ଆଜି ଠାରୁ କଂଗ୍ରେସର ‘ସ୍ପିକ୍ ଇଣ୍ଡିଆ’

୩ଟି ସମସ୍ୟା ଉପରେ ଦାବି କରିବେ ଜନସାଧାରଣ
ବହୁ ସଂଖ୍ୟାରେ ନାଗରିକ ଭାଗ ନେଇ ଦେଶକୁ ରକ୍ଷା କରନ୍ତୁ : ନିରଞ୍ଜନ

ଭୁବନେଶ୍ୱର : ଦେଶର ତିନିଟି ପ୍ରମୁଖ ସମସ୍ୟାକୁ ନେଇ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେ‌ଟ୍‌ କରିବ କଂଗ୍ରେସ। ସୋସିଆଲ୍‌ ମିଡିଆ ମାଧ୍ୟମରେ ଲୋକଙ୍କ ସ୍ବରକୁ ଶାଣିତ କରି ସରକାରଙ୍କୁ ଘେରିବାକୁ ଦଳ ପକ୍ଷରୁ ଯୋଜନା ହୋଇଛି। ଏଥି ପାଇଁ ୨୮ ତାରିଖରେ ‘ସ୍ପିକ୍ ଇଣ୍ଡିଆ’ ନାମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଭାଗ ନେଇ ଦେଶକୁ ରକ୍ଷା କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଏଆଇସିସି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିଷ୍ପତିକ୍ରମେ ‌େଦଶରେ କଂଗ୍ରେସ ଦଳର ସମସ୍ତ ସଦସ୍ୟ, ନେତୃବୃନ୍ଦ ତଥା ଦେଶର ଜନସାଧାରଣ ଏକ ସ୍ବରରେ ଭାରତ ସରକାରଙ୍କ ନିକଟରେ ୩ଟି ସମସ୍ୟାକୁ ଆସନ୍ତାକାଲି ଦିନ ୧୧ଟାରୁ ୨ଟା ମଧ୍ୟରେ ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ଟ୍ବିଟର୍‌ ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଉପସ୍ଥାପନ କରିବେ। ପ୍ରଥମ ଦାବିଟି ଭାରତବର୍ଷର ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବା ଏବଂ ତତ୍‌କ୍ଷଣାତ ସେମାନଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରିବା। ଏହା ଦ୍ବାରା ଦେଶର କୋଟି କୋଟି ଶ୍ରମିକ ତାଙ୍କ ଜୀବନକୁ ବଞ୍ଚାଇପାରିବେ। ଦ୍ବିତୀୟ ଦାବି ହେଲା କୃଷକମାନଙ୍କୁ ନଗଦ ସହାୟତା ପ୍ରଦାନ କରିବା। କାରଣ ରବି ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ମାର୍ଚ୍ଚ ମାସ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକ୍ରି କରିପାରିଲେ ନାହିଁ । ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡ଼ା ସଦୃଶ । ତେଣୁ କୃଷକମାନଙ୍କୁ ଆସନ୍ତା ଖରିଫ୍ ଋତୁ ପାଇଁ ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ ଔଷଧ ଓ ନଗଦ ଅର୍ଥର ସହାୟତା ପ୍ରଦାନ କରାଯାଉ। ତୃତୀୟ ଦାବି ହେଲା ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ୍ ଯୋଗେ ନିଜ ଅଞ୍ଚଳରେ ପହଞ୍ଚାନ୍ତୁ। ଯାତ୍ରା ସମୟରେ ସେମାନଙ୍କ ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ। ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ତଥା କଂଗ୍ରେସ ପ୍ରେମୀ ବ୍ୟକ୍ତି ଓ ଓଡିଶାର ସଚେତନ ନାଗରିକ ସାମାଜିକ ଗଣମାଧ୍ୟମରେ ଏହି ୩ଟି ଦାବିକୁ ଉପସ୍ଥାପନ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର