ଭୁବନେଶ୍ବର: ଡିସେମ୍ବର ୧ ତାରିଖରେ ପ୍ରଦେଶ କଂ‌ଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବ୍ଲକ୍‌ରୁ ସାଧାରଣ ଜନତା, ଜଗନ୍ନାଥପ୍ରେମୀଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ତ୍ବାବଧାନରେ ନଗର-ବ୍ଲକ୍ ସଭାପତିମାନେ ବୁଥ, ୱାର୍ଡ ଓ ପଞ୍ଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ। ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ବରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆସିବ। ଶ୍ରୀକ୍ଷେତ୍ରର ଶରଧାବାଲିରେ ଜଗନ୍ନାଥପ୍ରେମୀ, କଂଗ୍ରେସ କର୍ମୀ ଏକତ୍ରିତ ହେବା ସହିତ ଶୋଭାଯାତ୍ରାରେ ଯାଇ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ, ପୁରୀ ଶ୍ରୀମନ୍ଦିରର ୪ଦ୍ବାର‌ ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି ଓ ମରାମତି ସହିତ ବେଦାନ୍ତ ଅଧିକୃତ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଫେରସ୍ତ ଦାବି ନେଇ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨୯ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯେହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ, ତେଣୁ ଦଳ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ସେହି କ୍ରମରେ ତୁଳସୀ ଯାତ୍ରା ଅନୁଷ୍ଠିତ ହେବ।

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ରାଜ୍ୟବାପୀ ସଂଗୃହୀତ ତୁଳସୀ ଓ ସଜ ତୁଳସୀ ମହାପ୍ରଭୂଙ୍କ ପାଖରେ ସମର୍ପିତ ହେବ। କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ପାଇଁ ରାଜ୍ୟ ସରକାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରିବା ପାଇଁ କହିଛନ୍ତି। କିନ୍ତୁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ଓ ମରାମତି କରିବା କଂଗ୍ରେସର ଦାବି ରହିଛି। ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଜାନୁଆରି ୧୭ ତାରିଖରେ କରିବେ। ଏହି ପ୍ରକଳ୍ପରେ କ’ଣ କ’ଣ କାର୍ଯ୍ୟ ହୋଇଛି, କେଉଁ ପ୍ରକାରର କାର୍ଯ୍ୟ ହୋଇଛି ଓ କେତେ ଅର୍ଥ ବିନିଯୋଗ ହୋଇଛି ଏହାର ସଂପୂର୍ଣ୍ଣ ବିବରଣୀ ଶ୍ବେତପତ୍ର ମାଧ୍ୟରେ ସରକାର ପ୍ରକାଶ କରନ୍ତୁ। ଏହି ପ୍ରକଳ୍ପର ସ୍ବଚ୍ଛତାକୁ ନେଇ ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଥିଲେ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରାବାହିକ ଭାବେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଗାଁରୁ ପୁରୀ ପର୍ଯ୍ୟନ୍ତ ଓଡ଼ିଶାର ଜଗନ୍ନାଥ ପ୍ରେମୀଙ୍କ ସ୍ବରକୁ କଂଗ୍ରେସ ଦଳ ଉତ୍ତୋଳନ କରୁଛି ବୋଲି ସେ କହିଥିଲେ।