ଗଙ୍ଗା-ଯମୁନା ଏବେ ବି ଅସୁସ୍ଥ

କଟକ : ଯମଜ ଯୋଡ଼ା ଶିଶୁ ଗଙ୍ଗା-ଯମୁନାଙ୍କ ଏମ୍‌ଆର୍‌ଆଇ ସ୍କାନ୍‌ର ପ୍ରାଥମିକ ରିପୋର୍ଟ ଆଜି ଆସିଛି। ଏହି ରିପୋର୍ଟରୁ ହୃତ୍‌ପିଣ୍ଡ(ହାର୍ଟ)ରେ ଥିବା ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସୋମବାର ଫାଇନାଲ୍‌ ରିପୋର୍ଟକୁ ଅପେକ୍ଷା କରାଯାଉଛି। ରିପୋର୍ଟ ଆଧାରରେ ସୋମବାର ଡାକ୍ତରୀ ଟିମ୍‌ ଏକ ବୈଠକରେ ରିପୋର୍ଟ ସଂକ୍ରାନ୍ତରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଶିଶୁଭବନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଗଙ୍ଗା-ଯମୁନାଙ୍କୁ ଗତ ୪ ତାରିଖରେ କଟକ ବଡ଼ ମେଡିକାଲ୍‌ରେ ସିଟି ସ୍କାନ୍‌ ଓ ଇକୋ କାର୍ଡିଓଗ୍ରାଫି ପରୀକ୍ଷା ପରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଥିଲା। ସେମାନଙ୍କର ଗୋଟିଏ ହୃତପିଣ୍ଡ ଓ ଯକୃତ ଥିବା ଜଣାପଡ଼ିଥିବା ବେଳେ ହୃତପିଣ୍ଡରେ ଗୁରୁତର ତ୍ରୁଟି ରହିବା ଘଟଣା ଡାକ୍ତରୀ ଟିମ୍‌ଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏମ୍‌ଆର୍‌ଆଇ ସ୍କାନ୍‌ ପରେ ତ୍ରୁଟି ସାମ୍‌ନାକୁ ଆସିବା ଉଦ୍ଦେଶ୍ୟରେ ଗତକାଲି ଶିଶୁଭବନ କର୍ତ୍ତୃପକ୍ଷ ବଡ଼ ମେଡିକାଲ୍‌ରେ ପରୀକ୍ଷା କରାଯାଇଥିଲେ। ଆଜି ସ୍କାନ୍‌ର ପ୍ରାଥମିକ ରିପୋର୍ଟ ଶିଶୁଭବନ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି। ଅନ୍ୟପଟେ ଆଜି ଗଙ୍ଗା-ଯମୁନା ଡବା କ୍ଷୀର ଚାରି ଥରରୁ ଅଧିକ ଥର ପିଇଥିବା ଶିଶୁଭବନ ପକ୍ଷରୁ ସୂଚନା ମିଳିଛି।

ଶିଶୁଭବନ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ କହିଛନ୍ତି ଯେ ଆଜି ଏମ୍‌ଆର୍‌ଆଇ ସ୍କାନ୍‌ର ପ୍ରାଥମିକ ରିପୋର୍ଟ ଆସିଛି। ସ୍କାନ୍‌ର ଫିଲ୍ମି ସୋମବାର ଆସିବ। ସେହି ରିପୋର୍ଟ ଆଧାରରେ ଗଠନ ହୋଇଥିବା ଡାକ୍ତରୀ ଟିମ୍‌ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ହୃତପିଣ୍ଡରେ ଥିବା ତ୍ରୁଟି ଚିହ୍ନଟ କରିବାରେ ସକ୍ଷମ ହୋଇପାରିବେ। ସୋମବାର ଟିମ୍‌ ଫିଲ୍ମି ଦେଖିବା ପରେ ପରବର୍ତ୍ତି ପଦକ୍ଷେପ ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ଅନ୍ୟପଟେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବର୍ତ୍ତନ ଆସିନାହିଁ। ଏବେ ବି ପୂର୍ବ ଭଳି ଅସ୍ଥିର ଥିବା ପରୀକ୍ଷାରୁ ଜଣାପଡ଼ୁଥିବା ଡାକ୍ତର ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର