ଭୁବନେଶ୍ବର: ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ମାମଲାରେ ଯେଭଳି ହତ୍ୟାକାରୀ ଖସିନପାରେ ଏଥିପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇଛି। କେନ୍ଦୁଝର ଘଟଗାଁରୁ ଜବତ ହୋଇଥିବା ମୃତଦେହର ଡିଏନ୍ଏ ପରୀକ୍ଷା କରାଯିବ। ଯେହେତୁ ହତ୍ୟାର ୧୨ ଦନି ପରେ ମାଟିତଳୁ ଗଳିତ ଅବସ୍ଥାରେ ମୃତଦେହକୁ ଜବତ କରାଯାଇଥିଲା, ତେଣୁ ଶୁଭମିତ୍ରାଙ୍କୁ ଚିହ୍ନିବା କାଠିକର ପାଠ ଥିଲା। ଏଥିପାଇଁ ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରି ଏସ୍ଏଫଏସ୍ଏଲ୍କୁ ପଠାଇଛି। ଖାଲି ସେତିକି ନୁହେଁ ସ୍ବାମୀ ଦୀପକ ରାଉତ ଯେଉଁ ସ୍ଥାନରେ ଶୁଭମିତ୍ରାଙ୍କୁ ହତ୍ୟାକଲା, ମୃତଦେହକୁ କାର୍ରେ ନେଇ ଯେଉଁ ଯେଉଁ ରାସ୍ତା ଦେଇ ଘଟଗାଁ ଯାଇଥିଲା, ସେହି ସବୁ ରାସ୍ତାର ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସ ସଂଗ୍ରହ କରୁଛି। ଏପର୍ଯ୍ୟନ୍ତ ପୁଲିସ ୫୦ ପ୍ରତିଶତ ରାସ୍ତାର ସିସିଟିଭି ଫୁଟେଜ୍ ସଂଗ୍ରହ କରିସାରିଥିବା ବେଳେ ବାକି ରାସ୍ତାର ସିସିଟିଭି ଯାଞ୍ଚ କରାଯାଉଛି।
ସେହିପରି ଦୀପକର ଅସଲ ମୁଖା ଖୋଲିବା ପରେ ତା’ର ଆର୍ଥିକ କାରବାରର ଦିଗକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶନୀ ରାଉତଙ୍କ ମୃତ୍ୟୁ ପରେ ତାକୁ ବୀମା ବାବଦକୁ ୧.୨ କୋଟି ଟଙ୍କା ମିଳିଥିଲା। ଟଙ୍କା ମିଳିବାର କିଛି ମାସ ପରେ ଦୀପକ ଖୋର୍ଦ୍ଧା ଜିଲ୍ଲା ତିରିମଲ ଅଞ୍ଚଳରେ ଏକ ଏକର ଜମି କିଣିଥିଲା। ପରବର୍ତ୍ତୀ ସମୟରେ କିଛି ମାସ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଘର କିଣିବା ପାଇଁ ଏକ ବିଲ୍ଡର ସଂସ୍ଥାକୁ ଅଗ୍ରୀମ ୫ଲକ୍ଷ ଟଙ୍କା ଦେଇଥିବା ତଦନ୍ତ ବେଳେ ଜଣାପଡ଼ିଛି।
ରହସ୍ୟମୟ ହେଉଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ
ଦୀପକଙ୍କ ଏଭଳି ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବା ପରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ୬ ମାସର ଗର୍ଭବତୀ ଥିବା ପତ୍ନୀଙ୍କୁ ସେ ହତ୍ୟା କରି ଟଙ୍କା ହାତେଇଥିବା କୁହାଯାଉଛି। ଖାଲି ସେତିକି ନୁହେଁ, ଅପର୍ଣ୍ଣା ବଞ୍ଚିଥିବା ସମୟରେ ଦୀପକ ଶୁଭମିତ୍ରାଙ୍କ ସହ ସମ୍ପର୍କରେ ଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି। କାରଣ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ସମୟରେ ଶୁଭମିତ୍ରା ହସ୍ପିଟାଲ୍ରେ ଉପସ୍ଥିତ ଥିଲେ। ଯାହାକି ତାଙ୍କ ସନ୍ଦେହକୁ ଦୁଇ ଗୁଣିତ କରିଛି। ଆଜି ପୁଣି ଅପର୍ଣ୍ଣାଙ୍କ ଦୁଇଭଉଣୀ ରୋଜାଲିନ୍ ଓ ରୁପାଲୀ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। କାରଣ ଗତ ୨୦୧୯ ମସିହାରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭକୁ ଦୀପକ ଚଞ୍ଚକତା କରି ନଷ୍ଟ କରିଥିଲା। ୨୦୨୧ ମସିହାରେ ଅପର୍ଣ୍ଣା ଗର୍ଭବତୀ ହେବା ପରେ ଦୀପକ ପାଇଁ ଚିନ୍ତା ବଢ଼ିଥିଲା।
ପୁଣି ମୁହଁ ଖୋଲିଲେ ଦୁଇ ଭଉଣୀ
ଅପର୍ଣ୍ଣାଙ୍କ ଶରୀରରେ କୌଣସି କ୍ଷତ ନଥିଲା
୨୦୨୨ ମସିହା ମାର୍ଚ୍ଚ ମାସରେ ଅପର୍ଣ୍ଣା ୬ମାସର ଗର୍ଭବତୀ ଥିବା ସମୟରେ ତାଙ୍କ ଚେକ୍ଅପ୍ ପାଇଁ ୧୭ ତାରିଖରେ ଉଭୟ ଦୀପକ ଓ ଅପର୍ଣ୍ଣା କାର୍ରେ କଟକ ଯାଉଥିଲେ। ହେଲେ କଟକ ପହଞ୍ଚିବା ପୂର୍ବରୁ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ଯୋଗୁଁ ଅପର୍ଣ୍ଣା ଗୁରୁତର ଥିବା ଓ ତାଙ୍କୁ କଟକ ବଡ଼ଡାକ୍ତରଖାନା ନେଉଛି କହି ସେମାନଙ୍କୁ ସେଠାକୁ ଆସିବାକୁ ଦୀପକ ଫୋନ୍ କରି ଶ୍ବଶୁରଘର ଲୋକଙ୍କୁ କହିଥିଲା। ସେମାନେ ସେଠାରେ ପହଞ୍ଚିବା ବେଳକୁ ସେ ଅପର୍ଣ୍ଣାଙ୍କୁ ରାଜଧାନୀର ଏକ ହସ୍ପିଟାଲ୍କୁ ନେଇଆସିଥିବା କହିଥିଲା। ଆଉ ସେମାନେ ସେଠାରେ ପହଞ୍ଚିବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ଘଟିସାରିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଅପର୍ଣ୍ଣାଙ୍କ ଦୁର୍ଘଟଣା ଘଟିଥିବା ବେଳେ ତାଙ୍କ ଶରୀରରେ ସେଭଳି କିଛି କ୍ଷତ ଚିହ୍ନ ନଥିଲା। ଯଦି ଦୁର୍ଘଟଣା ଘଟିଥିଲା ନା ମୁହଁ ନା ମୁଣ୍ଡ କୌଣସି ସ୍ଥାନରେ କିଛି ବି କ୍ଷତ ନଥିଲା। ଯେତେବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା, ସେ ସମୟରେ ସେଠାରେ ଶୁଭମିତ୍ରା ମଧ୍ୟ ଉପସ୍ଥିତ ଥିଲେ। ଅର୍ଥାତ ସେତେବେଳେ ମଧ୍ୟ ଶୁଭମିତ୍ରାଙ୍କ ସହ ଦୀପକର ଘନିଷ୍ଠତା ଥିବା ଜଣାପଡ଼ିଛି। ବୀମା ଟଙ୍କା ସାଙ୍ଗକୁ ପ୍ରେମ, ଦୁଇ ଦୁଇଟି ସ୍ବାର୍ଥ ହାସଲ ପାଇଁ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇଥିଲା। ହତ୍ୟା କରି ନିଜକୁ ବଞ୍ଚାଇବା ପାଇଁ ଦୁର୍ଘଟଣା ରୂପ ଦେଇଥିଲା ବୋଲି ଦୁଇଭଉଣୀ କହିଛନ୍ତି। ତେଣୁ ଏହାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଗଲେ ଦୀପକର ଅସଲ ଚେହେରା ପଦାକୁ ଆସିବ ବୋଲି କୁହାଯାଉଛି।