ଗଙ୍ଗା ଓ ଯମୁନାଙ୍କର ଗୋଟିଏ ହୃତପିଣ୍ଡ

ଯକୃତ ବି ଗୋଟିଏ, ଏବେ ହୋଇପାରିବନି ଅସ୍ତ୍ରୋପଚାର

କଟକ : ଶିଶୁ ଭବନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ନୟାଗଡ଼ର ଯମଜ ଶିଶୁ କନ୍ୟା ଗଙ୍ଗା ଓ ଯମୁନାଙ୍କର ଗୋଟିଏ ହୃତପିଣ୍ଡ (ହାର୍ଟ) ଏବଂ ଗୋଟିଏ ଯକୃତ (ଲିଭର) ରହିଛି। ସେହି ହୃତପିଣ୍ଡରେ ବି ଗୁରୁତର ତ୍ରୁଟି ରହିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ସେମାନଙ୍କୁ ଅପରେସନ୍‌ ମାଧ୍ୟମରେ ଅଲଗା କରିବା ସମ୍ଭବ ନୁହେଁ। କଟକ ବଡ଼ ମେଡିକାଲରେ ହୋଇଥିବା ସିଟି ସ୍କାନ୍‌ ଏବଂ ଇକୋ କାର୍ଡିଓଗ୍ରାଫି ରିପୋର୍ଟରୁ ଏଭଳି ତଥ୍ୟ ମିଳିବା ପରେ ଡାକ୍ତରଙ୍କ ଚିନ୍ତା ବଢ଼ିଯାଇଛି। ଯୋଜନା ଅନୁଯାୟୀ ଯଦି ଉଭୟଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଭବନରେ ଡାକ୍ତରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ରଖାଯିବ, ତା’ ପରେ ଯାଇ ଅପରେସନ୍‌ କଥା ଚିନ୍ତା କରାଯିବ। ଏ ସଂକ୍ରାନ୍ତରେ ଏକ ପ୍ରାଥମିକ ରିପୋର୍ଟ ଡିଏମ୍‌ଇଟି ନିର୍ଦ୍ଦେଶକ ପ୍ରଫେସର ସୋନାମଳିି ବାଗ୍‌ଙ୍କ ନିକଟରେ ଶିଶୁଭବନ କର୍ତ୍ତୃପକ୍ଷ ଦାଖଲ କରିଥିବା ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ସରୋଜ ଶତପଥୀ କହିଛନ୍ତି। ଅନ୍ୟପଟେ ଡାକ୍ତରୀ ଟିମ୍‌ ମୁଖ୍ୟ ଡାକ୍ତର ପି.କେ. ଜେନା କହିଛନ୍ତି ଯେ ଗୋଟିଏ ହୃତ୍‌ପିଣ୍ଡକୁ ଅପରେସନ୍‌ ମାଧ୍ୟମରେ ଅଲଗା କରି ଦୁଇଟି ଜୀବନ ବଞ୍ଚାଇବା ସମ୍ଭବପର ନୁହେଁ। କୁତ୍ରିମ ହୃତପିଣ୍ଡରେ ମଧ୍ୟ ସର୍ବାଧିକ ୨୦ ଦିନ ଜୀବନ ବଞ୍ଚାଇବା ସମ୍ଭବପର ବୋଲି ଡାକ୍ତର ଜେନା କହିଛନ୍ତି।

ଗଙ୍ଗା ଓ ଯମୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ଶନିବାର ପରୀକ୍ଷା ହୋଇଥିବା ବିଭିନ୍ନ ରିପୋର୍ଟ ସଂକ୍ରାନ୍ତରେ ଆଜି ବଡ଼ ମେଡିକାଲ୍‌ରେ ଦିନ ପ୍ରାୟ ୧୨ଟା ବେଳେ ଶିଶୁଭବନ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ ଡାକ୍ତରୀ ଟିମ୍‌ର ମୁଖ୍ୟ ତଥା ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି.କେ. ଜେନାଙ୍କ ସମେତ ୧୨ଟି ବିଭାଗର ଅଭିଜ୍ଞ ଡାକ୍ତର ସାମିଲ ହୋଇଥିଲେ। ଆଜି ଗଙ୍ଗା ଓ ଯମୁନାଙ୍କ ସିଟି ସ୍କାନ୍‌ ରିପୋର୍ଟ, ଇକୋ କାର୍ଡିଓଗ୍ରାଫି ରିପୋର୍ଟ ସଂକ୍ରାନ୍ତରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରୁ ମତ ଲୋଡ଼ା ଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଉଭୟଙ୍କର କୌଣସି ପରିସ୍ଥିତିରେ ଅପରେସନ୍‌ କରାଯାଇପାର ନାହିଁ ବୋଲି ଡାକ୍ତରୀ ଟିମ୍‌ ସ୍ପଷ୍ଟ ଭାବେ ମତ ରଖିଥିଲେ।

ପ୍ରଫେସର ଡାକ୍ତର ସରୋଜ ଶତପଥୀ କହିବା ଅନୁଯାୟୀ ଇକୋ କାର୍ଡିଓଗ୍ରାଫିରୁ ହୃତପିଣ୍ଡରେ ଗୁରୁତର ତ୍ରୁଟି ବାହାରି ଥିବା ରେଡ଼ିଓଲୋଜିଷ୍ଟ ମତ ରଖିଛନ୍ତି। ଆସନ୍ତା ଦୁଇ ଦିନ ପରେ ଉଭୟଙ୍କ ଏମ୍‌ଆର୍‌ଆଇ ସ୍କାନ୍‌ କରାଯିବ। ଏଥିରୁ ହୃତପିଣ୍ଡରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରକାର ତ୍ରୁଟି ରହିଛି, ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିପାରିବ। ଗଙ୍ଗା ଓ ଯମୁନା କେମିତି ଚିକିତ୍ସାକୁ ଗ୍ରହଣ କରୁଛନ୍ତି, ତାହାକୁ ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରିବେ। ଗୋଟିଏ ହୃତପିଣ୍ଡ ଦୁଇ ଜଣଙ୍କ ଶରୀରରେ ଥିବାରୁ କୌଣସି ପରିସ୍ଥିତି ହୃତପିଣ୍ଡ ଦୁଇ ଭାଗ କରାଯାଇ ପାରିବ ନାହିଁ। ଏବେ ଡ଼ାକ୍ତରୀ ଟିମ୍‌ ସମ୍ପୂର୍ଣ୍ଣ ଭାବେ ଉପାୟଶୂନ୍ୟ ହୋଇପଡ଼ିଛି। ଏବେ ଅପରେସନ୍‌ କଲେ ଜୀବନ ପ୍ରତି ବହୁତ ରିସ୍କ ରହିଛି। ପିଲା ଆଗେ ବଞ୍ଚନ୍ତୁ ବୋଲି ଡାକ୍ତର ଶତପଥୀ କହିଛନ୍ତି।

ଡାକ୍ତରୀ ଟିମ୍‌ ମୁଖ୍ୟ ଡାକ୍ତର ପି.କେ ଜେନା କହିବା ଅନୁଯାୟୀ ଏ କ୍ଷେତ୍ରରେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ଅପରେସନ୍‌ କରାଯାଇ ପାରିବ ନାହିଁ। ଏବେ ଦୁଇ ଶିଶୁ ଶିଶୁଭବନରେ ରହିବ। ଅକ୍ସିଜେନ ସବୁ ବେଳେ ଆବଶ୍ୟକ ପଡ଼ୁଛି। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲେ ମା’ କ୍ଷୀର କିମ୍ବା ଡବା କ୍ଷୀର ଦିଆଯିବ। ଉଭୟଙ୍କର କେଉଁ ଅଙ୍ଗ କେତେ ମାତ୍ରାରେ ସେୟାର ହୋଇଛି ସେ ସବୁର ପରୀକ୍ଷା ହେବ। ଡାକ୍ତରୀ ଗବେଷଣା କହୁଛି ଯେ ଏଭଳି ଜନ୍ମଗତ ସମସ୍ୟା ଦେଖାଦେଲେ ସଧାରଣତଃ ଦୁଇ ଦିନରୁ ଅଧିକ ଦିନ ୮୦ ପ୍ରତିଶତ ଶିଶୁ ବଞ୍ଚନ୍ତି ନାହିଁ। ୨୦ ପ୍ରତିଶତ ୬ ମାସ ପର୍ଯ୍ୟନ୍ତ ବଞ୍ଚନ୍ତି। ତା’ ପରେ ଯେଉଁମାନେ ବଞ୍ଚନ୍ତି, ସେମାନଙ୍କ ଅପରେସନ୍‌ କଥା ଚିନ୍ତା କରାଯାଏ। ପାଖାପାଖି ପାଞ୍ଚ ବର୍ଷ ନହେଲେ ଅପରେସନ୍‌ କରାଯାଏନି ବୋଲି ଡାକ୍ତର ଜେନା କହିଛନ୍ତି।

ଅନ୍ୟପଟେ ‘ଏ’ ନାମକରଣ ହୋଇଥିବା ଗଙ୍ଗା କାଲି ରାତି ପର୍ଯ୍ୟନ୍ତ ନିଶ୍ଚଳ ଥିବା ବେଳେ ଆଜି ଝାଡ଼ା ପରିସ୍ରା କରିଥିଲା। ସେମାନଙ୍କ ଓଜନ ମାତ୍ର ଚାରି କେଜି ୩୦୦ ଗ୍ରାମ ରହିଛି। ଏବେ ତାଙ୍କର ଓଜନ ବଢ଼ିବା ସହିତ ଖାଦ୍ୟ ଗ୍ରହଣ କ୍ଷେତ୍ରରେ ଡାକ୍ତରୀ ଟିମ୍‌ ଗୁରୁତ୍ୱ ଦେଉଥିବା ସୂଚନା ମିଳିିଛି।

ସମ୍ବନ୍ଧିତ ଖବର