ଅକ୍ଟୋବର ୩୧ରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା-ଓଡ଼ିଶା’

୧୦୦ ଦିନରେ ୨୬ ଜିଲ୍ଲାରେ ୨୨୫୦ କିମି ପଦଯାତ୍ରା, ବିଜେଡି-‌ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ: ଜୟରାମ

ଭୁବନେଶ୍ବର : ଅକ୍ଟୋବର ୩୧ରୁ ‘ଭାରତ ଯୋଡୋ-ଓଡ଼ିଶା’ ଯାତ୍ରା କରିବ କଂଗ୍ରେସ। ଭୁବନେଶ୍ବରସ୍ଥିତ ଇନ୍ଧିରା ଗାନ୍ଧୀ ପର୍କରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଶହେ ଦିନ ମଧ୍ୟରେ ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ର ପରିକ୍ରମା କରିବ। ଏହି ଯାତ୍ରା ମାଧ୍ୟମରେ ପ୍ରତି ବ୍ୟକ୍ତି ଓ ପରିବାର ନିକଟରେ କଂଗ୍ରେସ କର୍ମୀ ପହଞ୍ଚିବା ସହ ବିଜେପି ଓ ବିଜେଡି ସରକାର କିଭଳି ଲୋକଙ୍କୁ ବିଭାଜିତ କରୁଛନ୍ତି ସେସମ୍ପର୍କରେ ଅବଗତ କରିବେ। ଦେଶରେ ଦରଦାମ ବୃଦ୍ଧି ପାଉଛି। ପେଟ୍ରୋଲ ଦର ଶହେ ତଳକୁ ଖସୁ ନାହିଁ। ଦେଶର ଆର୍ଥିକ ସ୍ଥିତି ଦୋହଲିଗଲାଣି। ତା’ପରେ ବି ରାଜ୍ୟର ବିଜେଡି ସରକାର ଚୁପ ବସିଛି। ଜଣେ ବି କେହି ପ୍ରତିବାଦ କରୁନାହାନ୍ତି କି ମୁହଁ ଖୋଲୁନାହାନ୍ତି। ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ଏଠାକାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଂସଦ, ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଉଠବସ୍‌ ହେଉଛନ୍ତି। ତେଣୁ ‘ଭାରତ ଯୋଡୋ-ଓଡ଼ିଶା’ ଯାତ୍ରା ମାଧ୍ୟମରେ ଆମେ ଉଭୟ ଦଳକୁ ଟ‌ାର୍ଗେଟ୍‌ କରିବୁ। ଏହି ଯାତ୍ରା ଦ୍ବାରା ଓଡ଼ିଶାରେ ପରିବର୍ତ୍ତନ ଆସିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୟରାମ ରମେଶ କହିଛନ୍ତି।

‌କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରମେଶ କହିଲେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଭାରତ ଭାଙ୍ଗୁଛି। ଜାତି, ଭାଷା ନାଁରେ ଭାରତକୁ ଭାଗ ଭାଗ କରାଯାଉଛି। ଲାଗୁଛି ଯେମିତି ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ତାହାର ମୁକାବିଲା କରିବା ସହ ଭାରତକୁ ଏକ କରିବା ଲାଗି କଂଗ୍ରେସ ପକ୍ଷରୁ ସାରା ଦେଶରେ ଭାରତ ଯୋଡ଼ୋ ଯାତ୍ରା ହେଉଛି। ଗତ ୭ ତାରିଖରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କା‌ଶ୍ମୀର ପର୍ଯ୍ୟନ୍ତ ଯିବ। ୧୫୦ ଦିନରେ ୩୫୭୧ କିମି ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ମଧ୍ୟରେ ଦେଶର ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଏହି ଯାତ୍ରା ଗତି କରିବ। ପ୍ରତିଦିନ ୨୩ କିମି ଯାତ୍ରାରେ ଲକ୍ଷାଧିକ ଲୋକ ନିଜକୁ ସାମିଲ କରୁଛନ୍ତି, ଯେଉଁଥିରେ ୩୦% ମହିଳା ବି ଅଛନ୍ତି। ଯେହେତୁ ଭାରତ ଯୋଡ଼ ଯାତ୍ରା ଯିବାକୁ ଥିବା ରାସ୍ତାରେ ଓଡ଼ିଶା ଆସୁ ନାହିଁ, ତେଣୁ ରାହୁଲ ଗାନ୍ଧୀ ସାମିଲ ହୋଇପାରିବେ ନାହିଁ। ମାତ୍ର ଆଗାମୀ ଦିନରେ ପୂର୍ବ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଯାତ୍ରା ହୋଇପାରେ ବୋଲି‌ ସେ ମତବ୍ୟକ୍ତ କରିଥିଲେ।

