ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୨ ତମ ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ବିଶ୍ଵବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଦାର୍ଶନିକ ଚିନ୍ତାଧାରା ଉପରେ ନିଜର ମତବ୍ୟକ୍ତ କରିଥିଲେ। ସ୍ବାମୀ ବିବେକାନନ୍ଦ ଶିକ୍ଷାର ଏକ ମୋଡେଲ ଚାହୁଁଥିଲେ ଯେଉଁ ଶିକ୍ଷାର ମୋଡେଲ ଆଧ୍ୟାତ୍ମିକତାକୁ ଏକ ନୁତନ ଦିଗନ୍ତ ଦେଇଥାନ୍ତା ବୋଲି ରାଜ୍ୟପାଳ କହିଥିଲୋ ସ୍ବାମୀଜୀଙ୍କ ମତରେ ଆଧ୍ୟାତ୍ମିକତା ଏବଂ ବୌଦ୍ଧିକ ବିକାଶ ହେଲେ ଚରିତ୍ର ଗଠନ, ମନର ଶକ୍ତି ବୃଦ୍ଧି ଓ ତୀକ୍ଷ୍ଣ ବୁଦ୍ଧି ବଳରେ ଜଣେ ନିଜର ଦକ୍ଷତା ପ୍ରତିପାଦିତ କରିବାରେ ସକ୍ଷମ ହୋଇ ପାରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟଶ୍ୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସେମାନେ ଚତୁର୍ଥ ଶିଳ୍ପ ବିପ୍ଳବର ଏକ ରୋମାଞ୍ଚକର ଯୁଗରେ ସ୍ନାତକ ହାସଲ କରିଛନ୍ତି ବୋଲି କହିବା ସହିତ ଶିଳ୍ପ ବିପ୍ଳବର ଇତିହାସରୁ ବ୍ରିଟେନ ପ୍ରଥମ ଉଦ୍ୟୋଗିକ ବିପ୍ଳବ କେନ୍ଦ୍ର ହୋଇଥିବା ବେଳେ ୟୁରୋପ ଏବଂ ଆମେରିକା ଦ୍ଵିତୀୟ ଏବଂ ତୃତୀୟ ଶିଳ୍ପ ବିପ୍ଳବ କେନ୍ଦ୍ର ହୋଇଥିବା ପ୍ରକାଶ କରିଥିଲେ। ବର୍ତ୍ତମାନ ଭାରତ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପେଣ୍ଠସ୍ଥଳୀ ଭାବରେ ଉଭା ହୋଇଥିବାରୁ ଭାରତରେ ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଉଛି। ତେଣୁକରି ବସୁଧୈବ କୁଟୁମ୍ବଙ୍କମ୍ର ଭାରତୀୟ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେ ପ୍ରେରଣା ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଆଇଓସିଏଲ ନିର୍ଦ୍ଦେଶକ ଏଚ୍ ଆର୍ ରଞ୍ଜନ କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଦୁନିଆଁ ଦୃତ ବେଗରେ ଗତି କରୁଛି ଏବଂ ଗତିଶୀଳ ପରିବେଶରେ ଆଗକୁ ବଢ଼ିବାକୁ ହେଲେ ନୂତନ ଜ୍ଞାନ କୌଶଳର ଦୃଢ଼ ମୂଳଦୁଆ ଗଢ଼ିବାକୁ ହେବ ବୋଲି କହିଥିଲେ ।
କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ନିଜ ବକ୍ତବ୍ୟରେ ଶିକ୍ଷା ରାଷ୍ଟ୍ର ବିକାଶର ଚାବିକାଠି ହୋଇଥିବାରୁ ନବେଦଶକର ଶେଷ ଭାଗରେ ଜଗତୀକରଣ ପରେ ଉଚ୍ଚଶିକ୍ଷା ପରିବର୍ତ୍ତନର ଏକ ନୂତନ ରୂପ ନେଇଛି। ଜ୍ଞାନ ଉପସ୍ଥାପନ, ଜ୍ଞାନ ବିତରଣ ଏବଂ ଉପଲବ୍ଧତା ସମଗ୍ର ପ୍ରକ୍ରିୟା ମୁଖ୍ୟତଃ ପ୍ରଯୁକ୍ତି ବିଦ୍ୟା ଆଧାରିତ ହେବାକୁ ରୂପାନ୍ତରିତ ହୋଇଛି। ଗୋଟିଏ ପାଦରୁ ହଜାର ମାଇଲ ଯାତ୍ରା ଆରମ୍ଭ ହୋଇଥାଏ । ଏହି ସ୍ବପ୍ନ ଆରମ୍ଭ ହୋଇସାରିଛି। ଆହୁରି ଅନେକ ମାଇଲ ଖୁଣ୍ଟ ବାକି ଅଛି ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏହାର ପ୍ରକ୍ରିୟାକୁ ଆହୁରି ମଜବୁତ୍ କରିବା ପାଇଁ ଓଡ଼ିଶା ତଥା ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ଭାବରେ ଉଭା ହେବାକୁ ଆଗେଇ ଆସୁଛି ବୋଲି ସେ କହିଥିଲେ।
ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ୫୩ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ , ୭ ଜଣ ଗବେଷକଙ୍କୁ ଡିଲିଟ୍ , ୪ ଜଣଙ୍କୁ ଡିଏସ୍ ସି ଡିଗ୍ରୀ ଏବଂ ୧୧୮ ଜଣଙ୍କୁ ପିଏଚ୍ଡି ଡ଼ିଗ୍ରୀ ପ୍ରଦାନ କରିବା ସହିତ ୩ ଜଣ ଛାତ୍ରଛାତ୍ରୀ ଙ୍କୁ ଓସନି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସଂଜୟ କୁମାର ମିଶ୍ର ଏବଂ ପ୍ରଫେସର ବେଦାଙ୍ଗ ଦାଶ ମହାନ୍ତିଙ୍କୁ ଯଥାକ୍ରମେ ସମ୍ମାନ ଜନକ ଡିଲିଟ୍ ଓ ଡିଏସ୍ସି ଉପାଧି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଳସଚିବ ଡ. ନୃପରାଜ ସାହୁ , ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ ଙ୍କ ସହିତ ସମସ୍ତ ସିଣ୍ଡିକେଟ ସଦସ୍ୟ, ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।