ଆଜିଠୁ କଂଗ୍ରେସର ‘ହାଥ୍‌ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ଆଜି ସାଧାରଣତନ୍ତ୍ର ଦିବସରୁ ୨ମାସ ଧରି ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରତି ବ୍ଲକ୍ ଓ ପଞ୍ଚାୟତସ୍ତରରେ ଦଳ ଏହି କାର୍ଯ୍ୟକ୍ରମ ଜରିଆରେ ପହଞ୍ଚାଇବ। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାରୁ ଆରମ୍ଭ ହୋଇପାରେ।

ଶ୍ରୀ ସହାୟ କହିଥିଲେ ଯେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ୋ’ ଯାତ୍ରା ଦେଶବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେନ୍ଦ୍ରର ମୋଦୀ ସରକାରଙ୍କ ବହୁ ଘୋଷିତ ସ୍ଲୋଗାନ୍ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ବାସ’ ଧୂଆଁବାଣରେ ପରିଣତ ହୋଇଛି। ବାସ୍ତବରେ ଏହା ‘କୁଛ କା ସାଥ, ଖୁଦ୍‌ କା ବିକାଶ ଓ ସବ୍‌ କା ସାଥ-ବିଶ୍ବାସଘାତ’ ଭଳି ଅନୁଭବ ହେଉଛି। ଦେଶବାସୀଙ୍କ ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି। ସେହିପରି ଅକ୍ସଫାମ୍ ରିପୋର୍ଟ ଅନୁସାରେ ଦେଶରେ ଅର୍ଥନୈତିକ ଅସମତା ବୃଦ୍ଧି ପାଇଛି। ୧ଭାଗ ଲୋକଙ୍କ ପାଖରେ ଦେଶର ୪୧ ଭାଗ ସଂପତ୍ତି ରହିଛି। ଯାହାକି ଚିନ୍ତାଜନକ।

ମୋଦୀ ସରକାରରେ ସବ୍‌ କା ସାଥ୍-ବିଶ୍ବାସଘାତ : ସହାୟ
ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଭଳି ଅମଲା ଶାସନ ଚାଲିଛି

‌ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଭଳି ଅମଲା ଶାସନ ଚାଲିଛି। ଯେଉଁଠି ମନ୍ତ୍ରୀ ତଥା ନିର୍ବାଚିତ ପ୍ରତିନିଧିମାନେ ଅମଲାର ଅଧୀନସ୍ଥ ହୋଇ ଗୁଣଗାନ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବଡ଼ ଅଟ୍ଟହାସ୍ୟ। ତେଣୁ ଉଭୟ ବିଜେପି ଓ ବିଜେଡି ସରକାରର ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସର ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ସହାୟ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ର ଅଧ୍ୟକ୍ଷ ଗଣେଶ୍ବର ବେହେରା ପୌରହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଯୁଧିଷ୍ଠିର ଜେନା, ମନୋରଂଜନ ଦାଶ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସହ ରାଜ୍ୟରେ ଜାରି ରହିଥିବା ‘ଭାରତ ଯୋଡ଼ୋ ଯାତ୍ରା-ଓଡ଼ିଶା’ କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖରେ ଶେଷ ହେବ। ଏହି ଉପଲକ୍ଷେ ରାଜଧାନୀରେ ଏକ ସଭାର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର