ସହଯୋଗ କଲା ନାହିଁ। କଂଗ୍ରେସ ତାଙ୍କୁ ଅବହେଳା ଓ ଅଣଦେଖା କଲା। ଏହା ତାଙ୍କ ସମ୍ମାନ ପ୍ରତି ଆଞ୍ଚ ଆଣିଥିବାରୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ପତ୍ର ଲେଖି ଜଣେଇଛନ୍ତି। ଶନିବାର ଦିନ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ପାଖକୁ ପଠାଇବା ପରେ ରାତିରେ ତାଙ୍କ ସ୍ବାମୀ ଶ୍ରୀକାନ୍ତ ବାଦୀଙ୍କ ସହିତ ବିଧାୟକ ରୋହିତ ପୂଜାରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ଏଣିକି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୁଜାତା କହିଛନ୍ତି। ସୁଜାତାଙ୍କ ସହିତ ତାଙ୍କ ସମର୍ଥକ ଜୟନ୍ତ ବେହେରା ଓ ଅନ୍ୟମାନେ ବିଜେଡିରେ ଯୋଗ ଦେଇଥବା ବେଳେ ସେମାନଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି।

ସେହିପରି ଶନିବାର ସକାଳେ ବଦୁଆପାଲିର ଉମାକାନ୍ତ ପତି, ସୋମନାଥ ବାଗ, ସମିତିସଭ୍ୟା କଲ୍ୟାଣୀ ସୁନା, ୱାର୍ଡ ସଭ୍ୟ ସୁଦର୍ଶନ ନାଏକ ଓ କଲ୍ୟାଣୀ ନାଏକ ସେମାନଙ୍କ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦାନ କରିଛନ୍ତି। ସେମାନେ ମଧ୍ୟ ରୋହିତ ପୂଜାରୀଙ୍କ ବାସଭବନକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ଯୋଗଦାନ ସମୟରେ ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ମାନେଶ୍ବର ବ୍ଲକ ବିଜେଡି ସଭାପତି ଗୋପୀରଂଜନ ବେହେରା, ପୂର୍ବତନ ସରପଞ୍ଚ ସଂଜୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର