ଏମ୍‌ଆର୍‌ଆଇ ସରିଲା, ରିପୋର୍ଟ ଆଜି

ଗଙ୍ଗା-ଯମୁନାଙ୍କ ମାଗଣା ପରୀକ୍ଷା ପାଇଁ ସର୍କୁଲାର୍‌

ଏମ୍‌ସ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଆଯିବ

କଟକ : ଯମଜ ପେଟଯୋଡ଼ା ଶିଶୁ ଗଙ୍ଗା-ଯମୁନାଙ୍କ ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ରକ୍ତ ପରୀକ୍ଷା ପାଇଁ କଟକ ବଡ଼ ମେଡିକାଲ୍‌ ଦାବି କରିଥିଲା ୮୫୦ ଟଙ୍କା। ଏ ସଂପର୍କିତ ଖବର ପ୍ରକାଶ ପରେ ଆଜି ମେଡିକାଲ୍‌ କର୍ତ୍ତୃପକ୍ଷ ସମସ୍ତ ବିଭାଗକୁ ଗଙ୍ଗା ଓ ଯମୁନାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସର୍କୁଲାର୍‌ ଜାରି କରିଛନ୍ତି। ସେମାନେ ଶିଶୁଭବନରେ ଯେପର୍ଯ୍ୟନ୍ତ ଚିକିତ୍ସିତ ହେଉଥିବେ, ବଡ଼ ମେଡିକାଲ୍‌ରେ ହେଉଥିବା ସେମାନଙ୍କ ସମସ୍ତ ପରୀକ୍ଷା ମାଗଣାରେ କରାଯିବ ବୋଲି ନିର୍ଦ୍ଦେଶ ଦିଆଯିବା ସହ ଏଭଳି ତ୍ରୁଟିର ପୁନରାବୃତ୍ତି ନକରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ୟୁଜର୍ସ କାଉଣ୍ଟରରେ ଗଙ୍ଗା ଓ ଯମୁନାଙ୍କ ବାପା କିଶୋର ଦତ୍ତଙ୍କ ନିକଟରୁ ରକ୍ତ ପରୀକ୍ଷା ବାବଦ ଟଙ୍କା ଆଦାୟ କରାଯାଇଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ବଡ଼ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍‌ଗୋ ଆଜି ସର୍କୁଲାର ଜାରି କରି ଗଙ୍ଗା-ଯମୁନାଙ୍କ ସମସ୍ତ ପରୀକ୍ଷା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିଛନ୍ତି ଯେ ମେଡିକାଲ୍‌ରେ ପରୀକ୍ଷା ପାଇଁ ଟଙ୍କା ନେବା ପ୍ରସଂଗରେ ଆମ ଆଡ଼ୁ କୌଣସି ସମସ୍ୟା ନାହିଁ। ଭୁଲ ବୁଝାମଣା ପାଇଁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଘଟଣାର ପୁନରାବୃତ୍ତି ନହେବା ପାଇଁ ଧ୍ୟାନ ଦିଆଯିବ ବୋଲି ଡାକ୍ତର ଶତପଥୀ କହିଛନ୍ତି ।

ଅନ୍ୟପଟେ ଗଙ୍ଗା-ଯମୁନାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ କୌଣସି ଉନ୍ନତି ଅଥବା ଅବନତି ହୋଇ ନଥିବା ଜଣା ପଡ଼ିଛି। କିନ୍ତୁ ଗଙ୍ଗା ଆଜି ଡବା କ୍ଷୀର ପିଇଥିଲା । ଯମୁନା ମଧ୍ୟ ପୂର୍ବ ପରି କ୍ଷୀର ପିଇଥିଲା । କିନ୍ତୁ ତାଙ୍କ ପାକସ୍ଥଳୀରେ ସେଭଳି କୌଣସି ହଜମକ୍ରିୟା ଜନିତ ତ୍ରୁଟି ଥିବା ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଟିମ୍‌ ଚିହ୍ନଟ କରିପାରୁ ନାହାନ୍ତି। ଖାଦ୍ୟ ଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହେଲେ ସମସ୍ୟା ସମ୍ପର୍କରେ ଜଣାପଡ଼ିବ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି। ଆଜି ଦିନ ପ୍ରାୟ ୧୨ଟା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠି ଏମ୍‌ଆର୍‌ଆଇ ସ୍କାନ୍‌ କରାଯାଇଥିଲା। ଗତ ୪ ତାରିଖରେ ମେଡିକାଲ୍‌ରେ ସେମାନଙ୍କ ସିଟି ସ୍କାନ୍‌ ଏବଂ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ଗୋଟିଏ ହୃତପିଣ୍ଡ (ହାର୍ଟ) ଏବଂ ଯକୃତ(ଲିଭର୍‌) ଥିବା ବେଳେ ହୃତ୍‌ପିଣ୍ଡରେ ଗୁରୁତର ତ୍ରୁଟି ଥିବା ଜଣାପଡ଼ିଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାର ତ୍ରୁଟି ଥିବା ସେ ନେଇ ସ୍ପଷ୍ଟ କରିବା ପାଇଁ ଆଜି ଏମ୍‌ଆର୍‌ଆଇ ସ୍କାନ୍‌ କରାଯାଇଛି। ଆସନ୍ତାକାଲି ରିପୋର୍ଟ ଆସିବାର ସମ୍ଭାବନା ରହିଛି। ରିପୋର୍ଟ ଆଧାରରେ କାର୍ଡିଓଲୋଜି ବିଭାଗ ଡାକ୍ତର ଦିଲ୍ଲୀ ଏମ୍‌ସର ଅଭିଜ୍ଞ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବେ। ଆବଶ୍ୟକୀୟ ପରାମର୍ଶ ଆଧାରରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁଭବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଜି ନୟାଗଡ଼ ଜିଲ୍ଲା ଗୋଡ଼ିପୁଲି ପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ପାତ୍ର ଶିଶୁଭବନରେ ପହଞ୍ଚି ଗଙ୍ଗା ଓ ଯମୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେ ଗଙ୍ଗା-ଯମୁନାଙ୍କୁ ଦୁଇ ହଜାର ଟଙ୍କା ସହାୟତା ରାଶି ଦେଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର