ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜିତ ଦଳର ‘ହୁଙ୍କାର ଜନସଭା’ ଅବସରରେ ସେ ହାତ ଧରିବା ସହିତ ନିଜ ରାଜନୈତିକ ଜୀବନର ଏକ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ଆଜି ମା’ ମାଣିକେଶ୍ବରୀ ମନ୍ଦିରରୁ କଂଗ୍ରେସର ଏକ ବିଶାଳ ଶୋଭାଯାତ୍ରା ବାହାରି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏହାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଯୋଗ ଦେଇଥିଲେ। ପ୍ରଭାରୀ ଡ. କୁମାର ନିଜ ଉଦ୍ବୋଧନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଉଭୟ ବିଜେଡି ଓ ବିଜେପି ୨୫ ବର୍ଷ ଧରି ‘ଲିଭ୍ ଇନ୍’ ସମ୍ପର୍କରେ ରହିଥିବା କହିଥିଲେ। ସମାବେଶରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ କହିଥିଲେ, ଇନ୍ଦ୍ରାବତୀରୁ ଆରମ୍ଭ କରି କେବିକେ ଯୋଜନା ପର୍ଯ୍ୟନ୍ତ କଂଗ୍ରେସ ସରକାର କାର୍ଯ୍ୟକାରିତା କରିଥିବା ବେଳେ ବିଜେଡି ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ତାରାବହିନୀ ପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ସାଗର ଚରଣ ଦାସ ଉଦ୍ବୋଧନ ଦେଇଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁରଲୀଧର ନାଏକ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସମର୍ଥକମାନଙ୍କ ସହିତ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଇଥିଲେ। ସେହିପରି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, କଳାହାଣ୍ଡି ଯାଦବ ସମାଜ ସଭାନେତ୍ରୀ ରଶ୍ମିରେଖା ରାଉତ, ପୂର୍ବ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ପବିତ୍ର କୁମାର, ପୂର୍ବ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଫକିର ମାଝୀ, ପୂର୍ବ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ମାଝୀଙ୍କ ସମେତ ବହୁ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି କଂଗ୍ରେସରେ ସାମିଲ ହୋଇଥିଲେ। ତେବେ, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କୁ ଭାଷଣ ଦେବାକୁ ସୁଯୋଗ ନ ମିଳିବାରୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gjgdjjgj.jpg)