ଗଙ୍ଗା-ଯମୁନାଙ୍କର ଏବେ ହୋଇପାରିବନି ଅସ୍ତ୍ରୋପଚାର

୯ କେଜି ଓଜନ ହେଲେ ଚିନ୍ତା କରାଯିବ

କଟକ : ଶିଶୁ ଭବନରେ ଚିକିତ୍ସିତ ହେଉଥିବା ନୟାଗଡ଼ର ଦୁଇ ଯୋଡ଼ା ଶିଶୁ ଗଙ୍ଗା ଓ ଯମୁନାଙ୍କୁ ଏବେ ଅପରେସନ୍‌ କରି ଅଲଗା କରାଯାଇ ପାରିବ ନାହିଁ। ଆରମ୍ଭରୁ ଏହି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହୁନଥିବା ବେଳେ ସେମାନଙ୍କୁ ବଞ୍ଚାଇ ରଖିବା ବର୍ତ୍ତମାନର ପ୍ରଥମ କାମ। ଦୁଇ ଶିଶୁଙ୍କର ଓଜନ ଏବେ ପାଖାପାଖି ୫ କିଲୋ ରହିଛି। ଯେତେବେଳେ ସେମାନଙ୍କର ଓଜନ ୯ କିଲୋରୁ ଅଧିକ ହେବ, ସେତେବେଳେ ଅପରେସନ୍‌ କଥା ଚିନ୍ତା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶିଶୁ ଭବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜଗା ବଳିଆଙ୍କୁ ଅପରେସନ୍‌ ଦ୍ୱାରା ପୃଥକ କରିବା ପରେ ଏବେ ସମସ୍ତଙ୍କ ନଜର ଗଙ୍ଗା ଯୁମନାଙ୍କ ଉପରେ ରହିଛି। ସେମାନଙ୍କ ଶରୀରରେ ଗୋଟିଏ ହୃତପିଣ୍ଡ ଏବଂ ଗୋଟିଏ ଯକୃତ ରହିଛି। ପୁଣି ଅନ୍ତନଳୀ ମଧ୍ୟ ଭାଗ ହୋଇଥିବା ଡାକ୍ତର ଟିମ୍‌ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଭଳି ସମସ୍ୟାକୁ ‘ଥୋରାକ ଓମ୍ପାଲୋ ପାକ୍ସ’ କୁହାଯାଏ। ଦେଢ ଲକ୍ଷ ଶିଶୁଙ୍କ ମଧ୍ୟରେ ଏପରି ଗୋଟିଏ ଘଟଣା ଦେଖାଯାଏ। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ମା’ ପେଟରେ ମରି ଯାଉଥିବା ବେଳେ ୩୦ ପ୍ରତିଶତ ଜନ୍ମ ହେବାର ଏକ ଦିନ ମଧ୍ୟରେ ମୃତ୍ୟୁ ବରଣ କରିଥାନ୍ତି। ଯେଉଁ ୧୦ ପ୍ରତିଶତ ବଞ୍ଚି ରହନ୍ତି ସେମାନେ ମଧ୍ୟ ଏକ ବର୍ଷ ମଧ୍ୟ ମରିଯାଇଥାନ୍ତି ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିଛନ୍ତି। ବର୍ତ୍ତମାନ ଥିବା ଗୋଟିଏ ହୃତପିଣ୍ଡରେ ବି ଗୁରୁତର ତ୍ରୁଟି ରହିଛି। ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହୁନଥିବା ବେଳେ ଏଭଳି ସ୍ଥିତିରେ ବର୍ତ୍ତମାନ ସେମାନଙ୍କୁ ଅପରେସନ୍‌ ମାଧ୍ୟମରେ ଅଲଗା କରିବା ସମ୍ଭବ ନୁହେଁ। ଗଙ୍ଗା ଯୁମନାଙ୍କ ଶରୀରରେ ଗୋଟିଏ ହୃତପିଣ୍ଡ ଥିବାରୁ ଦୁଇଟି ଶରୀର ପାଇଁ ଅବଶ୍ୟକ ଥିବା ଅକ୍ସିଜେନ୍‌ ଠିକ୍‌ ଭାବେ ମିଳୁନାହିଁ। ତେଣୁ ସେମାନଙ୍କ ଅକ୍ସିଜେନ୍‌ ଓ ରକ୍ତ ଚାପକୁ ଠିକ୍‌ ରଖିବାକୁ ସମସ୍ତ ପ୍ରକାର ସହାୟକ ଔଷଧ ଓ ସାଲାଇନ୍‌ ବାହାରୁ ଦିଆଯାଉଛି। ସେପଟେ ପାଟି ବଦଳରେ ନାକ ବାଟେ ଦୁଇ ଜଣଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଉଛି। ଦୁଇ ଜଣଙ୍କ ଓଜନ ୯କେଜି ହେବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଯାଞ୍ଚ କରାଯିବ। ପରେ ସେମାନଙ୍କୁ ଅଲଗା କରାଯାଇ ପାରିବ କି ନାହିଁ ତାହା ଜଣା ପଡିବ। । ସେପର୍ଯ୍ୟନ୍ତ ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯିବ।

ଅନ୍ୟପଟେ ଡାକ୍ତରୀ ଟିମ୍‌ ମୁଖ୍ୟ ଡାକ୍ତର ପି.କେ. ଜେନା କହିଛନ୍ତି ଯେ ଗୋଟିଏ ହୃତ୍‌ପିଣ୍ଡକୁ ଅପରେସନ୍‌ ମାଧ୍ୟମରେ ଅଲଗା କରି ଦୁଇଟି ଜୀବନ ବଞ୍ଚାଇବା ସମ୍ଭବପର ନୁହେଁ। ଯଦିବା ଏପରି କେଉଁ ଠାରେ ହୋଇଛି ସେଠାରେ ଖୁବ ଅଳ୍ପ ଦିନ ମଧ୍ୟରେ ଶିଶୁ ମାନେ ମୃତ୍ୟୁ ବରଣ କରିଥାନ୍ତି। ତେବେ ଶିଶୁ ଦ୍ୱୟଙ୍କୁ ବଞ୍ଚାଇ ରଖି ସେମାନଙ୍କୁ ଅପରେସନ୍‌ କରିବା ପାଇଁ ଶାରୀରକ ଭାବେ ଯୋଗ୍ୟ କରିବା ଆମର ପ୍ରଥମ କାର୍ଯ୍ୟ। ସମ୍ମିଳନୀରେ ଆଇସିୟୁ ଇନ୍‌ଚାର୍ଜ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଜ୍ୟୋତି ରଂଜନ ଚମ୍ପତିରାଏ ଓ ଏସ୍‌ସିବି ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର