କଟକ : ଦୀର୍ଘ ୧୨ମାସର ସଂଘର୍ଷ ପରେ ଶେଷରେ ଏସ୍ସିବିରେ ବୁଧବାର ରାତି ୯ଟା ୧୦ରେ ଆଖିବୁଜିଲା ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ବଳିଆ। ଜଗାକୁ ଏକୁଟିଆ ଛାଡ଼ି ଆରପାରିକି ଚାଲିଗଲା। ଦୁଇଦିନ ହେଲା ବଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାର ହାତ, ଗୋଡ଼ ସବୁ ଫୁଲି ଯାଇଥିଲା। ନିଶ୍ବାସ, ପ୍ରଶ୍ବାସ ଠିକ୍ରେ ଯାଉନଥିବା ବେଳେ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଫଳରେ ତା’ର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଲାଗିଥିଲେ ସୁଦ୍ଧା ତାକୁ ବଂଚାଇ ପାରି ନଥିଲେ। ସେପ୍ଟିସିମିଆ ଓ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ବଳିଆର ମୃତ୍ୟୁ ଘଟିଥିବା ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି। ବଳିଆର ମୃତଦେହ ତାଙ୍କ ଗାଁକୁ ନିଆଯିବ ବୋଲି ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଦିଲ୍ଲୀ ଏମ୍ସରୁ ଆଣି ଏସସିବିରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ ବଳିଆ ଆସିବା ଦିନଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନଠାରୁ ବଳିଆକୁ ନାଜାଲ ଫିଡିଙ୍ଗ୍ ଦିଆଯାଉଥିଲା। ତା ସ୍ବାସ୍ଥ୍ୟାବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁ ନଥିଲା। ଫଳରେ ବିଭିନ୍ନ ସମୟରେ ବଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତେବେ ଦୁଇଦିନ ହେଲା ବଳିଆର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ବଳିଆର ମୃତ୍ୟୁ ପରେ ମେଡିକାଲ ପରିସରରେ ବି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଏସ୍ସିବି ଆଇ ବଳିଆର ବାପାମା’ଙ୍କୁ ଭେଟି ସମବେଦନା ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା। ଦୀର୍ଘ ଦୁଇବର୍ଷ ଦିଲ୍ଲୀ ଏମ୍ସରେ ରହିବା ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡ଼ିଶା ଫେରିଥିଲେ। ହେଲେ ଘରକୁ ନ ପଠାଇ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସରକାର। ଜଗା-ବଳିଆଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀକୁ ୨୦୧୭ ଜୁଲାଇ ୧୪ରେ ସ୍ଥାନାନ୍ତରିତ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଜଗା-ବଳିଆଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ପ୍ରଥମ ଅସ୍ତ୍ରୋପଚାର ୨୦୧୭ ଅଗଷ୍ଟ ୨୮ରେ କରାଯାଇଥିଲା। ଦୀର୍ଘ ୨୫ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା। ସେହିପରି ସେହିବର୍ଷ ଜଗା-ବଳିଆଙ୍କୁ ଅଲଗା କରିବା ପାଇଁ ଅକ୍ଟୋବର ୨୫ତାରିଖ ଦିନ ୨୦ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା। ଦିଲ୍ଲୀ ଏମ୍ସରୁ ୨୦୧୯ ସେପ୍ଟେମ୍ବର ୬ରେ ଟ୍ରେନ୍ରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଜଗା-ବଳିଆଙ୍କୁ ଏସ୍ସିବିକୁ ଅଣାଯାଇଥିଲା।
ରାଜ୍ୟ ସରକାର ବହନ କରିଥିଲେ ଚିକିତ୍ସା ଖର୍ଚ୍ଚ
ଜଗା-ବଳିଆଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କୋଟିଏ ଟଙ୍କାର ସହାୟତା ଘୋଷଣା କରିଥିଲେ। କିନ୍ତୁ ଏମ୍ସରେ ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ସେଥିରୁ ୨୧ଲକ୍ଷ ୮୩ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଏସ୍ସିବିକୁ ଜଗା-ବଳିଆ ଆସିଥିବା ସମୟରେ ତାଙ୍କ ସହିତ ଆସିଥିବା ଚିକିତ୍ସା କରୁଥିବା ଡାକ୍ତର ଏସ୍ସର ପ୍ରଫେସର ଡାକ୍ତର ଦୀପକ ଗୁପ୍ତା ସୂଚନା ଦେଇଥିଲେ।
୧୪ଜଣିଆ ବିଶେଷଜ୍ଞ କମିଟି
ଏସ୍ସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ନ୍ୟୁରୋସର୍ଜରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରି ବିଭାଗ, ଶିଶୁ ରୋଗ ବିଭାଗ, ଶିଶୁଭବନର ଅଧୀକ୍ଷକ, ପେଡିଏଟିକ୍ ସର୍ଜରି ବିଭାଗ ମୁଖ୍ୟ ଡାକ୍ତର, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରି ବିଭାଗ, ଜରୁରିକାଳୀନ ବିଭାଗ ସହ ଗ୍ୟାଷ୍ଟ୍ରୋ, ପ୍ଲାଷ୍ଟିକ୍ ସର୍ଜରି, ପେଡିଏଟିକ୍ ସର୍ଜରି ଭଳି ବିଭାଗର ବିଶେଷଜ୍ଞକୁ ନେଇ ୧୪ଜଣିଆ ଟିମ୍ ଗଠନ କରାଯାଇଥିଲା।