‘ଭାରତ ଯୋଡ଼ୋ’ ଯାତ୍ରାର ଅଧ୍ୟକ୍ଷ ଦିଗ୍‌ବିଜୟ ସିଂହ କହିଲେ ଏହି ଯାତ୍ରା ମାଧ୍ୟମରେ କଂଗ୍ରେସ ଭାରତର ପ୍ରତି ପରିବାରଙ୍କ ପାଖରେ ବାର୍ତ୍ତା ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଶାନ୍ତି, ସଂହିତ, ସଦ୍‌ଭାବନା ଓ ଭାଇଚାରାକୁ ଜାରି ରଖିବା ଲାଗି ବୁଥ୍‌ରୁ ପ୍ରଦେଶ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା କଂଗ୍ରେସ ପଦାଧିକାରୀ କେତୋଟି ପରିବାରକୁ ଏହି ଯାତ୍ରା ସହ ଯୋଡ଼ିଛନ୍ତି ତାହାର ମଧ୍ୟ ତଥ୍ୟ ରହିବ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ‘ଭାରତ ଯୋଡ଼ୋ-ଓଡ଼ିଶା’ ମାଧ୍ୟମରେ ୨୬ ଜିଲ୍ଲାର ୨୨୫୦ କିମି ପଦଯାତ୍ରା କରାଯିବ। ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ଜାନୁଆରି ୩୦ରେ ଭୁବନେଶ୍ୱରରେ ସରିବ। ୨୨ ବର୍ଷ ହେଲା ବିଜେଡି ସରକାର ଓଡ଼ିଶା ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇ ନାହିଁ। ବର୍ଷକୁ ୨ଲକ୍ଷ ଚାକିରି, ପ୍ରତି ବ୍ଲକରେ ୩୫% ଚାଷଜମିକୁ ଜଳସେଚନ, ଉତ୍ତମ ସ୍ୱାସ୍ଥ୍ୟ ସେବା, କୃଷିଭିତ୍ତିକ ଶିଳ୍ପ ସହିତ ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ନେଇ ବିଜେଡି ସରକାର ବହୁ କିଛି କରିବାର ସ୍ୱପ୍ନ ଦେଖାଇଥିଲା। ମାତ୍ର ୨୨ ବର୍ଷ ପରେ ବି ଆଜି ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଲକ୍ଷ ଲକ୍ଷ ଯୁବକ ବେକାର, ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଠିକା କର୍ମଚାରୀ ରୂପେ ନିଯୁକ୍ତି ଦିଆଯାଉଛି। ପଦଯାତ୍ରା ସମୟରେ ପଞ୍ଚାୟତସ୍ତରରୁ ସାଧାରଣ ଜନତା ଆସି କିପରି ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି। ଏହି ଅବସରରେ ‘ଭାରତ ଯୋଡ଼ୋ-ଓଡ଼ିଶା’ ସମ୍ପର୍କରେ ଏକ ରୋଡମ୍ୟାପ୍‌ ପୁସ୍ତିକା ଉନ୍ମୋଚନ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ଜି. ରୁଦ୍ର ରାଜୁ, ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଭାରତ ଯୋଡ଼ୋ-ଓଡ଼ିଶା ସଂଯୋଜକ ରବିନ୍ଦ୍ର ସେଠୀ, ସହ ସଂଯୋଜକ ନକୁଳ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର