ଭୁବନେଶ୍ୱର : ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏତେ ନିମ୍ନ ମାନର ଛତୁଆ ଦିଆଯାଉଛି ଯେ ତାହାକୁ କେହି ଖାଇବା ତ ଦୂରର କଥା, ଛୁଉଁନାହାନ୍ତି। ଖାସ୍‌ ସେଇଥିପାଇଁ ନଗଡାରେ ସରକାରଙ୍କୁ ଲଜ୍ଜିତ ହେବାକୁ ପଡିଲା। ସତକଥା ହେଲା, ଏସବୁକୁ କୁକୁଡା ଦାନା ଭାବେ ବ୍ୟବହାର କରାଯାଉଛି। ଛତିଶଗଡ଼ ବେପାରି ଲୁଣ ବସ୍ତା ଦେଇ ପ୍ରତିବଦଳରେ ଛତୁଆ ନେଉଛନ୍ତି। ରାଜ୍ୟରେ ଗୋଟିଏ ବଡ଼ ର‍୍ୟାକେଟ୍‌ ଚାଲିଛି। ଗାଁ ର ବାହୁବଳୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଛତୁଆ ଆବଣ୍ଟନ କେଳେଙ୍କାରୀ ଚାଲିଛି। ବ୍ୟାପକ ଦୁର୍ନୀତି ହେଉଛି। ଏସ୍‌ଏଚ୍‌ଜି ନାଁରେ ଅନ୍ୟ ଲୋକ ଏସବୁ ସାମଗ୍ରୀ ଯୋଗାଉଛନ୍ତି।

Advertisment

ରାଜ୍ୟରେ ଛତୁଆ ଦୁର୍ନୀତି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ବିରୋଧୀ ଦଳର ବିଧାୟକମାନେ ବିଧାନସଭାରେ ଗର୍ଜନ ତର୍ଜନ କରିଥିଲେ। ଦୁଃଖ ପ୍ରକାଶ କରିଥିଲେ ହେଁ, ମନ୍ତ୍ରୀଙ୍କ ପ୍ରାରମ୍ଭିକ ଉତ୍ତରକୁ ଚିରି ଫିଙ୍ଗିଦେଇଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଦାବି କରିଥିଲେ, ତୁରନ୍ତ ଛତୁଆ ବ୍ୟବସ୍ଥା ବନ୍ଦ କରାଯାଉ। ଅନ୍ୟପକ୍ଷରେ ବିଜେଡି ବିଧାୟକଙ୍କ ସ୍ୱରରେ ବି ଛତୁଆ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ ଥିବା ଅନିୟମିତତା ସ୍ପଷ୍ଟ ବାରି ହୋଇପଡିଥିଲା। ବିଧାୟକମାନଙ୍କ ଉଦ୍‌ବେଗ ଲକ୍ଷ୍ୟ କରି ମହିଳା ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ବିଧାୟକମାନେ ଅଭିଯୋଗ ଆଣିଲେ, ୪୮ ଘଣ୍ଟା ଭିତରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକମାନଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ ଲାଗି ଯେଉଁ ପ୍ରସ୍ତାବ ଆସିଛି, ସେ ସଂପର୍କରେ ସରକାର ବିଚାର କରିବେ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଉଭୟ କଂଗ୍ରେସ ଏବଂ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

‘ରାଜ୍ୟରେ ନିମ୍ନମାନର ଛତୁଆ ଯୋଗାଣ ଓ ଦୁର୍ନୀତି, ହିତାଧିକାରୀଙ୍କ ହାଲ୍‌ ବେହାଲ୍‌, ଛତୁଆ ଯୋଗାଣକାରୀ ମାଲେମାଲ୍‌’ ସଂପର୍କରେ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ସରଗରମ ଆଲୋଚନା ହୋଇଥିଲା।

କଂଗ୍ରେସ ପକ୍ଷରୁ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି, କୈଳାଶ ଚନ୍ଦ୍ର କୁଲେସିକା, ଜାକବ ପ୍ରଧାନ ଓ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ଏବଂ ବିଭୂତି ହରିଚନ୍ଦନ ପ୍ରମୁଖ କହିଥିଲେ, ଛତୁଆ ଦୁର୍ନୀତିକୁ ନେଇ ସାରା ରାଜ୍ୟ ପଡୁଛି ଉଠୁଛି। ସମସ୍ତେ ଏକଥା ଅନୁଭବ କରୁଛନ୍ତି, ଦଳମତ ନିର୍ବିଶେଷରେ ବିଧାୟକମାନେ ବି। ପଞ୍ଚାୟତ ସମିତି ହେଉ କି ଜିଲ୍ଲା ପରିଷଦ ବୈଠକ, ସବୁଠାରେ ଏହାକୁ ନେଇ ସାଂଘାତିକ ଅଭିଯୋଗମାନ ଆସୁଛି। ବଲାଙ୍ଗୀରରେ ଏ କେଳେଙ୍କାରୀ ଧରାପଡିସାରିଛି। ଜାଲ୍‌ ରସିଦ୍‌ ଦେଇ ଛତୁଆ ଯୋଗାଣ ହୋଇଥିବା ଜିଲ୍ଲାପାଳ ଧରିଲେ। ହେଲେ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଲାନି। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଗଲାନି। ରାଜ୍ୟରେ ଯୋଗାଣ ହେଉଥିବା ନିମ୍ନମାନର ଛତୁଆ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେଇପାରିବନାହିଁ। ମନ୍ତ୍ରୀ, ସଚିବ ନିଜେ ଯାଇ ଖାଇ ସତ୍ୟତା ପରଖିବା ଦରକାର। ଏଥିସହିତ ସିଡିପିଓ, ସୁପରଭାଇଜର ପ୍ରମୁଖଙ୍କ ସନ୍ଦେହଜନକ ଭୂମିକା ନେଇ ବିଧାୟକମାନେ ତମ୍ବିତୋଫାନ କରିଥିଲେ।

ବିଧାୟକମାନେ କହିଥିଲେ, ଏସ୍‌ଏଚ୍‌ଜି ନାଁରେ ଅନ୍ୟ ଲୋକେ ଛତୁଆ ଯୋଗାଣ କରୁଛନ୍ତି। ଏକଥା ଜିଲ୍ଲାପାଳ ଜାଣି ବି ରାଜନୈତିକ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଶହ ଶହ ପିଲା ପୁଷ୍ଟିହୀନତାର ଶିକାର ହେଉଛନ୍ତି ଓ ସେମାନଙ୍କ ଜୀବନ ଯାଉଛି। ସରକାର ମାତୃ କମିଟି ସଂପର୍କରେ ଯାହା କହିଛନ୍ତି, ତାହା କାଗଜପତ୍ରରେ ଚାଲିଛି। ମୁଖ୍ୟମନ୍ତ୍ରୀ ମା’କୁ ସମ୍ମାନ କଥା କହୁଛନ୍ତି, ଗର୍ଭବତୀ ମହିଳାଙ୍କୁ ଏମିତି ସମ୍ମାନ? ବେଟି ବଚାଓ କଥା କୁହାଯାଉଛି, ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଏମିତି ବ୍ୟସ୍ତ? ପ୍ରଶାସନିକ ଅଧିକାରୀଙ୍କ ସହିତ ସଲାସୁତୁରାରେ ସବୁକିଛି ଚାଲିଥିବା ବିଧାୟକମାନେ କହିଥିଲେ।

ସରକାରୀ ଦଳର ବିଧାୟକ ମହେଶ ସାହୁ, ଜୀବନ ପ୍ରଦୀପ ଦାଶ, ଦିବ୍ୟଶଙ୍କର ମିଶ୍ର ଓ ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉଦ୍‌ବେଗ ପ୍ରକାଶ କରି ସରକାରୀ ଯୋଜନାର ଠିକଣା କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ ଦେଇଥିଲେ। ଏପରିକି ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଅଭିଯୋଗ ଆସୁଛି, ସେମାନଙ୍କୁ ବାଦ୍‌ ଦେବା ଲାଗି ପ୍ରସ୍ତାବ ଦେଇଥିଲେ। ବିଧାୟକ ଶ୍ରୀ ଦାଶ ଆଉ ଟିକିଏ ଆଗକୁ ଯାଇ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କହିଥିଲେ, ବାଲେଶ୍ୱରରେ ନିମ୍ନ ମାନର ଛତୁଆ ଧରିପଡିଥିଲା ଓ ଏହା ହାତରେ ଧରିବା ଯୋଗ୍ୟ ନଥିଲା। ମାତ୍ର ତାହାକୁ ରାଜ୍ୟରେ ଥିବା ଏକମାତ୍ର ପରୀକ୍ଷାଗାରକୁ ପଠାଯିବାର ୬ମାସ ପରେ ଯେଉଁ ରିପୋର୍ଟ ଆସିଛି, ସେଥିରେ ଛତୁଆର ମାନ ଠିକ୍‌ ଥିବା କୁହାଯାଇଛି। ଏଣୁ ରାଜ୍ୟ ସରକାର ତତ୍କାଳ ମାନ ପରୀକ୍ଷା କରିବା ଲାଗି ବିଧାୟକ ଦାବି କରିବା ସହିତ ବଡ଼ କଂପାନିକୁ ଏ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ।

ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ଛତୁଆ ତିଆରିରେ ଅଭିଜ୍ଞତା ରହିଛି, ଯାହାର ଗୁଣ୍ଡ କରି ଶୁଖାଇବା ଓ ପ୍ୟାକେଟ୍‌ କରିବା ପାଇଁ ଉପଯୁକ୍ତ ସରଞ୍ଜାମ ଆଦି ରହିଛି, ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସେମାନଙ୍କ ସହିତ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥାଏ। ଜିଲ୍ଲାସ୍ତରରେ ସେମାନଙ୍କର ବାର୍ଷିକ କାର୍ଯ୍ୟକ୍ରମର ସମୀକ୍ଷା କରି ପୁନଃ ଚୁକ୍ତି ନବୀକରଣ କରାଯାଇଥାଏ। ଛତୁଆ ପ୍ରସ୍ତୁତି ବେଳେ ସୁପରଭାଇଜର ମାନେ ଉପସ୍ଥିତ ରହିବା ଲାଗି ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ଅଙ୍ଗନବାଡି ଓ ଏସ୍‌ଏଚ୍‌ଜିସ୍ତରରେ ମାନ ନିରୀକ୍ଷଣ ହେଉଛି। ଏହାବ୍ୟତୀତ ସିଡିପିଓ ଓ ସୁପରଭାଇଜର ମାନ ଯାଞ୍ଚ କରିଥାନ୍ତି ଓ ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାରେ ମଧ୍ୟ ଛତୁଆ ମାନ ପରୀକ୍ଷା କରାଯାଇପାରିବ।

ପରିସଂଖ୍ୟାନ ଦେଇ ମନ୍ତ୍ରୀ କହିଥିଲେ, ବର୍ତମାନ ରାଜ୍ୟରେ ୪୫ ଲକ୍ଷ ୭୯ ହଜାର ୮୦୨ ଜଣ ହିତାଧିକାରୀ ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୮ଲକ୍ଷ ୪୬ ହଜାର ୬୫୨ ଜଣ ୬ମାସରୁ ୩ବର୍ଷର, ୨୦ଲକ୍ଷ ୧୮ ହଜାର ୫୭ ଜଣ ୩ରୁ ୬ ବର୍ଷର ପିଲା ଓ ବାକି ସମସ୍ତେ ଗର୍ଭବତୀ ମହିଳା। ବର୍ତମାନ ସୁଦ୍ଧା ୬୮୪ଟି ଏସ୍‌ଏଚ୍‌ଜିକୁ ଏ କାର୍ଯ୍ୟରେ ନିୟୋଜିତ କରାଯାଇଛି। ୨୦୧୪-୧୫ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟ ପରୀକ୍ଷାଗାରକୁ ଆସିଥିବା ୧୭ ହଜାର ୮୫୯ଟି ନମୂନା ମଧ୍ୟରୁ ୧୧ ହଜାର ୨୬ଟି ନମୂନାର ପରୀକ୍ଷା କରାଯାଇଛି। ଏ ମଧ୍ୟରୁ ମାତ୍ର ୧୭୧ଟି ନମୂନା ନିମ୍ନମାନର ଥିଲା। ୨୦୧୭-୧୮ ବର୍ଷରେ ନିମ୍ନମାନର ଛତୁଆ ପ୍ରସ୍ତୁତି କାରଣରୁ ୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରୁ ନିବୃତ୍ତ କରାଯାଇଥିବା ମନ୍ତ୍ରୀ କହିଥିଲେ। ତେବେ ଛତୁଆ ବ୍ୟବସ୍ଥା ବନ୍ଦ ହେବା ନେଇ ବିରୋଧୀଙ୍କ ଦାବିକୁ ମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ।