ପ୍ରକୃତି ସହ ନିଜକୁ ଯୋଡ଼ିଲେ ବିକୃତି ଆସିବ ନାହିଁ: ରାମଦେବ

ଓଡ଼ିଶା ନିର୍ମାଣ କନକ୍ଲେଭ

କନ୍ଧମାଳ ହଳଦୀ, କୋରାପୁଟ କଫିର ବ୍ରାଣ୍ଡ ଆମ୍ବାସଡର୍‌ ପାଇଁ ମୁଁ ପ୍ରସ୍ତୁତ

ଓଡ଼ିଶା ନିର୍ମାଣରେ ପ୍ରତ୍ୟେକଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ଆତ୍ମନିର୍ଭରଶୀଳ ହେଲେ ଓଡ଼ିଶା ଆଗକୁ ବଢ଼ିବ। ଆତ୍ମନିର୍ଭରଶୀଳ ହେବା ପାଇଁ ସୁସ୍ଥ ରହିବା‌ ଜରୁରି। ସୁସ୍ଥ ରହିବାକୁ ହେଲେ ଯୋଗ କରିବାକୁ ପଡ଼ିବ ବୋଲି କହିଛନ୍ତି ଯୋଗ ଓ ଆୟୁର୍ବେଦକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବାବା ରାମଦେବ।

ଭିଡିଓ କନ୍‌ଫରେନ୍ସରେ ହରିଦ୍ବାରରୁ ଯୋଡ଼ି ହୋଇ ସେ କହିଥିଲେ, ପ୍ରଚାରପ୍ରସାର ଜରିଆରେ ‌ଲୋକପ୍ରିୟତା ବଢ଼ିବ। କନ୍ଧମାଳର ହଳଦୀ ଓ କୋରାପୁଟ୍‌ କଫିର ପ୍ରଚାରପ୍ରସାର ପାଇଁ ସରକାର ଚାହିଲେ, ମୁଁ ବ୍ରାଣ୍ଡ ଆମ୍ବାସଡର୍‌ ହେବାରେ କୌଣସି ସମସ୍ୟା ନାହିଁ। ରାଜ୍ୟ ଓ ଦେଶର ସ୍ୱାର୍ଥକୁ ମୁଁ ପ୍ରାଥମିକତା ଦିଏ ବୋଲି ସେ କହିଥିଲେ।

କନକ ନ୍ୟୁଜ୍‌ର ଆସୋସିଏଟ୍‌ ପ୍ରଡ୍ୟୁସର୍‌ ସ୍ବସ୍ତିକା ପଣ୍ଡାଙ୍କ କରୋନା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଥିଲେ, ମୋତେ କରୋନା ତ ଦୂରର କଥା, ଥଣ୍ଡା ଜ୍ୱର ମଧ୍ୟ ହୋଇନାହିଁ। ଯୋଗ ହିଁ ମୋତେ ନିରୋଗ ରଖିଛି। ମୁଁ ଯେଉଁ ସ୍କୁଲ କରିଛି, ସେଥିରେ ୫ ହଜାର ପିଲା ଅଛନ୍ତି। ସେମାନଙ୍କୁ ବି କରୋନା ଛୁଇଁ ନାହିଁ।

ସେମାନଙ୍କର ଛୁଟି ମଧ୍ୟ ନାହିଁ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ନିରନ୍ତର ଚାଲିବାକୁ ପଡ଼ିବ, ବସିଗଲେ ହାରିଯିବ, ପରାକ୍ରମୀ ହେବାକୁ ପଡ଼ିବ। ମୋ ଦେହରେ ଆଗରୁ ଗରମ କପଡ଼ା ନଥିଲା। ଏବେ ଗରମ କପଡ଼ାର ଆବଶ୍ୟକତା ନାହିଁ। ପୂର୍ବରୁ ଟଙ୍କା ନଥିଲା, ହେଲେ ଆଜି ଆବଶ୍ୟକତା ନାହିଁ। କରୋନା ଦେଖେଇଦେଲା କୋଟି କୋଟି ଟଙ୍କା ଥିଲେ ବି କିଛି କାମରେ ଆସିବନି। ସ୍ବାସ୍ଥ୍ୟ ହିଁ ସମ୍ପଦ। କରୋନା ସମୟରେ ଏମ୍ସର ନିର୍ଦ୍ଦେଶକ କହିଥିଲେ ଯେ ୯୦ ପ୍ରତିଶତ କରୋନା ରୋଗୀଙ୍କୁ ହସ୍ପିଟାଲ ଯିବାର ଆବଶ୍ୟକତା ନାହିଁ। ମୁଁ ମଧ୍ୟ ସମାନ କଥା କହିଥିଲି। ଯୋଗ ବଳରେ ଅଧିକାଂଶ କରୋନା ରୋଗୀ ନିଜକୁ ସୁସ୍ଥ ରଖିପାରିବେ। ପ୍ରକୃତି ସହ ନିଜକୁ ଯୋଡ଼ିଲେ ଜୀବନରେ ବିକୃତି ଆସିବନି। ଏହା ପ୍ରମାଣ ହୋଇସାରିଛି। ଲୋକ ନିଜ ନିଜ ବୃତ୍ତିରେ ୧୮ଘଣ୍ଟା ପର୍ଯ୍ୟନ୍ତ ଖଟିବା ମୁଁ ଦେଖିଛି। ହେଲେ ନିଜ ଶରୀର ପାଇଁ ୧୮ ମିନିଟ୍‌ ଦିଅନ୍ତିନି। ବେଳେ ବେଳେ ମୁଁ ଭାବେ ଏତେ ବଡ଼ ବଡ଼ ପେଟ ରଖି ଲୋକମାନେ ବଞ୍ଚିଛନ୍ତି କେମିତି? ଏହାସହ ସେ ଦର୍ଶକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶିଶୁଙ୍କୁ କିଭଳି କରୋନାରୁ ମୁକ୍ତ ରଖି ହେବ, ସେନେଇ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍‌ସ ମଧ୍ୟ ଦେଇଥିଲେ। ଦର୍ଶକମାନଙ୍କ ପାଇଁ ଯୋଗାଭ୍ୟାସ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର